Fire safety certificate: ଡପ୍‌ଲର ରାଡାର୍‌ ଷ୍ଟେସନ୍‌ର ନାହିଁ ଅଗ୍ନିସୁରକ୍ଷା ପ୍ରମାଣପତ୍ର: ଆବେଦନ ବି କରିନି ପ୍ରଶାସନ

Sep 18, 2026 - 04:45
Fire safety certificate: ଡପ୍‌ଲର ରାଡାର୍‌ ଷ୍ଟେସନ୍‌ର ନାହିଁ ଅଗ୍ନିସୁରକ୍ଷା ପ୍ରମାଣପତ୍ର: ଆବେଦନ ବି କରିନି ପ୍ରଶାସନ

"ସମ୍ବଲପୁର: ସମ୍ବଲପୁରର ଜମାଦାରପାଲିଠାରେ ରାଜ୍ୟର ତୃତୀୟ ଡପ୍‌ଲର ରାଡାର୍‌ ଷ୍ଟେସନ୍‌କୁ ବୁଧବାର ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି।

କିନ୍ତୁ ସୁରକ୍ଷିତ ନୁହେଁ ଏହି ରାଡାର୍‌ ଷ୍ଟେସନ୍‌ର ୫ ମହଲା କୋଠା।

କାରଣ ଏହି ଷ୍ଟେସନ୍‌ର ଅଗ୍ନିନିର୍ବାପକ ସୁରକ୍ଷା ପ୍ରମାଣପତ୍ର ସମେତ କୌଣସି ଜରୁରି କାଗଜପତ୍ର ନାହିଁ।

ଆଶ୍ଚର୍ଯ୍ୟଜନକ ଭାବରେ ଏଥିପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ବା ନିର୍ମାଣକାରୀ ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ଆବେଦନ ମଧ୍ୟ ହୋଇ ନାହିଁ।

କିନ୍ତୁ ବିନା ଅଗ୍ନିଶମ ପ୍ରମାଣପତ୍ରରେ ଏହି ଡପ୍‌ଲର ରାଡାର୍‌ ଷ୍ଟେସନ୍‌ର ନିର୍ମାଣ କାର୍ଯ୍ୟ ସାରିଦେଇ ଏହାକୁ କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଉଦ୍‌ଘାଟନ କରି ଦିଆଯାଇଛି।Advertisment AFC Champions League 2: ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍‌-୨: ଇଷ୍ଟ ବେଙ୍ଗଲକୁ ଐତିହାସିକ ପଏଣ୍ଟ୍‌ ମାତ୍ର ଦେଢ଼ବର୍ଷ ମଧ୍ୟରେ ସମ୍ବଲପୁରରେ ରାଜ୍ୟର ତୃତୀୟ ଡପ୍‌ଲର ରାଡାର୍‌ ଷ୍ଟେସନ୍‌ କାମ ସାରିଥିବାରୁ ଉଦ୍‌ଘାଟନୀ ଦିବସରେ ପୂର୍ତ୍ତ ବିଭାଗକୁ ଧନ୍ୟବାଦ ଜଣାଇଥିଲେ ରାଜସ୍ବ ମନ୍ତ୍ରୀ।

ମାତ୍ର ବର୍ତ୍ତମାନ ସରକାରୀ ଦାୟିତ୍ବହୀନତା ସମସ୍ତଙ୍କ ପାଇଁ ବଡ଼ ବିପଦ ଡାକି ଆଣିଛି।

ଅଗ୍ନିଶମ ନିର୍ବାପକ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ, କୌଣସି କୋଠା ନିର୍ମାଣ ପରେ ଏନ୍‌ବିସି ଅର୍ଥାତ ଜାତୀୟ ଭବନ ସଂହିତା ନିୟମ ଅନୁଯାୟୀ କୋଠା ନିର୍ମାଣ ଓ ସୁରକ୍ଷା ସମ୍ବନ୍ଧୀୟ ବ୍ୟବସ୍ଥାର ଯାଞ୍ଚ କରାଯାଏ।

ଏଥିରେ ମୁଖ୍ୟତଃ ଅଗ୍ନିକାଣ୍ଡ ହେଲେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ, ଲୋକେ ଠିକ ଭାବରେ ପହଞ୍ଚିପାରିବା ଏବଂ ବାହାରିପାରିବା, ନିଆଁକୁ ପ୍ରାରମ୍ଭିକ ଅବସ୍ଥାରେ ନିୟନ୍ତ୍ରଣ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଠିକ୍ ଭାବରେ କାମ କରିପାରିବ କି ନାହିଁ ତାର ଯାଞ୍ଚ ହିଁ ଏହି ପ୍ରମାଣପତ୍ର ପ୍ରଦାନର ମୁଖ୍ୟ ଉଦ୍ଦେଶ୍ୟ।

ଏଥିରେ ଅଗ୍ନି ନିର୍ବାପକ ଅଧିକାରୀମାନେ ସାଧାରଣତଃ କୋଠାର ଉଚ୍ଚତା, ବ୍ୟବହାର, ନିର୍ମିତ କ୍ଷେତ୍ରଫଳ, ମହଲା ସଂଖ୍ୟା ଓ ଲୋକସମାଗମର ସଂଖ୍ୟା ସହିତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ତଦାରଖ କରିଥାନ୍ତି।

