Elena Rybakina Reaches World No.1: ବିଶ୍ୱ ଟେନିସ୍ର ଶିଖରରେ କେମିତି ପହଞ୍ଚିଲେ ଏଲେନା ରୀବାକିନା?
ବର୍ଷେ ପୂର୍ବର କଥା । ଏଲେନା ରୀବାକିନାଙ୍କ ପାଇଁ ଗ୍ରାଣ୍ଡ୍ସ୍ଲାମ୍ ଜିତିବା ସତେ ଯେମିତି ସ୍ୱପ୍ନ ହୋଇଯାଇଥିଲା । ସେ ମେଜର୍ ଟୁର୍ଣ୍ଣାମେଣ୍ଟରେ ଚତୁର୍ଥ ରାଉଣ୍ଡରୁ ଆଗକୁ ବଢ଼ିପାରୁ ନ ଥିଲେ ।
ସାଉଦୀ ଆରବର ରିଆଦଠାରେ ଆୟୋଜିତ ଡବ୍ଲ୍ୟୁଟିଏ ଫାଇନାଲ୍ସରେ ତାଙ୍କର ଅଂଶଗ୍ରହଣ ନେଇ ସନ୍ଦେହ ଥିଲା । ସେପ୍ଟେମ୍ବର ଓ ଅକ୍ଟୋବରରେ ତାଙ୍କୁ ଟୁର୍ଣ୍ଣାମେଣ୍ଟଗୁଡ଼ିକର ଏକ କଠିନ ଶୃଙ୍ଖଳା ଖେଳିବାକୁ ପଡ଼ିଥିଲା, ତା’ପରେ ଯାଇ ସେ ସିଜନ୍ ଶେଷବେଳକୁ ହେଉଥିବା ଚାମ୍ପିଅନ୍ସିପ୍ରେ ସ୍ଥାନ ପାଇପାରିଥିଲେ ।
ଏହାପରେ ରୀବାକିନାଙ୍କ ପାଇଁ ଶୁଭ ସମୟ ଆସିଥିଲା । ସେ ଚାମ୍ପିଅନ୍ସିପ୍ର ଫାଇନାଲ୍ରେ ତତ୍କାଳୀନ ନଂ.୧ ବେଲାରୁଷ୍ର ଆରୀନା ସବାଲେଙ୍କାଙ୍କୁ ନିଜର ଦମ୍ଦାର ସର୍ଭ, ଚମକପ୍ରଦ ଫୋର୍ହ୍ୟାଣ୍ଡ ଓ କ୍ଷିପ୍ର ବ୍ୟାକ୍ହ୍ୟାଣ୍ଡର ଦମ୍ରେ ପରାଜିତ କରିଥିଲେ । ସେ ଟ୍ରଫି ଓ ୫୦ ଲକ୍ଷ ଡଲାରରୁ ଅଧିକ ଅର୍ଥରାଶି ନେଇ ଫେରିଥିଲେ, ଯାହା ସେତେବେଳେ ମହିଳା ଟେନିସ୍ ଇତିହାସରେ ସବୁଠାରୁ ବଡ଼ ପୁରସ୍କାରରାଶି ଥିଲା ।
ଏକ ବର୍ଷରୁ କମ୍ ସମୟ ମଧ୍ୟରେ ସେ ସେପ୍ଟେମ୍ବର ୧୨ରେ ୟୁଏସ୍ ଓପନ୍ରେ ସେହି ସଫଳତାକୁ ଦୋହରାଇଛନ୍ତି । ସେ ପୁଣିଥରେ ସବାଲେଙ୍କାଙ୍କୁ ହରାଇଛନ୍ତି, ପୁଣିଥରେ ରେକର୍ଡ ଅର୍ଥରାଶି (୫୫ ଲକ୍ଷ ଡଲାର) ଜିତିଛନ୍ତି ।
