Sarees At Rs 200, Shoes At Rs 100: ବାତ୍ୟା ପରେ ଆସ୍କା ବଜାରରେ ଶାଗମାଛ ଦର; ୨୦୦ରେ ଶାଢ଼ି, ୧୦୦ରେ ପ୍ୟାଣ୍ଟ-ଜୋତା
କଦଳୀ କାନ୍ଧୀ ୫୦ ଟଙ୍କା, ନଡ଼ିଆ ଗୋଟାକୁ ୫ ଟଙ୍କା, ପଇଡ଼ ମାତ୍ର ୧୫ ଟଙ୍କା।
କେବଳ ପରିବା କିମ୍ବା ଫଳ ବଜାର ନୁହେଁ, କପଡ଼ା ବଜାରରେ ମଧ୍ୟ ଏବେ ଚାଲିଛି ଏହିପରି ଶାଗମାଛ ଦର।
ଭଲ ଶାଢ଼ିଟିଏ ୨୦୦ ଟଙ୍କାରେ ମିଳୁଥିବା ବେଳେ ପ୍ୟାଣ୍ଟ ୧୦୦ ଟଙ୍କା, ଜୋତା ୧୦୦ ଟଙ୍କା ଓ ଚପଲ ମଧ୍ୟ ୧୦୦ ଟଙ୍କାରେ ବିକ୍ରି ହେଉଛି।
Advertisment ଏପରି ଅସାମାନ୍ୟ ଦର ଦେଖି ଗଞ୍ଜାମ ଜିଲ୍ଲାର ଆସ୍କା ବିନାୟକ ବଜାରରେ ଗ୍ରାହକଙ୍କ ଭିଡ଼ ଜମିଛି।
ବଜାରରେ ପାଦ ପକାଇବାକୁ ମଧ୍ୟ ଜାଗା ନଥିବା ପରି ସ୍ଥିତି।
କେହି କପଡ଼ା କିଣୁଛନ୍ତି, ତ କେହି ଜୋତା-ଚପଲ।
ଆଉ କେହି ଘର ପାଇଁ ଆବଶ୍ୟକ ସାମଗ୍ରୀ ଯେତେ ସମ୍ଭବ କମ୍ ଦରରେ କିଣିନେଉଛନ୍ତି।
ତେବେ ଏହି ଶସ୍ତା ବିକ୍ରି ପଛରେ ରହିଛି ବାତ୍ୟା 'ଅର୍ଣ୍ଣବ'ର ଭୟାବହ ପ୍ରଭାବ।
ବାତ୍ୟା ପରେ ଗଞ୍ଜାମରେ ଆସିଥିବା ବନ୍ୟା ଅନେକଙ୍କ ଘରଦ୍ୱାର ଭାଙ୍ଗି ଦେଇଛି।
ଅନେକ ପରିବାରର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବନ୍ୟା ପାଣିରେ ନଷ୍ଟ ହୋଇଯାଇଛି।
ଫଳରେ ଲୋକେ ଏବେ ଆବଶ୍ୟକ ସାମଗ୍ରୀ କିଣିବାକୁ ବଜାରକୁ ଭିଡ଼ କରୁଛନ୍ତି।
Advertisment ଅନ୍ୟପଟେ ବ୍ୟବସାୟୀଙ୍କ ଅବସ୍ଥା ମଧ୍ୟ କମ୍ ଦୟନୀୟ ନୁହେଁ।
ବନ୍ୟା ଓ ଆର୍ଦ୍ରତାରେ ମାଲ ନଷ୍ଟ ହୋଇଯିବା ଆଶଙ୍କାରେ ସେମାନେ ଲାଭ ଭୁଲି କ୍ଷତି ସହି ସାମଗ୍ରୀ ବିକ୍ରି କରୁଛନ୍ତି।
ଅନେକ ଦୋକାନୀଙ୍କ କହିବା କଥା, ମାଲ ରଖିଲେ ସମ୍ପୂର୍ଣ୍ଣ ନଷ୍ଟ ହେବାର ଭୟ ରହିଛି।
ତେଣୁ ଯେତେ ଦାମ ମିଳୁଛି, ସେତେରେ ମାଲ ଛାଡ଼ିଦେବାକୁ ବାଧ୍ୟ ହେଉଛନ୍ତି।
ଫଳରେ ଗଞ୍ଜାମର ପ୍ରମୁଖ ବ୍ୟବସାୟିକ ପେଣ୍ଠ ଆସ୍କା ବଜାରରେ ଏବେ ଏକ ଅଜବ ଚିତ୍ର।
ଗ୍ରାହକଙ୍କ ପାଇଁ ସସ୍ତା ଦରରେ ସାମଗ୍ରୀ କିଣିବାର ସୁଯୋଗ ହେଉଥିବା ବେଳେ, ବ୍ୟବସାୟୀଙ୍କ ପାଇଁ ଏହା ହୋଇଛି କ୍ଷତି ଭିତରେ ମାଲ ବଞ୍ଚାଇବାର ଶେଷ ଚେଷ୍ଟା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।