ଯେଉଁଥିରେ କୋଠା ନିକଟକୁ ଦମକଳ ଗାଡ଼ି ଯାଇପାରୁଛି କି ନାହିଁ, ଆବଶ୍ୟକ ସ୍ଥାନରେ ଉପଯୁକ୍ତ ନିଆଁଲିଭା ଯନ୍ତ୍ର ରହିବା ଓ ସେଗୁଡ଼ିକର କାର୍ଯ୍ୟକ୍ଷମତା‌, ଜଳସିଞ୍ଚନ, ବିଦ୍ୟୁତ୍‌ ସଂଯୋଗର ଉପଯୁକ୍ତ ଯାଞ୍ଚ ଆଦି ଏହାର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ।

ସମ୍ବଲପୁରର ଡପ୍‌ଲର ପାଣିପାଗ ରାଡାର୍‌ ଷ୍ଟେସନ୍‌ କୋଠା ୫ ମହଲାବିଶିଷ୍ଟ।

ଏଠାରେ ଅନେକ ମୂଲ୍ୟବାନ ଉପକରଣ ରହିଛି।

ବର୍ତ୍ତମାନ ଯେଉଁଭଳି ଭାବରେ ସଟ୍‌ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ବଢ଼ିବାରେ ଲାଗିଛି ସେ ଦୃଷ୍ଟିରୁ ଅଗ୍ନି ନିର୍ବାପକ ସୁରକ୍ଷା ଅତି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ।

ନିକଟରେ ଏସ୍‌ସିବି ଓ ଏମ୍‌କେସିଜି ‌ମେଡିକାଲ୍‌ରେ ହୋଇଥିବା ଅଗ୍ନିକାଣ୍ଡ ହିଁ ଏହାକୁ ପ୍ରମାଣିତ କରୁଛି।

ଏଭଳି ସ୍ଥିତିରେ ଅଗ୍ନିନିର୍ବାପକ ସୁରକ୍ଷା ବ୍ୟବସ୍ଥା ଯାଞ୍ଚକୁ ପ୍ରଶାସନ ଏତେ ଗୁରୁତ୍ବହୀନ କିଭଳି କରିଦେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏପରିକି ଏହି ରାଡାର ଷ୍ଟେସନ୍‌ର ଆବଶ୍ୟକତା ଅନୁଯାୟୀ ପ୍ଲାନ୍‌ ମଧ୍ୟ ଅନୁମୋଦନ ହୋଇ ନାହିଁ।

Climate Change: ଜଳବାୟୁ ପରିବର୍ତ୍ତନ ପ୍ରଭାବ : ୨୦୨୬ରେ ୧୧.୭ କୋଟି ଭାରତୀୟ ସାଂଘାତିକ ଗ୍ରୀଷ୍ମପ୍ରବାହର ଶିକାର ସୂଚନାଯୋଗ୍ୟ, ରାଜ୍ୟର ଏହି ତୃତୀୟ ଡପ୍‌ଲର ରାଡାର୍‌ କେନ୍ଦ୍ର ୨୪ ଘଣ୍ଟା ଧରି ୨୫୦ କିଲୋମିଟର ପରିଧି ମଧ୍ୟରେ ଠିକ୍ ତଥ୍ୟ ଏବଂ ୪୫୦ କିଲୋମିଟର ପର୍ଯ୍ୟନ୍ତ ପାଣିପାଗ ସଂପର୍କରେ ପୂର୍ବାନୁମାନ କରିପାରିବ।

ଏହାଦ୍ୱାରା ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ା, ଅନୁଗୋଳ, କଳାହାଣ୍ଡି, କେନ୍ଦୁଝର, ଢେଙ୍କାନାଳ ଆଦି ୧୩ଟି ଜିଲ୍ଲା ସହ ପଡ଼ୋଶୀ ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗର କିଛି ଅଞ୍ଚଳ ଉପକୃତ ହେବେ।

ଏହା ଜରିଆରେ ପ୍ରାକ୍-ମୌସୁମୀ ବର୍ଷା, ବାତ୍ୟା ଓ ଝଡ଼ତୋଫାନ, ବଜ୍ରପାତ, କୁଆପଥର ବୃଷ୍ଟି ଆଦି ସଂପର୍କରେ ଆଗୁଆ ସୂଚନା ମିଳିପାରିବ।

ଏଭଳି ମହତ ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାରଙ୍କ ସହଯୋଗରେ କେନ୍ଦ୍ର ଭୂ-ବିଜ୍ଞାନ ବିଭାଗ ଏଭଳି ବଡ଼ ପ୍ରକଳ୍ପ କାର୍ଯ୍ୟକ୍ଷମ କରିଛନ୍ତି।

ମାତ୍ର ସ୍ଥାନୀୟ ପ୍ରଶାସନର ଏକ ଛୋଟ ଅବହେଳା ବଡ଼ ବିପଦକୁ ଡାକି ଆଣିଛି।

ଏ ସଂପର୍କରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିଭୁପ୍ରସାଦ ଲେଙ୍କା କହିଛନ୍ତି, ଏହା ଓଏସ୍‌ଡିଏମ୍‌ର ପ୍ରକଳ୍ପ; ତେଣୁ ଏ ବାବଦରେ କେବଳ ସେମାନେ ହିଁ କହିପାରିବେ।

ଅନ୍ୟପକ୍ଷରେ ଆଇଏମ୍‌ଡି ଓଡ଼ିଶା ମୁଖ୍ୟ ତଥା ନିର୍ଦ୍ଦେଶକ ଡ.

ମନୋରମା ମହାନ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା କୋଠା ହସ୍ତାନ୍ତର ହୋଇ ନାହିଁ।

ପର୍ଯ୍ୟାୟକ୍ରମେ ସବୁ କାମ କରାଯିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।