AI ନଉଛି IT ଚାକିରି: ୬ ବଡ଼ କମ୍ପାନୀ ଓ ବାର୍କଲେଜ୍ରେ ବଡ଼ ଛଟେଇ
ନନ୍ଦିଘୋଷ ବ୍ୟୁରୋ: ଭାରତର ବଡ଼ ୬ଟି ଆଇଟି ଏବଂ ଇଞ୍ଜିନିୟରିଂ କମ୍ପାନୀରେ ଗତ ଏକ ବର୍ଷ ମଧ୍ୟରେ ମୋଟ ୨୪,୪୨୨ କର୍ମଚାରୀ କମିଛନ୍ତି। ଷ୍ଟାଫିଂ ଫର୍ମ ‘ଏକ୍ସଫେନୋ’ ଅନୁସାରେ, ଏହି କମ୍ପାନୀଗୁଡ଼ିକରେ ପୁରୁଣା କର୍ମଚାରୀଙ୍କ ଚାକିରି ଛାଡ଼ିବାର ଗତି ନୂଆ ନିଯୁକ୍ତିଠାରୁ ଅଧିକ ରହିଛି। ଫଳରେ ମୋଟ କର୍ମଚାରୀ ସଂଖ୍ୟାରେ ଏକ ବଡ଼ ହ୍ରାସ ଦେଖାଯାଇଛି।
ଏହି ହ୍ରାସ ମୁଖ୍ୟତଃ ଟିସିଏସ୍, ଇନଫୋସିସ୍, ଏଚସିଏଲ୍ ଟେକ୍, ୱିପ୍ରୋ, ଟେକ୍ ମହିନ୍ଦ୍ରା ଏବଂ ଏଲଟିଆଇ ମାଇଣ୍ଡଟ୍ରିରେ ଦେଖିବାକୁ ମିଳିଛି। ଗତ ଏକ ବର୍ଷରେ ମଧ୍ୟରେ ଏହି କମ୍ପାନୀଗୁଡ଼ିକୁ ମୋଟ ୯୨ ହଜାର କର୍ମଚାରୀ ଛାଡ଼ିଛନ୍ତି। କିନ୍ତୁ ଖାଲି ପଦଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ପୂରଣ କରାଯାଇନଥିବାବେଳେ ମାତ୍ର ୬୮ ହଜାର ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହାର ପରିଣାମ ସ୍ୱରୂପ, ଅକ୍ଟୋବର ୨୦୨୫ରେ ଏହି କମ୍ପାନୀଗୁଡ଼ିକରେ ଥିବା ୮,୨୨,୧୪୪ କର୍ମଚାରୀଙ୍କ ତୁଳନାରେ ଅକ୍ଟୋବର ୨୦୨୬ ସୁଦ୍ଧା ମୋଟ କର୍ମଚାରୀ ସଂଖ୍ୟା ପ୍ରାୟ ୩ ପ୍ରତିଶତ କମି ୭,୯୭,୭୨୨କୁ ଖସିଛି ।
ବିଶେଷଜ୍ଞ ଅନୁସାରେ, ଚାକିରି କମିବା ପଛରେ ଦୁଇଟି ପ୍ରମୁଖ କାରଣ ରହିଛି। ପ୍ରଥମ କାରଣ ହେଉଛି AI। ବିଶେଷଜ୍ଞଙ୍କ କହିବା ଅନୁସାରେ, ଆପ୍ଲିକେସନ୍ ମେଣ୍ଟେନାନ୍ସ, ମାନୁଆଲ୍ ଟେଷ୍ଟିଂ ଏବଂ ଇନ୍ଫ୍ରାଷ୍ଟ୍ରକଚର୍ ସପୋର୍ଟ ଭଳି ପାରମ୍ପରିକ IT କାମକୁ ଏବେ AI ନିଜେ ସମ୍ଭାଳିବାରେ ସକ୍ଷମ ହେଉଛି। ଫଳରେ ଏପରି ଭୂମିକା ପାଇଁ ନୂଆ ନିଯୁକ୍ତି ବହୁତ କମ୍ ହେଉଛି।