ଏହାଛଡ଼ା, ଏକ ବଡ଼ ଗୌରବ ତାଙ୍କ କ୍ୟାରିଅର୍ ସହ ଯୋଡ଼ି ହୋଇଛି । ସବାଲେଙ୍କାଙ୍କୁ ପଛରେ ପକାଇ ସେ ବିଶ୍ୱ ମହିଳା ଟେନିସ୍ର ଏକକ ବର୍ଗରେ ଶୀର୍ଷ ମାନ୍ୟତା ହାସଲ କରିଛନ୍ତି ।
ରୁଷ୍ରେ ଜନ୍ମଗ୍ରହଣ କରିଥିବା ୨୭ବର୍ଷୀୟା ରୀବାକିନା ୨୦୧୮ରୁ କାଜାକସ୍ତାନରୁ ପ୍ରତିନିଧିତ୍ୱ କରିଆସୁଛନ୍ତି । ଖେଳ ସମୟରେ ଚାପର ବଶବର୍ତ୍ତୀ ନ ହୋଇ ନିଜ ପ୍ରଦର୍ଶନ ଉପରେ ଧ୍ୟାନକେନ୍ଦ୍ରିତ କରିବା ତାଙ୍କର ବଡ଼ ଗୁଣ । ନମ୍ରତା ଓ ଶାନ୍ତ ସ୍ୱଭାବ ପାଇଁ ସେ ବେଶ୍ ପରିଚିତ । ସେ ଅନାବଶ୍ୟକ ପ୍ରଚାର ଓ ବିବାଦରୁ ସବୁବେଳେ ଦୂରେଇ ରହନ୍ତି ।
ଆଘାତରୁ ପ୍ରତ୍ୟାବର୍ତ୍ତନ ଓ ୟୁଏସ୍ ଓପନ୍ ବିଜୟ
ତିନି ସପ୍ତାହ ପୂର୍ବରୁ ଶୀର୍ଷରେ ପହଞ୍ଚିବା ରୀବାକିନାଙ୍କୁ ଅସମ୍ଭବ ମନେ ହେଉଥିଲା । କାନାଡିଆନ୍ ଓପନ୍ ଫାଇନାଲ୍ରେ ଇଗା ସ୍ୱିଆତେକଙ୍କଠାରୁ ହାରିବା ପରେ ରୀବାକିନା ବାମଗୋଡ଼ରେ ଯନ୍ତ୍ରଣା ଯୋଗୁଁ ସେହି ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ସିନ୍ସିନାଟି ଓପନ୍ର କ୍ୱାର୍ଟର୍-ଫାଇନାଲ୍ରୁ ନାମ ପ୍ରତ୍ୟାହାର କରିନେଇଥିଲେ ।
ୟୁଏସ୍ ଓପନ୍ରେ ଖେଳିବା ତାଙ୍କ ପାଇଁ ଆହ୍ୱାନପୂର୍ଣ୍ଣ ଥିଲା । ସେ ସପ୍ତାହରୁ ଅଧିକ ସମୟ ଯାଏଁ ରାକେଟ୍ ଧରି ନ ଥିଲେ । ନ୍ୟୁୟର୍କରେ ସେ ପ୍ରଥମ ରାଉଣ୍ଡ ଜିତି କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ଆଉ ଅଟକି ନ ଥିଲେ ।
ରୀବାକିନା ସେମିଫାଇନାଲ୍ରେ ଚତୁର୍ଥ ସିଡ୍ ଆମେରିକୀୟ କୋକୋ ଗଫ୍ଙ୍କୁ ହରାଇଥିଲେ । ତେବେ ସବାଲେଙ୍କାଙ୍କ ବିପକ୍ଷ ଫାଇନାଲ୍ ମ୍ୟାଚ୍ ତାଙ୍କ ପାଇଁ କଠିନ ହୋଇଥିଲା, ଯାହା ଦୁଇ ଘଣ୍ଟା ୨୧ ମିନିଟ୍ ଧରି ଚାଲିଥିଲା ।
