Farmer Forgets Buried Cash, Termites Strike: ମାଟି ତଳେ ରଖିଥିଲେ ଲକ୍ଷ ଲକ୍ଷ ଟଙ୍କା, ମନେ ପଡ଼ିବା ବେଳକୁ ସର୍ବନାଶ

Aug 10, 2026 - 14:46
Farmer Forgets Buried Cash, Termites Strike: ମାଟି ତଳେ ରଖିଥିଲେ ଲକ୍ଷ ଲକ୍ଷ ଟଙ୍କା, ମନେ ପଡ଼ିବା ବେଳକୁ ସର୍ବନାଶ

ଚୋରି ହୋଇଯିବାର ଭୟ। ଖର୍ଚ୍ଚ କରିଦେବାର ଆଶଙ୍କା... ଏ ସବୁ ଭିତରେ ଟଙ୍କାକୁ ସଞ୍ଚୟ କରି ରଖିବା ପାଇଁ ମାଟି ତଳେ ନେଇଥିଲେ ସାହାରା। ମାଟି ତଳେ ଜୀବନଯାକର ପୁଞ୍ଜି ସଞ୍ଚୟ କରି ରଖିଥିଲେ। ଭାବିଥିଲେ, ଆବଶ୍ୟକ ହେଲେ ସେହି ଟଙ୍କାକୁ ହିଁ କାମରେ ଲଗାଇବେ। ହେଲେ, ଭୁଲାପଣ ଯୋଗୁଁ ତାଙ୍କୁ ଯେ ଲକ୍ଷ ଲକ୍ଷ ଟଙ୍କା ହରାଇବାକୁ ପଡ଼ିବ ସେ କେବେ ଭାବିନଥିଲେ।

ମଙ୍ଗିଲାଲ ମେଘୱାଲ ଜଣେ ସାଧାରଣ ଚାଷୀ। ସେ ଅନାବଶ୍ୟକ ଖର୍ଚ୍ଚ ଓ ଚୋରି ହୋଇଯିବାର ଭୟ ଥିବାରୁ ୫ ଲକ୍ଷ ଟଙ୍କା ସଞ୍ଚୟ କରି ଚାଷ ଜମିର ମାଟି ତଳେ ପୋତି ଦେଇଥିଲେ। କିନ୍ତୁ ଯେତେବେଳେ ବର୍ଷେ ପରେ ମାଟି ଖୋଳିଲେ, ସେହି ଟଙ୍କା ସବୁକୁ ଉଇ ଖାଇ ନଷ୍ଟ କରିଦେଇଛି। ୫୦୦ ଟଙ୍କିଆ ନୋଟ୍ ସବୁକୁ ଉଇ ଖାଇ ଦେଇ ଖାଲି କାଗଜ ଖଣ୍ଡରେ ପରିଣତ କରିଦେଇଛି। ଏଭଳି ଘଟଣା ଘଟିଛି ରାଜସ୍ଥାନର ବଲୋତ୍ରା ଜିଲ୍ଲାର ନେଭାଇ ଗାଁରେ। 

ମଙ୍ଗିଲାଲ ପ୍ରାୟ ବର୍ଷେ ପୂର୍ବରୁ ପାଚପଦ୍ରାରେ ଥିବା ଏକ ଜମି ବିକ୍ରି କରିଥିଲେ। ସେଥିରୁ ତାଙ୍କୁ ୫ ଲକ୍ଷ ଟଙ୍କା ମିଳିଥିଲା। ମଙ୍ଗିଲାଲ ୬ ଏକର ଜମିରେ ଏକ ଅସ୍ଥାୟୀ ଘରେ ସେ ତାଙ୍କ ପରିବାର ସହିତ ରୁହନ୍ତି। ତେଣୁ ସେ ଭାବିଥିଲେ ସେହି ଟଙ୍କାରେ ଏକ ଭଲ କୋଠା ଘର ତିଆରି କରିବେ। ତେଣୁ ସେ ଅନାବଶ୍ୟକ ଖର୍ଚ୍ଚ ଓ ଚୋରି ହୋଇଯିବାରୁ ରକ୍ଷା କରିବା ପାଇଁ ସେହି ଟଙ୍କାକୁ ଏକ ପଲିଥିନ ବ୍ୟାଗରେ ପୂରାଇ ଚାଷ ଜମିରେ ନେଇ ପୋତି ଦେଇଥିଲେ। କିନ୍ତୁ ମଙ୍ଗିଲାଲ ଅତ୍ୟଧିକ ମଦ୍ୟପାନ କରୁଥିବାରୁ ଓ ଭୁଲାପଣ ଥିବାରୁ ସେ କେଉଁଠି ଟଙ୍କା ରଖିଥିଲେ, ତାହା ଭୁଲି ଯାଇଥିଲେ। 