ଦ୍ୱିତୀୟ କାରଣ ହେଉଛି ଦୁର୍ବଳ ବିଶ୍ୱ ଅର୍ଥନୈତିକ ବୃଦ୍ଧି। ଏପରି ପରିସ୍ଥିତିରେ କମ୍ପାନୀମାନେ ସେହି କର୍ମଚାରୀଙ୍କ ସଂଖ୍ୟା କମାଉଛନ୍ତି, ଯେଉଁମାନେ କୌଣସି ସକ୍ରିୟ କ୍ଲାଏଣ୍ଟ ପ୍ରୋଜେକ୍ଟରେ କାମ କରୁନାହାନ୍ତି। ଏହା କରିବା ଦ୍ୱାରା କମ୍ପାନୀର ଆୟ ଉପରେ ବଡ଼ ପ୍ରଭାବ ପଡ଼ୁନଥିବାବେଳେ କମ୍ପାନୀର ଖର୍ଚ୍ଚ କମୁଛି।
ଅନ୍ୟପଟେ, ବାର୍କଲେଜ୍ ବ୍ୟାଙ୍କ ନିଜର ଖର୍ଚ୍ଚ କମାଇବା ପାଇଁ ବିଶ୍ୱସ୍ତରରେ ପ୍ରାୟ ୫ ହଜାର ଚାକିରି କମାଇବାକୁ ଯାଉଛି। ବ୍ୟାଙ୍କର ତୃତୀୟ ତ୍ରୟମାସିକର ମିଶ୍ର ଫଳାଫଳ ଏବଂ ଟ୍ରେଡିଂ ରେଭେନ୍ୟୁରେ ହ୍ରାସ ପରେ ଖର୍ଚ୍ଚ କମାଇବା ପାଇଁ AI ଏବଂ ଅଟୋମେସନ୍ର ବ୍ୟବହାରକୁ ଦ୍ରୁତଗତିରେ ବଢ଼ାଇବାକୁ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ଏହି ଛଟେଇରେ ମୁଖ୍ୟତଃ ବ୍ୟାକ୍-ଅଫିସ୍, ସପୋର୍ଟ ଏବଂ ମିଡିଲ୍ ମ୍ୟାନେଜମେଣ୍ଟ ଭୂମିକାରେ କାମ କରୁଥିବା କର୍ମଚାରୀମାନେ ପ୍ରଭାବିତ ହେବେ। କମ୍ ଖର୍ଚ୍ଚରେ ରୁଟିନ୍ ଏବଂ ଡାଟା ସମ୍ପର୍କିତ କାମ ସମ୍ପନ୍ନ କରିବା ପାଇଁ ବ୍ୟାଙ୍କ ବଡ଼ ପରିମାଣରେ AI ଆଧାରିତ ପ୍ରଯୁକ୍ତିକୁ ଲାଗୁ କରୁଛି। ଏହି ଛଟେଇ ଫଳରେ ବାର୍କଲେଜ୍ର ବର୍ଷକୁ ପ୍ରାୟ ୧୨,୩୨୩ କୋଟି ଟଙ୍କା ବା ୧.୩ ବିଲିୟନ୍ ଡଲାର ସଞ୍ଚୟ ହେବ।
ଭାରତ ଉପରେ ସିଧାସଳଖ ପ୍ରଭାବ :
AI ଆଧାରିତ ଏହି ଛଟେଇର ପ୍ରଭାବ ଭାରତ ଉପରେ ସିଧାସଳଖ ପଡ଼ିପାରେ, କାରଣ ଭାରତ ହେଉଛି ବ୍ରିଟିଶ୍ ବ୍ୟାଙ୍କ ବାର୍କଲେଜ୍ର ଦ୍ୱିତୀୟ ସବୁଠାରୁ ବଡ଼ ବିଶ୍ୱସ୍ତରୀୟ କେନ୍ଦ୍ର। AI ଏବେ କୋଡ ଲେଖିବା ସହିତ ଅନେକ ପ୍ରାଥମିକ ଟେକ୍ନିକାଲ୍ କାମକୁ ଦ୍ରୁତଗତିରେ ସଫଳ କରୁଛି। ଏହି କାରଣରୁ ବ୍ୟାଙ୍କକୁ ପୂର୍ବପରି ଏତେ ସଂଖ୍ୟାରେ ଡେଭେଲପର୍ଙ୍କ ଆବଶ୍ୟକତା ରହୁନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।