Woman found dead in farmhouse pond: ପୋଖରୀରୁ ମିଳିଲା ମହିଳାଙ୍କ ମୃତଦେହ, ଯୌତୁକ ଓ ପାରିବାରିକ କଳହରୁ ହତ୍ୟା ଅଭିଯୋଗ
ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବେଲଦ୍ୱାର ଗାଁରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ଫାର୍ମ ହାଉସ୍ର ପୋଖରୀରୁ ମିଳିଛି ମହିଳାଙ୍କ ମୃତଦେହ। ମୃତକ ଜଣଙ୍କ ହେଉଛନ୍ତି ଶରଣକୂଳ ଅଞ୍ଚଳର ତପସ୍ୱିନୀ ସାହୁ। ୨୦୨୦ ମସିହାରେ ନୟାଗଡ଼ ଢେଙ୍କେଣା ଗାଁର ବକ୍ସିଧର ପ୍ରଧାନଙ୍କୁ ବିବାହ କରିଥିଲେ ତପସ୍ୱିନୀ। ଗତ କିଛି ମାସ ହେବ ଉଭୟେ ବେଲଦ୍ୱାରସ୍ଥିତ ଏକ ଫାର୍ମ ହାଉସ୍ରେ ରହୁଥିଲେ।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ବିଳମ୍ବିତ ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହାପରେ ତପସ୍ୱିନୀଙ୍କ ମୃତଦେହ ଫାର୍ମ ହାଉସ୍ ପରିସରର ପୋଖରୀରେ ମିଳିଥିଲା। ଘଟଣା ପରେ, ତପସ୍ୱିନୀ ପୋଖରୀରେ ବୁଡ଼ିଯାଇଥିବା କହି ସ୍ୱାମୀ ପୋଲିସ ଓ ପରିବାର ଲୋକଙ୍କୁ ଫୋନ୍ କରିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀରୁ ମୃତଦେହ ଉଦ୍ଧାର କରିଥିଲା।
ତେବେ ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ବାପଘର ଲୋକଙ୍କ ଅଭିଯୋଗ, ଯୌତୁକ ଓ ପାରିବାରିକ କଳହକୁ ନେଇ ତପସ୍ୱିନୀଙ୍କୁ ହତ୍ୟା କରାଯାଇଛି। ମାରି ମୃତଦେହକୁ ପୋଖରୀରେ ପକାଇଦେଇ ବୁଡ଼ିଯାଇଥିବାର ରୂପ ଦିଆଯାଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ପରିବାର ଲୋକେ।
ଘଟଣା ପରଠାରୁ ତପସ୍ୱିନୀଙ୍କ ସ୍ୱାମୀ ବକ୍ସିଧର ଫେରାର ଥିବା ଜଣାପଡ଼ିଛି। ଏବେ ପୋଲିସ ତଦନ୍ତ କରୁଛି ତପସ୍ୱିନୀଙ୍କ ମୃତ୍ୟୁ ପ୍ରକୃତରେ ପୋଖରୀରେ ବୁଡ଼ି ହୋଇଛି, ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି? ମୃତ୍ୟୁର ପ୍ରକୃତ କାରଣ ପୋଲିସ ତଦନ୍ତ ଓ ମେଡିକାଲ୍ ରିପୋର୍ଟ ପରେ ହିଁ ସ୍ପଷ୍ଟ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।