ଯେତେବେଳେ ମଙ୍ଗିଲାଲଙ୍କୁ ସେହି ଟଙ୍କାର ଆବଶ୍ୟକତା ପଡ଼ିଲା, ସେତେବେଳେ ସେ ବହୁତ ଖୋଜାଖୋଜି କରିଥିଲେ। କିନ୍ତୁ ଟଙ୍କାକୁ ପାଇନଥିଲେ। ଯାହାପରେ ସେ ତାଙ୍କ ପତ୍ନୀ ଓ ପୁଅମାନଙ୍କୁ ସେହି ଟଙ୍କା ବିଷୟରେ କହିଥିଲେ। ପୂରା ପରିବାର ସେହି ଟଙ୍କାକୁ ଖୋଜିବାକୁ ଲାଗିପଡ଼ିଲେ। ଜମିର ବିଭିନ୍ନ ସ୍ଥାନରେ ଖୋଲି ଖୋଜାଖୋଜି କଲେ, କିନ୍ତୁ ପାଇଲେନି। 

ଦିନେ ରାତିରେ ସେହି ଟଙ୍କା ଭର୍ତ୍ତି ପଲିଥିନ ଦେଖାଗଲା। କିନ୍ତୁ ଅନ୍ଧାର ହୋଇଥିବାରୁ ଅଣଦେଖା କରିଥିଲେ ମଙ୍ଗିଲାଲଙ୍କ ପରିବାର। ଏହା ପର ଦିନ ସକାଳେ ମଙ୍ଗିଲାଲଙ୍କ ପତ୍ନୀ ଓ ତାଙ୍କ ପୁଅ କ୍ଷେତ କାମ କରୁଥିବା ବେଳେ ପଲିଥିନ ବ୍ୟାଗ ଓ ସେଥିରେ ଟଙ୍କା ଥିବା ଦେଖିଥିଲେ। ଏହା ପରେ ସେ ଯାହା ଦେଖିଲେ, ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ସେହି ବ୍ୟାଗ୍ ଭିତରେ ବହୁତ ଗୁଡିଏ ୫୦୦ ଟଙ୍କିଆ ନୋଟ ଥିଲା, ହେଲେ ତାକୁ ଉଇ ଖାଇ ଦେଇଥିଲା।

ଏହି ଟଙ୍କାକୁ ଫେରି ପାଇବା ଆଶାରେ ପରିବାର ସେହି ଖଣ୍ଡିଆ ନୋଟଗୁଡ଼ିକ ଧରି ବ୍ୟାଙ୍କୁ ଯାଇଥିଲେ। ହେଲେ ସେହି ଟଙ୍କା ଆଉ ପୁନଃ ପାଇବା ଯୋଗ୍ୟ ନଥିଲା। ବ୍ୟାଙ୍କୁ ଦୌଡି ଦୌଡି ନୟାନ୍ତ ହେଲେ ବି ତାହା ତାଙ୍କୁ ମିଳିନଥିଲା। ଏହି କ୍ଷତି ମଙ୍ଗିଲାଲଙ୍କ ପରିବାର ପାଇଁ କେବଳ ଦୁଃଖ ଆଣିନଥିଲା, ବରଂ ନିମିଷକେ ଛାରଖାର ହୋଇଯାଇଥିଲା ସବୁ ସ୍ୱପ୍ନ ଓ ଆଶା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।