Father-Son Funeral Together: ମଶାଣିରେ ଏକାଠି ଜଳିଲା ବାପ-ପୁଅଙ୍କ ଜୁଇ; ଗୋଟିଏ ଦୁର୍ଘଟଣାରେ ଉଜୁଡ଼ିଗଲା ପରିବାର

Nov 02, 2026 - 13:57
Father-Son Funeral Together:  ମଶାଣିରେ ଏକାଠି ଜଳିଲା ବାପ-ପୁଅଙ୍କ ଜୁଇ; ଗୋଟିଏ ଦୁର୍ଘଟଣାରେ ଉଜୁଡ଼ିଗଲା ପରିବାର

ମଶାଣି ମାଟିରେ ପାଖାପାଖି ସଜାଯାଇଥିଲା ଦୁଇଟି ଜୁଇ।

ଗୋଟିଏରେ ବାପା, ଅନ୍ୟଟିରେ ପୁଅ।

'ରାମ ନାମ ସତ୍ୟ ହେ' ଧ୍ୱନି ମଧ୍ୟରେ ଏକାଠି ଶେଷ ବିଦାୟ ନେଲେ ଗୋଟିଏ ପରିବାରର ଦୁଇ ସଦସ୍ୟ।

କିଛି ସମୟ ପୂର୍ବରୁ ଯେଉଁ ପରିବାର ଦୁଇଜଣଙ୍କ ଉପରେ ଭରସା କରି ଆଗକୁ ବଢ଼ୁଥିଲା, ସେହି ପରିବାର ଏବେ ଦୁଇଟି ଶବ ସାମ୍ନାରେ ଠିଆହୋଇ ଭବିଷ୍ୟତକୁ ନେଇ ଅନିଶ୍ଚିତତାରେ।

Advertisment ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଗାଁର ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ବିପଜ୍ଜନକ ବିଦ୍ୟୁତ୍ ସଂଯୋଗ ଯୋଗୁଁ ବାପା ରବୀନ୍ଦ୍ର ଓ ତାଙ୍କ ପୁଅଙ୍କ ଅକାଳ ମୃତ୍ୟୁ ହୋଇଥିବା ଅଭିଯୋଗ ରହିଛି।

ଘରର ମୁରବୀ ଓ ବଡ଼ ପୁଅଙ୍କୁ ଏକାଥରେ ହରାଇ ପରିବାର ଅସହାୟ ହୋଇପଡ଼ିଛି।

ମଶାଣିର ଦୃଶ୍ୟ ଥିଲା ହୃଦୟବିଦାରକ।

ବାପା ଓ ଭାଇଙ୍କ ମୃତଦେହ ଦେଖି ସାନ ପୁଅ ଚେତା ହରାଇ ପଡ଼ୁଥିବା ବେଳେ, ସ୍ତ୍ରୀ ଓ ଝିଅ ମୁଣ୍ଡ ପିଟି କାନ୍ଦୁଥିଲେ।

ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଆଖିର ଲୁହ ରୋକିପାରୁନଥିଲେ।

ପୂରା ଗାଁରେ ଛାଇଯାଇଥିଲା ଗଭୀର ଶୋକ।

Advertisment ମୃତ ପୁଅ ବାପାଙ୍କ ସହ କାନ୍ଧକୁ କାନ୍ଧ ମିଶାଇ ଚାଷକାମ କରୁଥିଲେ।

ବିଲରେ ପରିଶ୍ରମ କରି ପରିବାରର ଗୁଜୁରାଣ ମେଣ୍ଟାଇବାରେ ସେ ବାପାଙ୍କ ମୁଖ୍ୟ ସହାୟକ ଥିଲେ।

ଘରର ଚାଷବାସ, ଦୈନନ୍ଦିନ ଦାୟିତ୍ୱ ଓ ପରିବାରର ଭବିଷ୍ୟତ ଏହି ଦୁଇଜଣଙ୍କ ଉପରେ ଅନେକ ଅଂଶରେ ନିର୍ଭର କରୁଥିଲା।

କିନ୍ତୁ ଏକ ଦୁର୍ଘଟଣା ସବୁକିଛି ବଦଳାଇଦେଲା।

ପରିବାର ସଦସ୍ୟଙ୍କ କହିବା କଥା, ଯେଉଁ ବିଦ୍ୟୁତ୍ ସଂଯୋଗ ଯୋଗୁଁ ଏହି ଅଘଟଣ ଘଟିଲା, ତାହା କିପରି ଏବଂ କିଏ ଲଗାଇଥିଲା ତାହାର ତଦନ୍ତ ହେବା ଦରକାର।

ମୃତକ ରବୀନ୍ଦ୍ରଙ୍କ ସ୍ତ୍ରୀ ସଂଯୁକ୍ତା ଗୁରୁଙ୍କ କାନ୍ଦଣା ହିଁ କହିଦେଉଛି ପରିବାରଟି କେତେ ବଡ଼ ଆଘାତ ଦେଇ ଯାଉଛି।

ସେପଟେ ମୃତ ପବିତ୍ରଙ୍କ ଭଉଣୀ ଝୁନୁବାଳା ମଧ୍ୟ ଘଟଣାକୁ ନେଇ ଭାଙ୍ଗିପଡ଼ିଛନ୍ତି।

ମୃତ ରବୀନ୍ଦ୍ରଙ୍କ ଭାଇ ପ୍ରଦୀପ ଗୁରୁ ଓ ଗ୍ରାମବାସୀମାନେ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

କିଏ ବିଦ୍ୟୁତ୍ ତାର ଲଗାଇଥିଲା, କାହାର ଅବହେଳାରୁ ଦୁଇ ଦୁଇଟି ଜୀବନ ଅକାଳରେ ଚାଲିଗଲା ଓ ଏଥିପାଇଁ କିଏ ଦାୟୀ—ଏସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ସେମାନେ ଦାବି କରିଛନ୍ତି।

ସେହିପରି ଘରର ଦୁଇ ଉପାର୍ଜନକ୍ଷମ ସଦସ୍ୟଙ୍କୁ ହରାଇଥିବା ପରିବାରକୁ ତୁରନ୍ତ ସରକାରୀ ସହାୟତା ଓ କ୍ଷତିପୂରଣ ଯୋଗାଇଦେବାକୁ ମଧ୍ୟ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।

ବାପ-ପୁଅଙ୍କ ଅକାଳ ବିୟୋଗରେ କେବଳ ଗୋଟିଏ ପରିବାର ନୁହେଁ, ପୂରା ହରିପୁର ଗାଁ ଶୋକାକୁଳ।

ଦୁଇଟି ଜୁଇ ନିଭିଯାଇଛି, ହେଲେ ପରିବାର ଆଖିର ଲୁହ ଏଯାଏଁ ଶୁଖିନି।

ଏବେ ସମସ୍ତଙ୍କ ନଜର ଘଟଣାର ତଦନ୍ତ ଓ ଅସହାୟ ପରିବାରକୁ ମିଳିବାକୁ ଥିବା ସହାୟତା ଉପରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।