Fake kidnapping case: ୩ ଲକ୍ଷ ହାରିବା ପରେ ମୁଣ୍ଡକୁ ଜୁଟିଲା ଭୟଙ୍କର ପ୍ଲାନ୍‌, AIରେ ଫଟୋ ବନାଇ ରଚିଲା ଅପହରଣ ନାଟକ

Aug 15, 2026 - 11:48
Fake kidnapping case: ୩ ଲକ୍ଷ ହାରିବା ପରେ ମୁଣ୍ଡକୁ ଜୁଟିଲା ଭୟଙ୍କର ପ୍ଲାନ୍‌, AIରେ ଫଟୋ ବନାଇ ରଚିଲା ଅପହରଣ ନାଟକ

ଅନଲାଇନ୍ ଗେମ୍‌ର ନିଶା ନାବାଳକଙ୍କୁ କେଉଁ ସ୍ତରକୁ ନେଇଯାଇପାରେ, ଉତ୍ତରପ୍ରଦେଶ ଗୋରଖପୁରର ଏହି ଘଟଣା ତାହାର ଏକ ବଡ଼ ଉଦାହରଣ। ଜଣେ ୧୬ ବର୍ଷୀୟ ଯୁକ୍ତ ଦୁଇ ଛାତ୍ର ଅନଲାଇନ୍ ଗେମ୍‌ରେ ପ୍ରାୟ ୩ ଲକ୍ଷ ଟଙ୍କା ହରାଇବା ପରେ ନିଜ ଅପହରଣର ମିଛ ନାଟକ ରଚିଥିବା ଅଭିଯୋଗ ହୋଇଛି। କଥାଟି ଆହୁରି ଆଶ୍ଚର୍ଯ୍ୟଜନକ।

ନିଜ ଅପହରଣକୁ ସତ ପ୍ରମାଣ କରିବା ପାଇଁ ସେ AIରେ କଲା ନକଲି ଫଟୋ। ମୁହଁରେ ଲାଗିଥିଲା ରକ୍ତର ଛିଟା ଆଉ ପାଟିରେ ବନ୍ଧା ଯାଇଥିଲା ଟେପ୍। ଏହି ସାଂଘାତିକ ପ୍ଲାନରେ ମଧ୍ୟ ସାମିଲ୍ ଥିଲେ ଜଣେ ଯୁବତୀ। ନାବାଳକ ଜଣକ ଏହି ଫଟୋକୁ ବାପାଙ୍କ WhatsAppକୁ ପଠାଇବା ସହ ୧ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲା। ଟଙ୍କା ନଦେଲେ ପୁଅକୁ ମାରି ଦିଆଯିବ ବୋଲି ମଧ୍ୟ ଧମକ ଦିଆଯାଇଥିଲା। ବାପା, ଟଙ୍କା ଯୋଗାଡ଼ କରିପାରିବେ ନାହିଁ କହିବାରୁ, ଦାବି ବଦଳିଗଲା ଆଉ ୨ ଲକ୍ଷ ଟଙ୍କା ନଗଦ ଆଣିବାକୁ କୁହାଗଲା। ଭୟଭୀତ ବାପା ତୁରନ୍ତ ପୋଲିସକୁ ଖବର ଦେବା ପରେ ଆରମ୍ଭ ହୋଇଥିଲା ଛାନଭିନ୍।

ପୋଲିସ ତଦନ୍ତରୁ ଜଣାପଡ଼ିଥିଲା ଯେ, ଅନଲାଇନ୍ ଗେମ୍ ଖେଳିବା ପାଇଁ ନାବାଳକ ଜଣକ ସାଙ୍ଗସାଥୀ ଓ ଅନ୍ୟମାନଙ୍କଠାରୁ ଟଙ୍କା ଧାର କରିଥିଲା। ଧାର ଟଙ୍କା ଫେରାଇବା ପାଇଁ ଚାପ ବଢ଼ିବା ପରେ ସେ ପରିବାରଠାରୁ ଟଙ୍କା ନେବାକୁ ରଚିଥିଲା ନିଜ ଅପହରଣର ଏହି ସାଂଘାତିକ ନାଟକ। ମଙ୍ଗଳବାର ସନ୍ଧ୍ୟାରେ ସେ ସିକ୍ରିଗଞ୍ଜ ଯାଉଛି ବୋଲି କହି ଘରୁ ବାହାରିଥିଲା।

ନିଜ ଫୋନକୁ ଫ୍ଲାଇଟ୍ ମୋଡ୍‌ରେ ରଖିବା ପରେ ଜଣେ ସାଙ୍ଗର Wi-Fi ସହ ଫୋନକୁ ଯୋଡ଼ି ରାନସମ୍ ମେସେଜ୍ ପଠାଇଥିଲା। ପୋଲିସ ମୋବାଇଲ୍ ନମ୍ବରକୁ ଟ୍ରାକ୍ କରିବା ପରେ ଲୋକେସନ୍ ସିକ୍ରିଗଞ୍ଜରେ ଥିବା ଜଣାପଡ଼ିଥିଲା।

ତେବେ ଏହି ଘଟଣା କେବଳ ଏକ ନାବାଳକର ମିଛ ଅପହରଣର କାହାଣୀ ନୁହେଁ, ଅଭିଭାବକ ଓ ଯୁବପିଢ଼ି ପାଇଁ ଏକ ବଡ଼ ଚେତାବନୀ । ତେଣୁ ପିଲାମାନେ ମୋବାଇଲ୍‌ରେ କ’ଣ କରୁଛନ୍ତି, କେଉଁ ଗେମ୍ ଖେଳୁଛନ୍ତି ଓ କାହା ସହ ଯୋଗାଯୋଗ କରୁଛନ୍ତି, ସେନେଇ ଅଭିଭାବକମାନେ ସତର୍କ ରହିବା ଜରୁରୀ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।