ମହାମାୟାଙ୍କ ଆବାହନ ନେଇ କଟକରେ ଜୋରଦାର ପ୍ରସ୍ତୁତି

Oct 08, 2026 - 19:01
ମହାମାୟାଙ୍କ ଆବାହନ ନେଇ କଟକରେ ଜୋରଦାର ପ୍ରସ୍ତୁତି

କଟକ: ଆସୁଛନ୍ତି ମହାମାୟା । ମାଆ ଦୁର୍ଗାଙ୍କ ଆବାହନ ପାଇଁ ପ୍ରସ୍ତୁତ ମଣ୍ଡପ ଓ କର୍ମକର୍ତ୍ତା । କଟକ ସହରରେ ଦୁର୍ଗା ପୂଜା ପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି । ହାତରେ ଆଉ ଅଳ୍ପଦିନ ଥିବାରୁ ମୂର୍ତ୍ତି ନିର୍ମାଣ ସହ ମଣ୍ଡପ କାମ ଜୋରସୋର ଆଗେଇ ଚାଲିଛି । ଅମାବାସ୍ୟାରେ ମାଆଙ୍କ ମୂର୍ତ୍ତିରେ ଖଡ଼ିଚଢ଼ା ହେବ । ଏହାର ଦୁଇଦିନ ପରେ ରଙ୍ଗ କାମ ଆରମ୍ଭ କରି ପୂଜା ପୂର୍ବରୁ ସାରିବାକୁ ଲକ୍ଷ୍ୟ ରଖିଛନ୍ତି କାରିଗର । ପରେ ମାଆଙ୍କୁ ବସ୍ତ୍ର, ଆଭୁଷଣରେ ଭୂଷିତ କରିବେ । ସେପଟେ ମାଆଙ୍କ ଜରି ମେଢ଼ କାରିଗର ଓ ମଣ୍ଡପ ରଙ୍ଗ କାରିଗର ମଧ୍ୟ କାମରେ ଲାଗିପଡ଼ିଛନ୍ତି ।

ଜରି କାମ ସରି ଆସିଥିବାରୁ ଏବେ ମଣ୍ଡପରେ ଜରି ମେଢକୁ ଜୋଖିବା କାମରେ ଲାଗିଛନ୍ତି କାରିଗର । ୧୩ ତାରିଖ ସୁଦ୍ଧା ମାଆଙ୍କ ମୂର୍ତ୍ତି, ମେଢ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଅନ୍ୟ ପକ୍ଷରେ ଦଶହରା ରାତିରେ ୩୬ ବର୍ଷ ହେବ ତଳ ବାଲିଯାତ୍ରା ପଡ଼ିଆରେ ବାରବାଟୀ ସର୍ବଧର୍ମ ସମନ୍ବୟ ସମିତି ପକ୍ଷରୁ ରାବଣପୋଡ଼ି ଉତ୍ସବ କରାଯାଉଛି । ଆଜି ନୌକାଗେଟ୍ ପାଖରେ ରାବଣପୋଡ଼ି ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସୁନ୍ଦର ତଥା ଆକର୍ଷଣୀୟ ଢଙ୍ଗରେ କିପରି ରାବଣପୋଡ଼ି କରାଯିବା ସେନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଛି ।

ପାଗ ଅନୁକୂଳ ଥିବାରୁ ଆଗକୁ ବିଭିନ୍ନ ପୂଜା ମଣ୍ଡପର ସାଜସଜ୍ଜା ଓ ତୋରଣ ନିର୍ମାଣ କାମ ଜୋରସୋର ଆଗେଇଥିବା କହିଛନ୍ତି କର୍ମକର୍ତ୍ତା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।