ୟୁଟ୍ୟୁବରେ ଭାଇଜାନଙ୍କ ଏଣ୍ଟ୍ରି
ୟୁଟ୍ୟୁବରେ ଭାଇଜାନଙ୍କ ଏଣ୍ଟ୍ରି..
ନନ୍ଦିଘୋଷ ବ୍ୟୁରୋ: ୟୁଟ୍ୟୁବରେ ଭାଇଜାନଙ୍କ ଏଣ୍ଟ୍ରି । ଫିଲ୍ମ ଓ ଟିଭି ଶୋ’ ପରେ ଏବେ ସୋସିଆଲ ମିଡ଼ିଆରେ ଫ୍ୟାନ୍ସଙ୍କ ମନୋରଞ୍ଜନ କରିବେ ବଲିଉଡ଼ର ଏହି ମେଗା ଷ୍ଟାର । ଶୁକ୍ରବାର ସଲମାନ ନିଜର ୟୁଟ୍ୟୁବ ଚ୍ୟାନେଲ୍ ଲଞ୍ଚ କରିଥିଲେ । ଲଞ୍ଚର ମାତ୍ର ୧ ଘଣ୍ଟା ମଧ୍ୟରେ ଚ୍ୟାନେଲ୍ ଟି ପ୍ରାୟ ୧୫,୦୦୦ରୁ ଅଧିକ ସବସ୍କ୍ରାଇବର୍ ହାସଲ କରିଥିଲା ।
ଚ୍ୟାନେଲ୍ ଲଞ୍ଚ ଅବସରରେ ଏକ ମଜାଦାର ଟିଜର ସେୟାର କରି ଇଂରାଜୀ ବର୍ଣ୍ଣମାଳା ପଢୁଥିବାର ନଜର ଆସିଥିଲେ ଅଭିନେତା । ବର୍ତ୍ତମାନ ଏହି ଚ୍ୟାନେଲରେ ସର୍ଟ୍ ଭିଡିଓ ଲଞ୍ଚ ହୋଇଥିବା ବେଳେ ଆଗକୁ ସେ ଲଙ୍ଗ ଭିଡିଓ ମାଧ୍ୟମରେ ଫ୍ୟାନ୍ସଙ୍କୁ ତାଙ୍କ ଦୈନନ୍ଦିନ ଜୀବନ ସମ୍ପର୍କରେ ଜଣାଇବେ ବୋଲି କହିଛନ୍ତି ସଲମାନ । ତେବେ ଚ୍ୟାନେଲ୍ ଗୋଟିଏ ପ୍ରକାରର କଣ୍ଟେଟ୍ ରେ ସୀମିତ ରହିବ ନାହିଁ । ଏଥିରେ ଅଭିନେତାଙ୍କ ଦୈନନ୍ଦିନ ଜୀବନ ସହ ଭିନ୍ନ ଭିନ୍ନ କଣ୍ଟେଟ୍ ଦେଖିବାକୁ ପାଇବେ ପ୍ରଶଂସକ । ଚ୍ୟାନେଲର ବାୟୋଟି ବେଶ ସରଳ ରହିଥିବା ବେଳେ ଏଥିରେ ଲେଖାଯାଇଛି “ଚଳଚ୍ଚିତ୍ର ଅଭିନେତା, କଳାକାର, ଚିତ୍ରକାର, ସାମାଜିକ କର୍ମୀ, ଏହା ମୋର ଅଫିସିଆଲ୍ ଚ୍ୟାନେଲ।” ଚ୍ୟାନେଲ୍ ଲଞ୍ଚ ବେଳେ ସେଥିରେ ୧୦ଟି ସର୍ଟ ଭିଡିଓ ଥିଲା ।
ପ୍ରକାଶ ଥାଉ କି, ବର୍ତ୍ତମାନ ସଲମାନ ରିଆଲିଟି ଶୋ’ ‘ବିଗ୍ ବସ୍ ୨୦’ ହୋଷ୍ଟ କରୁଥିବାବେଳେ ଆଗାମୀ ଦିନରେ ଅପୂର୍ବ ଲଖିଆଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମାତୃଭୂମି’ ଓ ବଂଶୀ ପାଇଡିପଲ୍ଲୀଙ୍କ ସହ ‘ମନଷ୍ଟର୍’ ରେ ନଜର ଆସିବେ । ତେବେ ସଲମାନଙ୍କ ବ୍ୟତୀତ ଫରାହ ଖାନ, ସୋନାକ୍ଷୀ ସିହ୍ନା, ଆଲିଆ ଭଟ୍ଟ, କ୍ରୀତି ସାନନ୍ , ପରିଣୀତି ଚୋପ୍ରା ଓ ଅକ୍ଷୟ କୁମାରଙ୍କ ଭଳି ଅନେକ ବଲିଉଡ୍ ତାରକାମାନଙ୍କର ମଧ୍ୟ ସେମାନଙ୍କର ନିଜସ୍ୱ ୟୁଟ୍ୟୁବ୍ ଚ୍ୟାନେଲ୍ ରହିଛି । ଯାହା ମାଧ୍ୟମରେ ସେମାନେ ସେମାନଙ୍କର ଫିଟନେସ୍, ରୋଷେଇ, ବ୍ୟକ୍ତିଗତ ଜୀବନ ଓ ଫିଲ୍ମ ସୁଟିଂ ସମ୍ପର୍କିତ ଭିଡିଓଗୁଡ଼ିକୁ ସେୟାର କରି ପ୍ରଶଂସକଙ୍କ ସହ ସିଧାସଳଖ ଯୋଡି ହୋଇଥାଆନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।