ମାଆ ଲକ୍ଷ୍ମୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିଲେ ମହାପ୍ରଭୁ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ଗୁପ୍ତ ଗୁଣ୍ଡିଚା
ନନ୍ଦିଘୋଷ ବ୍ୟୁରୋ: ମାଆଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କଲେ ମହାପ୍ରଭୁ । ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ଗୁପ୍ତ ଗୁଣ୍ଡିଚା । ଲୋକକଥା ଅନୁସାରେ ରଥଯାତ୍ରାରେ ଲକ୍ଷ୍ମୀଙ୍କୁ ସାଥିରେ ନେଇ ନଥିବାରୁ ଗୁପ୍ତ ଗୁଣ୍ଡିଚାରେ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ମହାପ୍ରଭୁ । ତେଣୁ ସେହି ପ୍ରତିଶ୍ରୁତି ଓ ପରମ୍ପରାକୁ ରକ୍ଷା କରି ପୁରୀ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଗୁପ୍ତ ଗୁଣ୍ଡିଚା । ଆଶ୍ବିନ ମାସରେ ଷୋଳପୂଜା ସମୟରେ ପ୍ରଥମ ୮ ଦିନ ଦୁର୍ଗା ମାଧବ ଶ୍ରୀମନ୍ଦିର ପରିସରରେ ଥିବା ମାଆ ବିମଳାଙ୍କ ମନ୍ଦିର ଜଗମୋହନରେ ପୂଜା ପାଉଥିବା ବେଳେ ଶେଷ ୮ ଦିନ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି । ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା ଭାବେ ଅଭିହିତ ଏହି ନିଆରା ପାରମ୍ପରିକ ଯାତ୍ରା କାହିଁ ପ୍ରାଚୀନ କାଳରୁ ଅନୁଷ୍ଠିତ ହୋଇଆସୁଛି । ଦୁର୍ଗାମାଧବ ଉପାସନାର ପ୍ରତୀକ ସ୍ୱରୂପ ଶ୍ରୀଜଗନ୍ନାଥ ଗୁପ୍ତଗୁଣ୍ଡିଚାରେ ମାଆ ମହାଲକ୍ଷ୍ମୀ ସ୍ଵରୁପା ମାଆ ଦୁର୍ଗାଙ୍କୁ ନେଇ ବିଜେ କରିଥାନ୍ତି ।
ଆଜି ସକାଳ ଧୂପ ନୀତି ପରେ ଦୁର୍ଗାମାଧବଙ୍କୁ ସ୍ୱତନ୍ତ୍ର ବିମାନରେ ବିଜେ କରାଯାଇଥିଲା । ପରେ ଘଣ୍ଟ ଛତା, ବୟଯନ୍ତ୍ରୀ ବଜାଯାଇ ଶ୍ରୀମନ୍ଦିରରୁ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରକୁ ବିଜେ କରାଯାଇଥିଲା । ସେଠାରେ ପହଞ୍ଚିବା ପରେ ସ୍ୱତନ୍ତ୍ର ଉପଚାରରେ ପୂଜାର୍ଚନା କରାଯାଇ ନାରାୟଣୀ ମନ୍ଦିରରେ ଦୁର୍ଗା ମାଧବ ଅବସ୍ଥାନ କରିଥିଲେ । ସ୍ୱତନ୍ତ୍ର ଭାବେ ଏଠାରେ ତାଙ୍କୁ ମାଣ୍ଡୁଅ ଓ ଖାଇକୋରା ଭୋଗ ଲାଗି କରାଯାଇଥିଲା । ତେବେ ଷୋଳ ପୂଜା ସମୟରେ ଏହି ନିଆରା ପରମ୍ପରାକୁ ଦର୍ଶନ କରି ଭକ୍ତ ମାନେ ବିଭୋର ହୋଇପଡିଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।