Emotional Social Media Post Draws Attention: ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନିଧି ତିୱାରୀଙ୍କ ମୃତ୍ୟୁ, ତଦନ୍ତ କରୁଛି ପୋଲିସ

Sep 28, 2026 - 17:36
Emotional Social Media Post Draws Attention: ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନିଧି ତିୱାରୀଙ୍କ ମୃତ୍ୟୁ, ତଦନ୍ତ କରୁଛି ପୋଲିସ

ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନିଧି ତିୱାରୀଙ୍କ ମୃତ୍ୟୁ ଘଟଣାକୁ ନେଇ ମଧ୍ୟପ୍ରଦେଶର ସିଙ୍ଗରୌଲି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ୩୦ ବର୍ଷୀୟା ନିଧିଙ୍କୁ ଶନିବାର ସନ୍ଧ୍ୟାରେ ମୋରୱା ଅଞ୍ଚଳସ୍ଥିତ ତାଙ୍କ ଘରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଘଟଣାର ପରିସ୍ଥିତିକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। 

ପରିବାର ଲୋକେ ନିଧିଙ୍କୁ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିଧି ସିଙ୍ଗରୌଲିର ମୋରୱା ଥାନା ଅଞ୍ଚଳର ଭୁସା ମୋଡ୍‌ର ବାସିନ୍ଦା ଥିଲେ। ପରିବାରର ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ୮ଟା ସମୟରେ ଏହି ଘଟଣା ଘଟିଥିଲା। ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଥିଲା।

ନିଧିଙ୍କ ପରିବାର ଜଣେ ଯୁବକଙ୍କ ନାଁ ଉଲ୍ଲେଖ କରିଛନ୍ତି, ଯିଏ ଅନ୍ୟ ଏକ ରାଜ୍ୟରେ ରହୁଥିବା ଏବଂ ଘଟଣା ପୂର୍ବରୁ ନିଧିଙ୍କ ସହ ଶେଷଥର କଥା ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ଫୋନରେ ତାଙ୍କ ସହ ଯୁକ୍ତିତର୍କ ହୋଇଥିବା ଦାବି ମଧ୍ୟ ତଦନ୍ତର ପରିସରରେ ରହିଛି।

ପୋଲିସ ଅଧିକାରୀମାନେ ଘଟଣାର ବିଭିନ୍ନ ଦିଗ ଯାଞ୍ଚ କରୁଛନ୍ତି। ପରିବାର ପକ୍ଷରୁ କରାଯାଇଥିବା ଦାବି, ସମ୍ପୃକ୍ତ ଯୁବକଙ୍କ ପରିଚୟ ଏବଂ ଘଟଣାରେ ତାଙ୍କ ଭୂମିକା ସମ୍ପର୍କରେ ଯାଞ୍ଚ ଚାଲିଛି।
ସିଙ୍ଗରୌଲି ଏସ୍‌ପି ଶିୟାଜ୍ କେଏମ୍ କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି ଏବଂ ପରିବାର ପକ୍ଷରୁ କରାଯାଇଥିବା ଦାବିଗୁଡ଼ିକର ସତ୍ୟତା ଯାଞ୍ଚ କରାଯାଉଛି। ଏସ୍‌ପିଙ୍କ କହିବା ଅନୁସାରେ, ଅନ୍ୟ ଏକ ରାଜ୍ୟରେ ରହୁଥିବା ଜଣେ ଯୁବକଙ୍କ ନାଁ ପରିବାର ପକ୍ଷରୁ ଦିଆଯାଇଛି ଏବଂ ସେ ସମ୍ପର୍କିତ ଦାବିଗୁଡ଼ିକୁ ଯାଞ୍ଚ କରାଯାଉଛି।

ନିଧି ତିୱାରୀଙ୍କ ସୋସିଆଲ ମିଡିଆରେ ବହୁତ ଫଲୋୟର୍ ଥିଲେ। ଫେସବୁକ୍‌ରେ ତାଙ୍କର ପ୍ରାୟ ୯ ଲକ୍ଷ ଏବଂ ଇନଷ୍ଟାଗ୍ରାମରେ ପ୍ରାୟ ୭ ଲକ୍ଷ ଫଲୋଅର ଥିବା ଜଣାପଡ଼ିଛି। ତାଙ୍କ ମୃତ୍ୟୁ ପରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଏକ ଭାବପ୍ରବଣ ପୋଷ୍ଟ ମଧ୍ୟ ସେୟାର ହୋଇଥିବା ଖବର ମିଳିଛି।

ମୃତ୍ୟୁ ପୂର୍ବରୁ ନିଧିଙ୍କ ନାଁରେ ଏକ ସୋସିଆଲ ମିଡିଆ ଷ୍ଟାଟସ୍‌ ଲେଖାଯାଇଥିବା ଦାବି କରାଯାଉଛି। ଏହି ପୋଷ୍ଟରେ ଲେଖାଥିଲା— “ଏହି ଅଧୁରା ହୃଦୟକୁ କେହି ପୂରା କରିନଥିଲେ, ମୁଁ ନିଜେ ଏହାକୁ ପୂରା କରିଦେଲି। ସେଥିପାଇଁ କୁହାଯାଏ ନିଜକୁ ଭଲ ପାଅ, ଅନ୍ୟ କାହାକୁ ନୁହେଁ। ନିଜ ଭିତରେ ନିଜକୁ ଖୋଜ, ଶେଷରେ ଆଉ କେତେଦିନ ଅନ୍ୟମାନଙ୍କ ଭିତରେ ନିଜକୁ ଖୋଜିବ?”

ଏହି ଷ୍ଟାଟସ୍‌ର ପରିସ୍ଥିତି ଏବଂ ଘଟଣା ସହ ଏହାର କୌଣସି ସମ୍ପର୍କ ଅଛି କି ନାହିଁ, ସେନେଇ ମଧ୍ୟ ପୋଲିସ ଯାଞ୍ଚ କରୁଛି। ନିଧିଙ୍କ ମୃତ୍ୟୁର ପ୍ରକୃତ କାରଣ ଏବଂ ସମ୍ପୂର୍ଣ୍ଣ ପରିସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।