ଠିକା ସଂସ୍ଥାର ମନମାନି… ସଂଧ୍ୟା ହେଲେ ଅନ୍ଧାରରେ ବ୍ରହ୍ମପୁର ସହର

Oct 08, 2026 - 19:01
ଠିକା ସଂସ୍ଥାର ମନମାନି… ସଂଧ୍ୟା ହେଲେ ଅନ୍ଧାରରେ ବ୍ରହ୍ମପୁର ସହର

ବ୍ରହ୍ମପୁର: କେଉଁଠି ଦିନସାରା ଲାଇଟ ଜଳୁଛି ତ କେଉଁଠି ସନ୍ଧ୍ୟା ହେଲେ ଅନ୍ଧାରର ରାଜୁତି । ଦୀର୍ଘ ୨ ମାସ ହେଲା ବ୍ରହ୍ମପୁରର ଏପରି ସମସ୍ୟା । ସ୍ଥାନୀୟ ଜନପ୍ରତିନିଧି BeMCକୁ ଅବଗତ କରାଯାଉଛି, ସମସ୍ୟା ସୁଧାରିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ମଧ୍ୟ ଦେଉଛନ୍ତି । କିନ୍ତୁ ଠିକା ସଂସ୍ଥାର କାର୍ଯ୍ୟକାଳ ଆଉ ମାତ୍ର ଦେଢ଼ମାସ ଥିବାରୁ ବେଖାତିର କରୁଛି । ସହରର ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ ପାଇଁ ବିଏମସି ପକ୍ଷରୁ ୨୦୧୯ ଅକ୍ଟୋବରରେ ଘରୋଇ ସଂସ୍ଥା ସହ ଚୁକ୍ତି ସ୍ଵୀକ୍ଷର ହୋଇଥିଲା । ଦୀର୍ଘ ୭ ବର୍ଷ ପାଇଁ ରକ୍ଷଣାବେକ୍ଷଣ ଦାୟିତ୍ଵ ବହନ ନେଇ ଦାୟିତ୍ବ ନେଇଥିଲା ସଂସ୍ଥା । ହେଲେ ଚୁକ୍ତିକୁ ଆଉ ମାତ୍ର ଦେଢମାସ ଥିବାରୁ ମରାମତି କରିବାକୁ ସଂସ୍ଥା ଗୁରୁତ୍ଵ ଦେଉନି । ତେଣୁ ସଂଧ୍ୟା ନଇଁଲେ ସହର ଅନ୍ଧାରରେ ବୁଡ଼ି ଯାଉଥିବା ଲୋକେ ଅଭିଯୋଗ କରିଛନ୍ତି ।

ସହରରେ ଥିବା ୨୨ ହଜାର ୮ ଶହ ଷ୍ଟ୍ରିଟ୍ ଲାଇଟର ପରିଚାଳନା ପାଇଁ ଚୁକ୍ତି କରିଥିଲା ସଂସ୍ଥା । ହେଲେ ସଂସ୍ଥା ପକ୍ଷରୁ ନିୟୋଜିତ ୧୨ଜଣ କର୍ମଚାରୀଙ୍କୁ ଗତ ୪ ମାସ ହେବ ସଠିକ ଭାବେ ଦରମା ମିଳିନାହିଁ । ପ୍ରତିବାଦରେ ଅଗଷ୍ଟ ପହିଲାରୁ କର୍ମଚାରୀ କାର୍ଯ୍ୟବନ୍ଦ କରିଛନ୍ତି। ସହରର ପ୍ରମୁଖ ଛକରେ ଲାଗିଥିବା ହାଇମାସ୍କ ଲାଇଟ୍ ବି ଅଚଳ ହୋଇପଡ଼ିଛି । ସହରର ସମସ୍ୟା ବିଗିଡ଼ିବା ଦେଖି ବିଇଏମସି ପକ୍ଷରୁ ବାଧ୍ୟ ହୋଇ ବକେୟା ଥିବା କିଛି ଅର୍ଥ ଘରୋଇ ସଂସ୍ଥାକୁ ପ୍ରଦାନ କରାଯାଇଥିଲା । ତଥାପି ସଂସ୍ଥା ବିଏମସିକୁ କାର୍ଯ୍ୟରେ ସହଯୋଗ କରୁ ନଥିବା ଅଭିଯୋଗ ହୋଇଛି । ସେପଟେ କମିଶନର କହିଛନ୍ତି, ଘରୋଇ ସଂସ୍ଥାକୁ ତାଗିଦ ପରେ ଚଳିତମାସ ଶେଷ ସୁଦ୍ଧା ସମସ୍ୟାର ସମାଧାନ କରିବାକୁ ସେ ଲିଖିତ ଭାବେ ପ୍ରତିଶ୍ରୁତି ଦେଇଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।