ବନ୍ତଳା ଗୁଳିକାଣ୍ଡରେ ଯୁବକ ମୃତ ଘଟଣା
ଅନୁଗୁଳ : ବନ୍ତଳାରେ ଗୁଳିକାଣ୍ଡ, ଯୁବକ ମୃତ ଘଟଣା । ଗୁଳି କରିଥିବା ଯୁବକକୁ ଗିରଫ କରିଛି ପୋଲିସ । ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅଧୀନ ବନ୍ତଳା ଗାଁର ନିମ ଛକରେ ଗତକାଲି ଗୁଳିକାଣ୍ଡ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଲେ ବନ୍ତଳା ଗାଁର ସୁଶାନ୍ତ ପ୍ରଧାନ ଓରଫ କାଳିଆ । ସୁଶାନ୍ତ ମଙ୍ଗଳବାର ସକାଳଠାରୁ ମଦ୍ୟପାନ କରି ବିଭିନ୍ନ ଲୋକଙ୍କ ସହ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି । ସନ୍ଧ୍ୟାରେ ନିମ ଛକ ନିକଟରେ ମଧ୍ୟ ଏଭଳି ଘଟଣାକୁ ନେଇ ପ୍ରକାଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ବଚସା ହୋଇଥିଲା । ବଚସା ବେଳେ ପ୍ରକାଶ ଘରୁ ଏକ ବନ୍ଧୁକ ଆଣି ସୁଶାନ୍ତଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ବନ୍ଧୁକରୁ ଗୁଳି ଫୁଟି ସୁଶାନ୍ତଙ୍କ ଛାତିରେ ଗୋଟିଏ ଗୁଳି ବାଜିଥିବାବେଳେ ଅନ୍ୟ ଗୁଳିଟି ପେଟ ଦେଇ ଘଷି ହୋଇ ଯାଇଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ପୋଲିସ ତାଙ୍କୁ ବନ୍ତଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିଲା । ଘଟଣା ପରେ ଅଭିଯୁକ୍ତ ଘଟଣା ସ୍ଥଳରେ ବନ୍ଧୁକ ଛାଡ଼ି ଫେରାର ହୋଇଯାଇଥିଲେ । ତେବେ ଘର ବାଡ଼ି ପଟେ ଲୁଚିଥିବା ପ୍ରକାଶକୁ ଗିରଫ କରିଛି ପୋଲିସ । ଜବତ ବନ୍ଧୁକଟି ଭାଙ୍ଗିଯାଇଥିବା ଯୋଗୁଁ ଗୁଳି ଜାଣିଶୁଣି ଚଳାଯାଇଥିଲା ନା ଅସାବଧାନତାବଶତଃ ଫୁଟିଥିଲା, ସେନେଇ ତଦନ୍ତ କରାଯାଉଛି ।..
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।