ରୀବାକିନା ପ୍ରଥମ ସେଟ୍ ହାତେଇଥିଲେ, କିନ୍ତୁ ବେଲାରୁଷୀୟ ଖେଳାଳି ଦ୍ୱିତୀୟ ସେଟ୍ ଜିତିବା ପରେ ମୁକାବିଲା ବରାବର ସ୍ଥିତିରେ ପହଞ୍ଚିଥିଲା । ତେବେ ନିର୍ଣ୍ଣାୟକ ସେଟ୍ରେ ରୀବାକିନାଙ୍କ ଚାଲେଞ୍ଜ୍ ଆଗରେ ସବାଲେଙ୍କା ଆତ୍ମସମର୍ପଣ କରିଥିଲେ ।
ରୁଷ୍ରେ ଜନ୍ମ, କାଜାକସ୍ତାନରୁ ପ୍ରତିନିଧିତ୍ୱ
ଯେତେବେଳେ ରୀବାକିନା ନିଜ କିଶୋରବସ୍ଥାର ଅନ୍ତିମ ପର୍ଯ୍ୟାୟରେ ଥିଲେ, ସେତେବେଳେ ରୁଷୀୟ ଟେନିସ୍ ମହାସଂଘ ତାଙ୍କଠାରୁ ପ୍ରାୟ ଆଶା ଛାଡ଼ି ଦେଇଥିଲା । ମହାସଂଘର ବିଚାରରେ ତାଙ୍କ ତୁଳନାରେ ଅନ୍ୟ ଯୁବ ଖେଳାଳି ନିବେଶ ଓ ପ୍ରଶିକ୍ଷଣ ପାଇଁ ଅଧିକ ଯୋଗ୍ୟ ଥିଲେ ।
ଏହାଛଡ଼ା, ରୀବାକିନାଙ୍କ ବାପା-ମାଆ ତାଙ୍କ ଟେନିସ୍ କ୍ୟାରିଅର୍ ପାଇଁ ଆବଶ୍ୟକ ପ୍ରଶିକ୍ଷଣ ଓ ଯାତ୍ରା ଖର୍ଚ୍ଚ ବହନ କରିବାରେ ଅସମର୍ଥ ଥିଲେ । ଇତିମଧ୍ୟରେ ସେ ବାଟ ଖୋଜି ବାହାର କଲେ । ସେତେବେଳେ କାଜାକସ୍ତାନର ବିତ୍ତଶାଳୀ ତଥା ଟେନିସ୍ର ସୌଖୀନ ବୁଲାଟ ଉତେମୁରାତୋଭ ଜାତୀୟ ବିକାଶ ବ୍ୟବସ୍ଥାକୁ ନୂତନ ଭାବେ ଛିଡ଼ା କରିବା ପାଇଁ ପର୍ଯ୍ୟାପ୍ତ ନିବେଶ କରୁଥିଲେ । ସେ ଟେନିସ୍ରେ ଏଭଳି ପ୍ରତିଭା ଖୋଜିବା ଆରମ୍ଭ କରିଥିଲେ, ଯେଉଁମାନେ ଅଧିକ ବିକଶିତ ଦେଶର ନିବାସୀ ଥିଲେ ଏବଂ ପ୍ରତିଯୋଗିତାରେ ଆଗକୁ ବଢ଼ୁଥିଲେ । ତାଙ୍କ ଆବିଷ୍କାର ମଧ୍ୟରୁ ରୀବାକିନା ଥିଲେ ଅନ୍ୟତମ ।
