ଭିଜିଲାନ୍ସ ପଞ୍ଝାରେ ମୟୂରଭଞ୍ଜ ବେତନଟୀ ପୂର୍ତ୍ତ ବିଭାଗ ଏସଡିଓ
ବାରିପଦା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ମୟୂରଭଞ୍ଜ ବେତନଟୀ ପୂର୍ତ୍ତ ବିଭାଗ ଏସଡିଓ । ଏକକାଳୀନ ଏସଡିଓ ଅରବିନ୍ଦ ମହାନ୍ତିଙ୍କ ଘର ସମେତ ୧୦ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଆଜି ସକାଳୁ ଏକକାଳୀନ ମୟୂରଭଞ୍ଜ ଓ ବାଲେଶ୍ଵର, ଭୁବନେଶ୍ବର ସମେତ ପ୍ରାୟ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଜୋରଦାର ଚଢ଼ାଉ ଜାରି ରହିଛି । ଭିଜିଲାନ୍ସ କୋର୍ଟଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ବ୍ୟାପକ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଅଭିଯାନରେ ଭିଜିଲାନ୍ସର ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଏବଂ ବହୁ ସଂଖ୍ୟକ ବିଭାଗୀୟ କର୍ମଚାରୀ ସାମିଲ ରହିଛନ୍ତି । ମୟୂରଭଞ୍ଜ, ବାଲେଶ୍ୱର ଏବଂ ଖୋର୍ଦ୍ଧା ଜିଲ୍ଲାର ମୋଟ ୧୦ଟି ସ୍ଥାନରେ ଯାଞ୍ଚ ଚଳାଇଛନ୍ତି । ଚଢ଼ାଉ ଚାଲିଥିବା ସ୍ଥାନଗୁଡ଼ିକ ମଧ୍ୟରେ ବାଲେଶ୍ୱର ଅଙ୍ଗାରଗଡ଼ିଆ ସ୍ଥିତ ତିନି ମହଲା ଆବାସିକ କୋଠା, ଖୋର୍ଦ୍ଧା ବାଲିଅନ୍ତା ସ୍ଥିତ ଦୁଇ ମହଲା କୋଠା, ମୟୂରଭଞ୍ଜ ଜିଲ୍ଲା ବେତନଟୀ ସ୍ଥିତ ତାଙ୍କ କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରାୟନ-ରାମଚନ୍ଦ୍ରପୁର ସ୍ଥିତ ପୈତୃକ ଘର, ବାଲେଶ୍ୱର ବସନ୍ତପୁର ସ୍ଥିତ ଫାର୍ମ ହାଉସ ଏବଂ ବାଲେଶ୍ୱର ବାମପଦା ସ୍ଥିତ ଆଉ ଏକ ବାସଭବନ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ବାଲେଶ୍ୱର ଅଙ୍ଗାରଗଡ଼ିଆ ସ୍ଥିତ ଜଣେ ଘନିଷ୍ଠ ସହଯୋଗୀଙ୍କ ଘର, ମୟୂରଭଞ୍ଜ ବୈଶିଙ୍ଗା ସ୍ଥିତ ଅନ୍ୟ ଜଣେ ସହଯୋଗୀଙ୍କ ବାସଭବନ ଏବଂ ବାଲେଶ୍ୱର ବାମପଦା ସ୍ଥିତ ଆଉ ଜଣେ ସହଯୋଗୀଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଏକକାଳୀନ ପହଞ୍ଚି ତଲାସି କରୁଛି। ସର୍ଚ୍ଚ ଅଭିଯାନ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ଜମିଜମା କାଗଜପତ୍ର, ବ୍ୟାଙ୍କ ଜମା ଖାତା, ନଗଦ ଟଙ୍କା ଏବଂ ସୁନାଗହଣାର ହିସାବ ଯାଞ୍ଚ କରାଯାଉଛି। ଖବର ଲେଖାହେବା ପର୍ଯ୍ୟନ୍ତ ଭିଜିଲାନ୍ସର ଖୋଳତାଡ଼ ଜାରି ରହିଥିବା ବେଳେ ଯାଞ୍ଚ ଶେଷ ହେବା ପରେ ମୋଟ ସମ୍ପତ୍ତିର ପରିମାଣ ନେଇ ବିସ୍ତୃତ ତଥ୍ୟ ମିଳିବ ବୋଲି ଭିଜିଲାନ୍ସ ବିଭାଗ ସୂତ୍ରରୁ ଜଣାପଡ଼ିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।