Fail Word Removed: ଏଣିକି ‘ଫେଲ୍’ ହେବେନି ପିଲା! ମାର୍କସିଟ୍‌ରେ ଲେଖାଯିବ ‘ଦକ୍ଷତା ପାଇଁ ଯୋଗ୍ୟ’

Aug 28, 2026 - 14:58
Fail Word Removed: ଏଣିକି ‘ଫେଲ୍’ ହେବେନି ପିଲା! ମାର୍କସିଟ୍‌ରେ ଲେଖାଯିବ ‘ଦକ୍ଷତା ପାଇଁ ଯୋଗ୍ୟ’

ପରୀକ୍ଷାରେ କମ୍ ନମ୍ବର ଆସିଲେ ବି ଭାଙ୍ଗିବନି ମନୋବଳ, ମାଟ୍ରିକ୍‌ ମାର୍କସିଟ୍‌ରେ ବଡ଼ ପରିବର୍ତ୍ତନ ଆଣିବାକୁ ବିହାର ସରକାରଙ୍କ ନିଷ୍ପତ୍ତି। ଏଣିକି ବିହାରରେ ପରୀକ୍ଷାରେ ବିଫଳ ହେଉଥିବା ଛାତ୍ରଛାତ୍ରୀଙ୍କ ମାର୍କସିଟ୍‌ରେ ଆଉ ‘ଫେଲ୍’ ଶବ୍ଦ ଦେଖିବାକୁ ମିଳିବ ନାହିଁ। ଏହା ବଦଳରେ ପ୍ରମାଣପତ୍ରରେ ‘ଦକ୍ଷତା ପାଇଁ ଯୋଗ୍ୟ’ ଶବ୍ଦ ବ୍ୟବହାର କରାଯିବ। ପିଲାଙ୍କ ମନୋବଳ ନଭାଙ୍ଗିବା ଏବଂ ଶିକ୍ଷାକ୍ଷେତ୍ରରେ ସକାରାତ୍ମକ ପରିବେଶ ତିଆରି କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଉଛି।

ମାର୍କସିଟ୍‌ରୁ ହଟିବ ‘ଫେଲ୍’

ବିହାରର ଶିକ୍ଷାମନ୍ତ୍ରୀ ମିଥିଲେଶ ତିୱାରୀ କହିଛନ୍ତି ଯେ ମାଟ୍ରିକ୍ ପରୀକ୍ଷାରେ ଆଶାନୁରୂପ ଫଳ ନକରିପାରିଥିବା ପିଲାଙ୍କ ପ୍ରମାଣପତ୍ରରେ ‘ଫେଲ୍’ ଭଳି ଶବ୍ଦ ବ୍ୟବହାର କରାଯିବ ନାହିଁ। ଏହା ବଦଳରେ ‘ଦକ୍ଷତା ପାଇଁ ଯୋଗ୍ୟ’ ଶବ୍ଦ ବ୍ୟବହାର କରାଯିବ। ଏଥିପାଇଁ ନିୟମରେ ଆବଶ୍ୟକ ସଂଶୋଧନ କରାଯିବ ଏବଂ ଖୁବଶୀଘ୍ର ବିହାର ବିଦ୍ୟାଳୟ ପରୀକ୍ଷା ସମିତିକୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯିବ।

‘କମ୍ ନମ୍ବର ମାନେ ପ୍ରତିଭା ଶେଷ ନୁହେଁ’

ଗୁରୁବାର ରାତିରେ ବିକାଶ ଭବନସ୍ଥିତ ମଦନ ମୋହନ ସଭାଗୃହରେ ହୋଇଥିବା ସମୀକ୍ଷା ବୈଠକରେ ଶିକ୍ଷାମନ୍ତ୍ରୀ ଏହି ଘୋଷଣା କରିଥିଲେ।
ସେ କହିଛନ୍ତି, କୌଣସି ପରୀକ୍ଷାରେ ଆଶାନୁରୂପ ନମ୍ବର ନଆସିବା ଦ୍ୱାରା ଜଣେ ପିଲାର ପ୍ରତିଭା ଶେଷ ହୋଇଯାଏ ନାହିଁ। ତେଣୁ ମାର୍କସିଟ୍‌ରେ ‘ଫେଲ୍’ ଭଳି ଶବ୍ଦ ଲେଖି ପିଲାଙ୍କ ମନୋବଳ ଭାଙ୍ଗିବାକୁ ସରକାର ଚାହୁଁନାହାନ୍ତି।

ପରୀକ୍ଷାର୍ଥୀଙ୍କ ପାଇଁ ଏକ ମାସ ସ୍ୱତନ୍ତ୍ର କ୍ଲାସ୍

ମାଟ୍ରିକ୍‌ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ମାସ ଧରି ସ୍ୱତନ୍ତ୍ର କ୍ଲାସ୍ ଚଳାଇବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଏହା ଦ୍ୱାରା ପିଲାମାନେ ପୁଣିଥରେ ଭଲ ପ୍ରସ୍ତୁତି ନେବାର ସୁଯୋଗ ପାଇବେ। ସେମାନଙ୍କୁ ପରୀକ୍ଷାରେ ସଫଳ କରିବା ଏହି ବ୍ୟବସ୍ଥାର ମୁଖ୍ୟ ଲକ୍ଷ୍ୟ।

ଗୁରୁ ଦିବସରେ, ଆରମ୍ଭ ହେବ ‘ଶିକ୍ଷକ ସହଯୋଗ ପୋର୍ଟାଲ’

ସେପ୍ଟେମ୍ବର ୫ରେ ଶ୍ରୀକୃଷ୍ଣ ମେମୋରିଆଲ ହଲ୍‌ରେ ଶିକ୍ଷକ ଦିବସ ସମାରୋହ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏହାର ଉଦ୍‌ଘାଟନ କରିବେ। ଏଥିରେ ଉଭୟ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ  ସମ୍ରାଟ ଚୌଧୁରୀ ‘ଶିକ୍ଷକ ସହଯୋଗ ପୋର୍ଟାଲ’ ର ଶୁଭାରମ୍ଭ କରିବେ। ପ୍ରତ୍ୟେକ ଜିଲ୍ଲାରୁ ଜଣେ ଲେଖାଏଁ ମନୋନୀତ ଶିକ୍ଷକଙ୍କୁ ରାଜ୍ୟ ପୁରସ୍କାରରେ ସମ୍ମାନିତ କରାଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।