ଦିନ ଦ୍ୱିପ୍ରହରରେ ଗୁଳିକାଣ୍ଡ: କାର୍ ୱାଶିଂ ସେଣ୍ଟର ମାଲିକଙ୍କୁ ୩ ଗୁଳି, ଘଟଣାସ୍ଥଳରେ ମୃତ୍ୟୁ

Oct 03, 2026 - 12:53
ଦିନ ଦ୍ୱିପ୍ରହରରେ ଗୁଳିକାଣ୍ଡ: କାର୍ ୱାଶିଂ ସେଣ୍ଟର ମାଲିକଙ୍କୁ ୩ ଗୁଳି, ଘଟଣାସ୍ଥଳରେ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ :  ବିହାରର ବେଗୁସରାଇ ଜିଲ୍ଲାରେ ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଫୁଲୱାରିଆ ଥାନା ଅଧୀନ ଫୁଲୱାରିଆ-୩ ଅଞ୍ଚଳରେ ଜଣେ କାର୍ ୱାଶିଂ ସେଣ୍ଟର ସଞ୍ଚାଳକଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ମୃତକଙ୍କୁ ଫୁଲୱାରିଆ ଥାନା ଅଞ୍ଚଳର ରାମକୁମାର ରାମଙ୍କ ପୁଅ ଗଣେଶ କୁମାର ବୋଲି ଚିହ୍ନଟ କରାଯାଇଛି। ସେ ନିଜର ଏକ କାର୍ ୱାଶିଂ ସେଣ୍ଟର ଚଳାଉଥିଲେ।

ସୂଚନା ଅନୁଯାୟୀ, ଘଟଣା ସମୟରେ ଗଣେଶ କୁମାର ନିଜ କାର୍ ୱାଶିଂ ସେଣ୍ଟରରେ ବସିଥିଲେ। ଏହି ସମୟରେ ହଠାତ୍ ଜଣେ ଦୁର୍ବୃତ୍ତ ସେଠାରେ ପହଞ୍ଚି ତାଙ୍କ ଉପରେ ଗୁଳି ଚଳାଇଥିଲା। ଦୁର୍ବୃତ୍ତ ତାଙ୍କୁ ତିନିଟି ଗୁଳି ମାରିଥିବା ଜଣାପଡ଼ିଛି। ଗୁଳି ବାଜିବା ପରେ ଗଣେଶଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଘଟଣା ପରେ ଅଭିଯୁକ୍ତ ଅସ୍ତ୍ର ଦେଖାଇ ସେଠାରୁ ଫେରାର ହୋଇଯାଇଥିବା କୁହାଯାଉଛି।

ଦିନ ଦ୍ୱିପ୍ରହରରେ ହଠାତ୍ ଗୁଳି ଶବ୍ଦ ଶୁଣି ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଲୋକମାନେ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ଘଟଣାର ଖବର ଗଣେଶଙ୍କ ପରିବାରରେ ପହଞ୍ଚିବା ପରେ ଘରେ ଶୋକର ଛାୟା ଖେଳିଯାଇଥିଲା।ପ୍ରାଥମିକ ତଦନ୍ତରେ ହତ୍ୟା ପଛରେ ପୁରୁଣା ଶତ୍ରୁତା ଥିବା ପୋଲିସ ସନ୍ଦେହ କରୁଛି। ତେବେ ହତ୍ୟାର ପ୍ରକୃତ କାରଣ କ’ଣ ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଘଟଣାର ଖବର ପାଇ ବେଗୁସରାଇ ଏସ୍‌ପି ମନୀଷ କୁମାର ବଡ଼ ସଂଖ୍ୟାରେ ପୋଲିସ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଘଟଣାସ୍ଥଳକୁ ଯାଞ୍ଚ କରିବା ସହ ହତ୍ୟାର ବିଭିନ୍ନ ଦିଗ ନେଇ ତଦନ୍ତ ଆରମ୍ଭ କରିଛି।ଫୁଲୱାରିଆ ଥାନା ସମେତ ବିଭିନ୍ନ ଥାନାର ପୋଲିସ ଟିମ୍ ଘଟଣାସ୍ଥଳରେ ମୁତୟନ ଅଛନ୍ତି। ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ବେଗୁସରାଇ ସଦର ହସ୍ପିଟାଲକୁ ପଠାଇଛି। ଏପଟେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ହତ୍ୟାର ପ୍ରକୃତ କାରଣ ଏବଂ ଘଟଣାରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ତଦନ୍ତ ପରେ ଅଧିକ ସୂଚନା ସାମ୍ନାକୁ ଆସିପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।