ନିଶାଡୀଙ୍କୁ ବାଇଆ କଲାଣି କଫସିରପ୍ !
ଭୁବନେଶ୍ବର: ୭୦ ଟଙ୍କାରେ ସାଙ୍ଘାତିକ ନିଶା । ମଦର ସ୍ଥାନ ନେଉଛି କଫ ସିରପ୍ । ରାଜଧାନୀର ବିଭିନ୍ନ ଔଷଧ ଦୋକାନରେ ଡ୍ରଗ୍ ଇନ୍ସପେକ୍ଟରଙ୍କ ପକ୍ଷରୁ ରେଡ୍ । ବିନା ଡାକ୍ତରଙ୍କ ପରାମର୍ଶରେ ସ୍ଲିପିଂ ଟାବଲେଟ ବିକ୍ରି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ମାଷ୍ଟରମାଇଣ୍ଡକୁ ଧରିବାକୁ ଚାଲିଛି ଛାନବିନ । ୨୪ ଜୁନ ୨୦୨୬ ରେ ଝାରପଡା ଜେଲରେ ଖେଳିଯାଇଥିଲା କୋକୁଆ ଭୟ । ଅସୁସ୍ଥ ହୋଇପଡିଥିଲେ ଜଣଙ୍କ ପରେ ଜଣେ ଅନ୍ତେବାସୀ । କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପରେ ଅନ୍ତେବାସୀ କଫସିରଫ ପିଇ ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଥିଲା । ଠିକ ସେହିପରି ଚଳିତବର୍ଷ ୧୭ ଏପ୍ରିଲରେ ଡ୍ରଗ କଣ୍ଟ୍ରୋଲର ଓ ଏସଟିଏଫ ପକ୍ଷରୁ ଚଢ଼ାଉ ବେଳେ ଫୁଲନଖରାରୁ ଜବତ ହୋଇଥିଲା ବିପୁଳ ପରିମାଣର କଫସିରଫ । କମ ଦାମରେ ନିଶା ପିଇ ଝୁମିବା ନିଶା ଏବେ ଯୁବପିଢ଼ିଙ୍କୁ ପାଗଳ କରିଥିବା ବେଳେ ରାଜଧାନୀରେ ଚାଲିଛି ବ୍ୟାପକ ଇନ୍ଫୋର୍ସମେଣ୍ଟ । ପ୍ରଥମେ ପୋଷ୍ଟର ମାରି ସଚେତନ କରାଯାଉଛି । ଆଉ ପରେ ବିନା ପ୍ରେସ୍କ୍ରିପସନରେ ସ୍ଲିପିଂ ଟାବଲେଟ କିମ୍ୱା କଫସିରଫ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ।
ଗୋଟେ ପଟେ ସାରା ଦେଶ ଓ ଓଡ଼ିଶାରେ ଚାଲିଛି ନିଶା ମୁକ୍ତ କ୍ୟାମ୍ପେନ । ହେଲେ ଦିନକ ତଳେ ବରଗଡ଼ ଜିଲ୍ଲାରୁ ମଧ୍ୟ ବିପୁଳ ପରିମାଣର କଫସିରଫ ଜବତ କରାଯାଇଥିଲା । ଗତବର୍ଷ ଅଗଷ୍ଟ ୧ ତାରିଖରେ ଜବତ ହୋଇଥିଲା ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର କଫସିରଫ । ହିମାଚଳ ପ୍ରଦେଶ ସ୍ଥିତ ଏକ କଫସିରଫ କମ୍ପାନୀ କୋଡ଼ିନ ମିଶାଇ ଏହାକୁ ସପ୍ଲାଏ କରୁଥିଲା । ଠିକ ଏହାର ପୂର୍ବ ଦିନ କଟକ ବାଦାମବାଡ଼ି ନ୍ୟୁ ଏଲଆଇସି କଲୋନୀରେ ଚଢ଼ାଉ କରାଯାଇ ସେଥିରେ ରାସାୟନିକ, ଏନ୍ ଟେନ ଟାବଲେଟ , ସ୍ଲିପିଂ ଟାବଲେଟ ବ୍ୟବହାର କରି ନିଶାଦ୍ରବ୍ୟ ଭାବେ ବ୍ୟବହାର କରାଯାଇଥିବା ଦେଖାଯାଇଥିଲା । ତେବେ ଏସବୁ ସପ୍ଲାଏ କରୁଥିବା ଦୋକାନ ଓ କଷ୍ଟମରଙ୍କୁ ଧରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଥିବା ପ୍ରତିକ୍ରିୟା ଦେଇ କହିଛନ୍ତି ବରଗଡ଼ ଏସପି ।
ନିଶା ମାଫିଆଙ୍କୁ ଧରିବା, ସେମାନଙ୍କ ସମ୍ପତ୍ତି ବ୍ୟାଜାପ୍ତ କରିବା ଓ ଦଣ୍ଡବିଧାନକୁ ତ୍ୱରିତ କରିବା ପାଇଁ ସଦା ଚେଷ୍ଟିତ ଓଡିଶା ପୋଲିସ । କିନ୍ତୁ ନୂଆ ନୂଆ ନିଶାକୁ ଯୁବପିଢ଼ି ଗ୍ରହଣ କରିବା ସୃଷ୍ଟି କରିଛି ନୂଆ ଚ୍ୟାଲେଞ୍ଜ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।