ଭଡ଼ା ନାଁରେ ୩୦ ଟ୍ରକ୍ ଚୋରି, ବନ୍ଧାହେଲେ ବାପା-ପୁଅ

Oct 11, 2026 - 18:59
ଭଡ଼ା ନାଁରେ ୩୦ ଟ୍ରକ୍ ଚୋରି, ବନ୍ଧାହେଲେ ବାପା-ପୁଅ

ନନ୍ଦିଘୋଷ ବ୍ୟୁରୋ: ଗାଡ଼ି ମାଲିକ ଟଙ୍କା ସୁଝିସୁଝି ନୟାନ୍ତ । ଏଗ୍ରିମେଣ୍ଟ କରି ୩୦ ଟ୍ରକ ଗାଏବ । ପୋଲିସ ଜାଲରେ ସାତିର୍ ବାପା-ପୁଅ । ଭଡ଼ା ସୂତ୍ରରେ ନେବାକୁ କହି ରାଜ୍ୟ ବାହାରେ ବିକ୍ରି କରୁଥିଲେ ଅଭିଯୁକ୍ତ । ଅଭିଯୋଗ ଅନୁସାରେ, ଟ୍ରକ୍ ହାତକୁ ଆସିବା ପରେ ଗାଡ଼ିକୁ ନେଇ ଚମ୍ପଟ ମାରୁଥିଲେ ଅଭିଯୁକ୍ତ । ଓଡ଼ିଶାରେ ଗାଡ଼ି ମାଲିକ ଖୋଜୁଥିବା ବେଳେ ରାଜ୍ୟ ବାହାରେ ଗାଡ଼ି ବିକ୍ରି କରିଦେଉଥିବା ଅଭିଯୋଗ ହୋଇଛି । ଏହି ରାକେଟ୍ରେ ବାପା ନିରଞ୍ଜନ ମହାପାତ୍ର ଗାଡ଼ି ବିକ୍ରିର ଡିଲ୍ କରୁଥିବା ବେଳେ ବଡ଼ ପୁଅ ଅଶୋକ ମହାପାତ୍ର ଟ୍ରକ୍ ନେଇ ଫେରାର ହେଉଥିଲା ।

ଗୋଟିଏ କିମ୍ବା ଦୁଇଟି ନୁହେଁ, ୩୦ ଟି ଟ୍ରକ ଏହି କରିତକର୍ମା ବାପ ପୁଅ ଚୋରି କରିଥିବା ଜଣାପଡ଼ିଛି । ଟଙ୍କା କାରବାର ପାଇଁ ୧୫ରୁ ଅଧିକ ବ୍ୟାଙ୍କ୍ ଆକାଉଣ୍ଟ ବ୍ୟବହାର କରୁଥିଲେ ଅଭିଯୁକ୍ତ । ଯେଉଁ ଆକାଉଣ୍ଟ ଗୁଡିକୁ ସ୍କାନରକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଆଉ ଏହି କାରବାର ପଛରେ ଅନ୍ୟ କାହାର ସମ୍ପୃକ୍ତି କୁ ନେଇ ମଧ୍ୟ ତଦନ୍ତକୁ ଜୋରଦାର କରିଛି କମିଶନରେଟ ପୋଲିସ । ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଭଞ୍ଜନଗର, ପିପିଲି, ବାଦାମବାଡ଼ି ଓ ବୌଦ୍ଧ ଭଳି ଅଞ୍ଚଳରେ ମଧ୍ୟ ମାମଲା ଥିବା ସୂଚନା ମିଳିଛି । ଗତ ଅଗଷ୍ଟ ମାସରେ ମଞ୍ଚେଶ୍ୱର ଅଂଚଳରୁ ଠିକ ସମାନ ଢଙ୍ଗରେ ଟ୍ରକ ଚୋରି ନେଇ ଅଭିଯୋଗ ଆସିବା ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ । ସିସିଟିଭି ଓ ହ୍ୟୁମାନ ଇଣ୍ଟେଲ୍ଲିଜେନ୍ସ ଜରିଆରେ ଚମ୍ପୁଆରୁ ଧରାପଡିଥିଲେ ୨ ଅଭିଯୁକ୍ତ । ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।