Flood Fury: ମାସକ ଭିତରେ ତିନି ତିନି ଥର ବନ୍ୟା, ଭାଙ୍ଗିଦେଇଛି ଚାଷୀଙ୍କ ମେରୁଦଣ୍ଡ
ଗୋଟିଏ ବନ୍ୟା ନୁହେଁ... ମାସକ ଭିତରେ ତିନି ତିନି ଥର ବନ୍ୟା। ବୈତରଣୀ ଓ ସାଳନ୍ଦୀର ବନ୍ୟା ପାଣି ଭଦ୍ରକରେ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ବୈତରଣୀର ପାଣି ଛାଡ଼ିଗଲାଣି... ହେଲେ ସାଳନ୍ଦୀ ଓ ନାଳିଆ ନଦୀର ପାଣି ଏବେ ବି ଧାନ କିଆରୀ ଓ ପରିବା କ୍ଷେତରେ ଜମି ରହିଛି। ବିଲରେ ଲହଡ଼ି ମାରୁଛି ପାଣି...ଆଉ ପାଣି ତଳେ ବତୁରି ଯାଇଛି ଚାଷୀଙ୍କ ଆଶା।
ତିହିଡ଼ି ବ୍ଲକର ବିଭିନ୍ନ ପଞ୍ଚାୟତରେ ବନ୍ୟା ଚାଷ ସହ ଘରଦ୍ୱାରକୁ ବି ପ୍ରଭାବିତ କରିଛି। ଦୀର୍ଘ ୧୬ ଦିନ ହେଲାଣି । ଧାନ ବିଲରେ ଜମି ରହିଛି ନାଳିଆ ନଦୀର ପାଣି। କେବେ ପାଣି ନିଷ୍କାସନ ହେବ, ତା’ର ବି ଠିକଣା ନାହିଁ। ଫଳରେ ତଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଚାଷ କରିବାର ସମୟ ବି ଗଡ଼ିଗଲାଣି।
ବନ୍ୟା ପାଣି ଚାଲିଗଲା... ହେଲେ ଛାଡ଼ିଗଲା ଭଙ୍ଗା ଘର ଆଉ ଅସହାୟ ଜୀବନର ଦୁଃଖ। ଯେଉଁ ଘରେ ଦିନେ ହସଖୁସିର ସଂସାର ଥିଲା, ଏବେ ସେହି ଘରର ଚାଳ ଭୂଇଁରେ ଲୋଟିଛି। ଭଦ୍ରକ ବାସୁଦେବପୁର ବ୍ଲକ ସୁଦର୍ଶନପୁର ପଞ୍ଚାୟତ ମହାଳିକ ସାହିର ଦେଖିବାକୁ ମିଳିଛି ଏଭଳି ବନ୍ୟା ଦୁର୍ଦ୍ଦଶାର ଚିତ୍ର। ଚାଳ ଭାଙ୍ଗି ଭୂଇଁରେ ପଡ଼ିଛି... କାନ୍ଥ ବି ଭୁଶୁଡ଼ି ପଡ଼ିଛି। ଘର ଭିତରେ ପାଣି । ଘର ଭିତରୁ ବାହାରୁଛନ୍ତି ସାପ। ବନ୍ୟାର ପାଣି ହୁଏତ ହଟିଗଲାଣି... ହେଲେ ବର୍ଷା ଯେମିତି ଦୁର୍ଦ୍ଦଶାକୁ ଆହୁରି ଲମ୍ବା କରିଦେଇଛି।
ବନ୍ୟା ପାଣି ଚାଲିଗଲା, ଦୁଃଖ ଦେଇଗଲା
ଭଙ୍ଗା ଘର ଆଉ ଅସହାୟ ଜୀବନର ଦୁଃଖ
ଘରର ଚାଳ ଭୂଇଁରେ ଲୋଟିଛି
ଭଦ୍ରକ ବାସୁଦେବପୁର ବ୍ଲକ ଅଞ୍ଚଳର ଦୃଶ୍ୟ
ଚାଳ ଭାଙ୍ଗି ଭୂଇଁରେ ପଡ଼ିଛି, କାନ୍ଥ ବି ଭୁଶୁଡ଼ିଛି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।