ମିଆଁମାରରେ ସେନାର ଭୟଙ୍କର ଏୟାରଷ୍ଟ୍ରାଇକ୍: ୪୯ ମୃତ, ୫୮ ଆହତ

Sep 29, 2026 - 10:49
ମିଆଁମାରରେ ସେନାର ଭୟଙ୍କର ଏୟାରଷ୍ଟ୍ରାଇକ୍: ୪୯ ମୃତ, ୫୮ ଆହତ

ମିଆଁମାର: ମିଆଁମାରରେ ଭୟଙ୍କର ଏୟାରଷ୍ଟ୍ରାଇକ୍‌ । ବଜାର ନିକଟରେ ହୋଇଥିବା ମିଆଁମାର ସେନାର ଆକ୍ରମଣରେ ୪୯ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ୫୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ବ୍ୟବସାୟୀ, କ୍ରେତା ଓ ପଥଚାରୀ ଥିବା ଜଣାପଡ଼ିଛି ।

ମିଆଁମାରର ପଶ୍ଚିମ ରଖାଇନ୍ ରାଜ୍ୟର କ୍ୟାଉକ୍ତାଉ ଟାଉନସିପ୍‌ରେ ସୋମବାର ଏହି ଆକ୍ରମଣ ଘଟିଥିଲା । ଏହି ଅଞ୍ଚଳ ଶକ୍ତିଶାଳୀ ଜାତିଗତ ସଶସ୍ତ୍ର ଗୋଷ୍ଠୀ ‘ଆରାକାନ୍ ଆର୍ମି’ର ନିୟନ୍ତ୍ରଣରେ ରହିଛି । ଆରାକାନ୍ ଆର୍ମିର ଦାବି ଅନୁସାରେ, ଅପରାହ୍ଣରେ ଏକ ଯୁଦ୍ଧବିମାନ ବଜାର ନିକଟରେ ଦୁଇଟି ବୋମା ପକାଇଥିଲା ।

ତେବାେ ସୂଚନା ଅନୁସାରେ ଆକ୍ରମଣରେ ୪୯ ଜଣଙ୍କ ମୃତ୍ୟୁ ସହ ୫୮ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨୨ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଇଛି । ତେବେ ମୃତାହତଙ୍କ ସଂଖ୍ୟା ସମ୍ପର୍କିତ ଦାବିଗୁଡ଼ିକର ସ୍ୱାଧୀନ ଭାବେ ସ୍ପଷ୍ଠ ହୋଇପାରିନାହିଁ ଓ ଘଟଣାସ୍ଥଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସ୍ଥାନୀୟ ସୂଚନା ଅନୁସାରେ, ଏହି ବଜାରଟି ରଖାଇନ୍ ଅଞ୍ଚଳର ଏକ ପ୍ରମୁଖ ପାଇକାରୀ ବଜାର । ବିଭିନ୍ନ ସ୍ଥାନରୁ ବ୍ୟବସାୟୀ ଓ କ୍ରେତା ଏଠାକୁ ଆସିଥାନ୍ତି । ଆକ୍ରମଣ ପରେ ଆରାକାନ୍ ଆର୍ମି ପକ୍ଷରୁ ପ୍ରତିଆକ୍ରମଣର ଚେତାବନୀ ଦିଆଯାଇଥିବା ମଧ୍ୟ ଜଣାପଡ଼ିଛି ।

ଏହି ଘଟଣା ପରେ ମିଆଁମାରରେ ଚାଲିଥିବା ଦୀର୍ଘଦିନର ସଶସ୍ତ୍ର ସଂଘର୍ଷ ପୁଣି ଚର୍ଚ୍ଚାକୁ ଆସିଛି । ୨୦୨୧ ଫେବ୍ରୁଆରୀ ୧ରେ ମିଆଁମାର ସେନା ଆଙ୍ଗ ସାନ୍ ସୁ କିଙ୍କ ନିର୍ବାଚିତ ସରକାରଠାରୁ କ୍ଷମତା ନେବା ପରଠାରୁ ଦେଶରେ ରାଜନୈତିକ ଅସ୍ଥିରତା ସହ ସଶସ୍ତ୍ର ସଂଘର୍ଷ ଜାରି ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।