କାଜାକସ୍ତାନର ଟେନିସ୍ ମହାସଂଘ ରୀବାକିନାଙ୍କ ପ୍ରଶିକ୍ଷଣ ଓ ଯାତ୍ରାର ସମସ୍ତ ଖର୍ଚ୍ଚ ଉଠାଇଥିଲା, ଯାହା ରୁଷୀୟ ମହାସଂଘ ଓ ତାଙ୍କ ବାପା-ମାଆ ବହନ କରିପାରି ନ ଥିଲେ । ପ୍ରତିବଦଳରେ ରୀବାକିନା କାଜାକସ୍ତାନର ପ୍ରତିନିଧିତ୍ୱ କରିଥିଲେ । ସେ ଏଭଳି ଏକ ଦେଶର ଯୁବ ଖେଳାଳିଙ୍କ ପାଇଁ ଆଦର୍ଶ ହୋଇଥିଲେ, ଯେଉଁଠି ଟେନିସ୍ର ସଂସ୍କୃତି ଓ ସଫଳତାର ଇତିହାସ କିଛି ନ ଥିଲା କହିଲେ ଚଳେ ।
କାଜାକସ୍ତାନରୁ ପ୍ରତିନିଧିତ୍ୱ କରିବାର ଚାରି ବର୍ଷ ପରେ ସେ ୨୦୨୨ରେ ୱିମ୍ବଲଡନ୍ ଚାମ୍ପିଅନ୍ସିପ୍ ଜିତିଥିଲେ । ତାଙ୍କ ଉତ୍ଥାନର ଏହା ପ୍ରଥମ ଉଲ୍ଲେଖନୀୟ ଦୃଷ୍ଟାନ୍ତ ଥିଲା । ସେ ଏହାପରେ ୨୦୨୫ରେ ଡବ୍ଲ୍ୟୁଟିଏ ଫାଇନାଲ୍ସ ଏବଂ ୨୦୨୬ରେ ଅଷ୍ଟ୍ରେଲିଆନ୍ ଓପନ୍ ଓ ୟୁଏସ୍ ଓପନ୍ରେ ଚାମ୍ପିଅନ୍ ହୋଇଛନ୍ତି । କ୍ୟାରିଅର୍ ଗ୍ରାଣ୍ଡ୍ସ୍ଲାମ୍ଠାରୁ ସେ ମାତ୍ର ଗୋଟିଏ ମୁକୁଟ (ଫ୍ରେଞ୍ଚ୍ ଓପନ୍) ଦୂରରେ ଅଛନ୍ତି ।
ରୀବାକିନାଙ୍କ ସଫଳତା ପଛରେ ତାଙ୍କ କ୍ରୋଏସୀୟ କୋଚ୍ ଷ୍ଟିଫାନୋ ବୁକୋଭଙ୍କ ବଡ଼ ଭୂମିକା ରହିଛି । ସେ କ୍ୟାରିଅର୍ର ସମସ୍ତ ବଡ଼ ଟ୍ରଫି ବୁକୋଭଙ୍କ କାର୍ଯ୍ୟକାଳରେ ଜିତିବା ସହ ବିଶ୍ୱ ମାନ୍ୟତାର ଶୀର୍ଷରେ ପହଞ୍ଚିଛନ୍ତି ।
ଯେଉଁ ଦେଶରୁ ଆର୍ଥିକ ପ୍ରୋତ୍ସାହନ ପାଇ ରୀବାକିନା ଆଜି ଶିଖରରେ ପହଞ୍ଚିଛନ୍ତି, ସେ କେବଳ ସେହି ଦେଶର ସୁନାମ ବଢ଼ାଇ ଋଣ ପରିଶୋଧ କରି ନାହାନ୍ତି, ସେଠାକାର ଯୁବ ଓ ପ୍ରତିଭାଶାଳୀ ମହିଳା ଟେନିସ୍ ଖେଳାଳିଙ୍କ ଉତ୍ଥାନ ପାଇଁ ଆର୍ଥିକ ସହାୟତା ବି ଯୋଗାଇ ଦେଉଛନ୍ତି । ଏହା ତାଙ୍କ ତୁଙ୍ଗ ବ୍ୟକ୍ତିତ୍ୱର ଏକ ନିଦର୍ଶନ ମାତ୍ର ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।