ସାମ୍ବାଦିକଙ୍କ ଉପରେ ବଡ ଆକ୍ସନ୍: ବନ୍ଧା ହେଲେ ୬ ସାମ୍ବାଦିକ !
ନନ୍ଦିଘୋଷ ବ୍ୟୁରୋ: ଖବର ଦେଖାଇବାରୁ ମିଳିଲା ଦଣ୍ଡ । ସାମ୍ବାଦିକ ହେଲେ ଗିରଫ । ଏକା ସାଙ୍ଗରେ ୬ ଜଣ ସାମ୍ବାଦିକମାନଙ୍କୁ ଗିରଫ କରାଯାଇଛି । ଯେଉଁ ସାମ୍ବାଦିକ ଖବର ଦେଖାଇ ତାହା ପଛର ସତ ସମସ୍ତଙ୍କ ସାମ୍ନାକୁ ଆଣିଥାଏ, ଆଜି ସେହି ସାମ୍ବାଦିକ ନିଜେ ଖବର ପାଲଟିଯାଇଛି । ଇଜିପ୍ଟରୁ ସାମ୍ନାକୁ ଆସିଛି ଏଭଳି ଖବର । ମିଶର କର୍ତ୍ତୃପକ୍ଷ ସ୍ବତନ୍ତ୍ର ମିଡିଆ ସଂସ୍ଥା ‘ମତସାଦାଶ’ ର ପୂରା ଏଡିଟୋରିଆଲ ଟିମ୍ ର ୬ ଜଣ ସାମ୍ବାଦିକଙ୍କୁ ଗିରଫ କରିଛନ୍ତି । ପ୍ରତିବନ୍ଧିତ ମୁସଲିମ୍ ବ୍ରଦରହୁଡ ସହ ସମ୍ପର୍କ ଏବଂ ମିଥ୍ୟା ଖବର ପ୍ରସାରଣ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି । ହେଲେ ମିସ୍ର ବାହାରେ ଥିବା ‘ମତସାଦାଶ’ ର ସହ ପ୍ରତିଷ୍ଠାତା ଅବଦେଲରହମା ମନସୁର ଏହି ଦାବିଗୁଡିକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି । ଯାହାକୁ ନେଇ ଏବେ ମୁଣ୍ଡ ଟେକିଛି ବିବାଦ । ଏହି ଘଟଣା ଏବେ ଇଜିପ୍ଟ କର୍ତ୍ତୃପକ୍ଷଙ୍କର ବଢାଇଦେଇଛି ବିବାଦ । ୮୦ରୁ ଅଧିକ ଅର୍ନ୍ତଜାତୀୟ ଏବଂ ଆଞ୍ଚଳିକ ମାନବାଧିକାର ଏହି ସାମୁହିକ ଗିରଫଦାରୀକୁ ନିନ୍ଦା କରିବା ସହ ସାମ୍ବାଦିକମାନଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି । ସୂଚନା ଅନୁସାରେ ଏହି ଗଣମାଧ୍ୟମ ଅନୁଷ୍ଠାନଟି ୮ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । ଯାହା ଏକ ତଥ୍ୟ ଯାଞ୍ଚ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରୁଥିଲା । ଆଉ ବର୍ତ୍ତମାନ ଏହା ମିଶର ଏବଂ ଅନ୍ୟାନ୍ୟ ଆରବ ଦେଶରେ ଇନଭେଷ୍ଟିଭ ରିପୋର୍ଟିଂର କାର୍ଯ୍ୟ କରୁଥିଲା ।
ତେବେ ଏ ଘଟଣା କିଛି ନୂଆ ନୁହେଁ । ଏହା ପୂର୍ବରୁ ୨୦୨୩ ରେ ମଧ୍ୟ ଏହି ଆଉଟଲେଟର ଦୁଇ ସମ୍ପାଦକଙ୍କୁ ଗିରଫ କରାଯାଇଥିଲା । ହେଲେ ରାଜ୍ୟ ସୁରକ୍ଷା ତଦନ୍ତକାରୀଙ୍କୁ ମୁସଲିମ୍ ବ୍ରଦରହୁଡ୍ ସହିତ ସେମାନଙ୍କର ଲିଙ୍କ୍ ଥିବା ନେଇ କୌଣସି ପ୍ରମାଣ ନମିଳିବା ପରେ ସେମାନଙ୍କୁ ବିନା ଦୋଷରେ ମୁକ୍ତ କରାଯାଇଥିଲା । ଆମେରିକୀୟ ସଂସ୍ଥା କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟ ଅନୁଯାୟୀ, ମିଶର ହେଉଛି ସେହି ଦେଶମାନଙ୍କ ଭିତରୁ ଗୋଟିଏ, ଯେଉଁଠି ସବୁଠୁ ଅଧିକ ସଂଖ୍ୟକ ସାମ୍ବାଦିକଙ୍କୁ ଗିରଫ କରାଯାଇଛି । ଇଜିପ୍ଟିଆନ୍ ଇନିସିଏଟିଭ୍ ଫର ପର୍ସନାଲ୍ ରାଇଟ୍ସର ସୂଚନା ଅନୁସାରେ, ବର୍ତ୍ତମାନ ୨୬ ଜଣ ସାମ୍ବାଦିକଙ୍କୁ ଗିରଫ କରି ମିଶରରେ ଏକ ଅଜଣା ସ୍ଥାନରେ ରଖାଯାଇଛି । ଅନ୍ୟପଟେ ମିଶର ଗୃହ ମନ୍ତ୍ରଣାଳୟ କହିବା କଥା ଯେ, ‘ମତସାଦାଶ’ ଏକ ଅଣଲାଇସେନ୍ସପ୍ରାପ୍ତ ପେଜ୍ । ଯାହା ବିଦେଶରେ ରହୁଥିବା ପଳାତକ ମୁସଲିମ୍ ବ୍ରଦରହୁଡର ସଦସ୍ୟ ଦ୍ବାରା ପରିଚାଳିତ ହେଉଥିଲା । ଆଉ ଗିରଫ ହୋଇଥିବା ୬ ଜଣ ସାମ୍ବାଦିକ ବ୍ରଦରହୁଡର ମିଡିଆ କମିଟିର ସଦସ୍ୟ ଥିଲେ । ସେମାନେ ମନସୁର ପାଇଁ ମିଛ ଏବଂ ମନଗଢା ଖବର କରୁଥିଲେ । ଯାହାକୁ ପରେ ପ୍ରକାଶ କରାଯାଉଥିଲା । ତେବେ ସମସ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ହେଲେ ଅଭିଯୋଗର ସମ୍ପୂର୍ଣ୍ଣ ବିବରଣୀ ଏପର୍ଯ୍ୟନ୍ତ ଦିଆଯାଇ ନାହିଁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।