ପାକିସ୍ତାନ୍-ଚୀନର ନିଦ ଉଡାଇଲା ଭାରତର ‘ବ୍ରହ୍ମୋସ୍’ !
ନନ୍ଦିଘୋଷ ବ୍ୟୁରୋ: ଭୟରେ ଥରିଲେଣି ପାକିସ୍ତାନ ଓ ଚୀନ୍ । ସମୁଦ୍ରରେ ଏବେ ଅଧିକ ଶକ୍ତିଶାଳୀ ହେଲା ଭାରତ । ନୌସେନାର ଶକ୍ତି ବଢାଇବ ବ୍ରହ୍ମୋସ୍ । ଭାରତୀୟ ନୌସେନାକୁ ବର୍ତ୍ତମାନ ଆହୁରି ସୁଦୃଢ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ୬୬୧.୫୦ କୋଟି ମୂଲ୍ୟର ବ୍ରହ୍ମୋସ୍ ଡିଲ୍ କରିଛି । ଏହି ଚୁକ୍ତିନାମା ଅନୁସାରେ, ନୌସେନା ଯୁଦ୍ଧଯାହଜ ପାଇଁ ବ୍ରହ୍ମୋସ୍ ଫାୟାର କଣ୍ଟ୍ରୋଲ ସିଷ୍ଟମ୍ ଏବଂ ଲଞ୍ଚର କିଣାଯିବ । ସୂଚନା ଅନୁସାରେ, ୬ ଅକ୍ଟୋବର ମଙ୍ଗଳବାର ଦିନ ବ୍ରହ୍ମୋସ୍ ଏରୋସ୍ପେସ୍ ପ୍ରାଇଭେଟ୍ ଲିମିଟେଡ୍ ସହ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହି ଚୁକ୍ତି Buy Indian-IDDM କ୍ୟାଟେଗୋରି ଅଧିନରେ କରାଯାଇଛି ଏବଂ ଏଥିରେ ଅତି କମରେ ୬୮% ସ୍ବେଦଶୀ ସାମଗ୍ରୀ ବ୍ୟବହାର କରାଯିବ । ଏହାସହ ଏଥିରେ ଦେଶର ଘରୋଇ କମ୍ପାନୀ ଏବଂ MSME ସେକ୍ଟର ମଧ୍ୟ ଅଂଶଗ୍ରହଣ କରିବେ ।
ଯଦି ଦେଖିବା, ଭାରତୀୟ ନୌସେନାର ଅନେକ ଆଗଧାଡିର ଜାହାଜରେ ବ୍ରହ୍ମୋସ୍ ପୂର୍ବରୁ ନିୟୋଜିତ ହୋଇଛି । ବ୍ରହ୍ମୋସ୍ ର ସଠିକ୍ ପରିଚୟ ହେଉଛି, ଏହାର ସୁପରସୋନିକ୍ ଗତି ଏବଂ ସଠିକ୍ ଆକ୍ରମଣ କ୍ଷମତା । ଏହି କ୍ଷେପଣାସ୍ତ୍ର ପ୍ରାୟ ୩ ଗୁଣ ଅଧିକ ବେଗରେ ଉଡିପାରେ । ଏହାସହ ସମୁଦ୍ରରେ ଶତ୍ରୁର ଯୁଦ୍ଧଜାହାଜୁ ଟାର୍ଗେଟ କରିବା ସହ ସ୍ଥଳଭାଗରେ ମଧ୍ୟ ଲକ୍ଷ୍ୟସ୍ଥଳକୁ ଭେଦିବାରେ ସକ୍ଷମ । ସେହିଭଳି ଫାୟାର କଣ୍ଟ୍ରୋଲ ସିଷ୍ଟମ୍ ଯୁଦ୍ଧଜାହାଜରେ ସେନ୍ସର, କାମାଣ୍ଡ୍ ସିଷ୍ଟମ୍ ଏବଂ କ୍ଷେପଣାସ୍ତ୍ର ଲଞ୍ଚର ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ସଂଯୋଗ ଭାବରେ କାର୍ଯ୍ୟ କରେ । ଲକ୍ଷ୍ୟ ଚିହ୍ନଟ ଠାରୁ କ୍ଷେପଣାସ୍ତ୍ର ଲଞ୍ଚ୍ ପର୍ଯ୍ୟନ୍ତ, ଏହି ପ୍ରଣାଳୀ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହା ଏଥିପାଇଁ ଅଧିକ ଗୁରୁତ୍ବ ବହନ କରୁଛି, କାରଣ ଭାରତ ମହାସାଗର ଅଞ୍ଚଳରେ ପାକିସ୍ତାନର ନୌସେନା କାର୍ଯ୍ୟକଳାପ ନିରନ୍ତର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଚୀନ ଠାରୁ ମିଳିଥିବା ଯୁଦ୍ଧଜାହାଜ ଏବଂ ବୁଡାଜାହାଜ ମାଧ୍ୟମରେ ପାକିସ୍ତାନ ତାର ନୌସେନା କ୍ଷମତାକୁ ସୁଦୃଢ କରିଛି । ଏଭଳି ସ୍ଥିତିରେ ଭାରତୀୟ ଯୁଦ୍ଧଜାହାଜରେ ବ୍ରହ୍ମୋସ୍ ର ନୂତନ ଫାୟାର କଣ୍ଟ୍ରୋଲ୍ ସିଷ୍ଟମ୍ ଏବଂ ଲଞ୍ଚର ମୁତୟନ ପାକିସ୍ତାନର ସାମୁଦ୍ରିକ ରଣନୀତିକୁ ମୁକାବିଲା କରିବା ପାଇଁ ଭାରତର ଷ୍ଟ୍ରାଇକ୍ କ୍ଷମତାକୁ ସୁଦୃଢ କରିବା ଦିଗରେ ଏକ ବଡ ପଦେକ୍ଷପ । ବିଶେଷକରି ଭାରତୟ ନୌସେନାର ଦୀର୍ଘ ଦୂରଗାମୀ ସଠିକ ଆକ୍ରମଣ କ୍ଷମତା ଯେକୌଣସି ସାମୁଦ୍ରିକ ଚ୍ୟାଲେଞ୍ଜର ମୁକାବିଲା କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ ।
ତେବେ ଏହି ଚୁକ୍ତିର ପ୍ରଭାବ କେବଳ ପାକିସ୍ତାନ ପର୍ଯ୍ୟନ୍ତ ସୀମିତ ନୁହେଁ । କାହିଁକି ନା, ଚୀନ୍ ଭାରତ ମହାସାଗର ଅଞ୍ଚଳରେ ତାର ନୌସେନା ଉପସ୍ଥିତିକୁ କ୍ରମାଗତ ଭାବେ ବିସ୍ତାର କରୁଛି । ତେଣୁ ଭାରତ ପାଇଁ ଏହାର ଯୁଦ୍ଧଜାହାଜର ସାମୁଦ୍ରିକ ନୀରିକ୍ଷଣ, ଲକ୍ଷ୍ୟଭେଦ ଏବଂ ଦ୍ରୁତ ପ୍ରକ୍ରିୟାର ସକ୍ଷମତାକୁ ସୁଦୃଢ କରିବା ଏବେ ଅର୍ନିବାର୍ଯ୍ୟ ହୋଇପଡିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।