Private Companies Set To Manage ISRO’s Spaceport: ମହାକାଶ କ୍ଷେତ୍ରରେ ବଡ଼ ପଦକ୍ଷେପ, ଘରୋଇ କମ୍ପାନୀକୁ ମିଳିବ ନୂଆ ସୁଯୋଗ

Aug 11, 2026 - 15:35
Private Companies Set To Manage ISRO’s Spaceport: ମହାକାଶ କ୍ଷେତ୍ରରେ ବଡ଼ ପଦକ୍ଷେପ, ଘରୋଇ କମ୍ପାନୀକୁ ମିଳିବ ନୂଆ ସୁଯୋଗ

ଭାରତର ମହାକାଶ କ୍ଷେତ୍ରରେ ଘରୋଇ କମ୍ପାନୀଙ୍କ ଭାଗିଦାରି ଆହୁରି ବଢ଼ିବ। ତାମିଲନାଡୁର କୁଲାସେକରାପଟ୍ଟିନମ୍‌ରେ ନିର୍ମାଣାଧୀନ ଇସ୍ରୋର ଦ୍ୱିତୀୟ ମହାକାଶ ବନ୍ଦରର ପରିଚାଳନା ଓ ପ୍ରବନ୍ଧନ ଘରୋଇ କମ୍ପାନୀକୁ ଦେବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି।

ପ୍ରାୟ ୯୫୦ କୋଟି ଟଙ୍କା ବ୍ୟୟରେ ତିଆରି ହେଉଥିବା ଏହି ସ୍ପେସ୍‌ପୋର୍ଟ ଛୋଟ ସାଟେଲାଇଟ୍ ରକେଟ୍ ଉତ୍‌କ୍ଷେପଣ ପାଇଁ ବ୍ୟବହାର ହେବ। ଇସ୍ରୋର SSLV ସହ ଘରୋଇ କମ୍ପାନୀର ରକେଟ୍‌ ମଧ୍ୟ ଏଠାରୁ ଉତ୍‌କ୍ଷେପଣ କରାଯାଇପାରିବ।

ଏଥିପାଇଁ IN-SPACe ଭାରତୀୟ ଘରୋଇ ସଂସ୍ଥାଗୁଡ଼ିକଠାରୁ EOI ଆହ୍ୱାନ କରିଛି। ଚୟନ ହେଉଥିବା କମ୍ପାନୀ ସ୍ପେସ୍‌ପୋର୍ଟ ଚଳାଇବା ସହ ରକେଟ୍ କମ୍ପାନୀଗୁଡ଼ିକୁ ବାଣିଜ୍ୟିକ ଲଞ୍ଚ ସେବା ଦେବ।

ତେବେ ଏହି ଦାୟିତ୍ୱ ପାଇଁ କମ୍ପାନୀଗୁଡ଼ିକର ଅଭିଜ୍ଞତା ଓ ଆର୍ଥିକ କ୍ଷମତା ନେଇ କଡ଼ା ନିୟମ ରହିଛି। ଚୟନ ହେବା ପରେ ଇସ୍ରୋ ପ୍ରଥମ ୩ଟି ଲଞ୍ଚ କିମ୍ବା ଗୋଟିଏ ବର୍ଷ ପର୍ଯ୍ୟନ୍ତ ପ୍ରାଯୁକ୍ତିକ ସହାୟତା ଓ ପ୍ରଶିକ୍ଷଣ ଦେବ।

କୁଲାସେକରାପଟ୍ଟିନମ୍‌ରୁ ଦକ୍ଷିଣ ଦିଗକୁ ସିଧା ରକେଟ୍ ଉତ୍‌କ୍ଷେପଣ କରାଯାଇପାରିବ। ଫଳରେ ଇନ୍ଧନ ବ୍ୟବହାର କମିବା ସହ ଅଧିକ ଓଜନର ସାଟେଲାଇଟ୍ ମହାକାଶକୁ ପଠାଇବାର ସୁଯୋଗ ମିଳିବ। ଏହି ପଦକ୍ଷେପ ଭାରତର ଘରୋଇ ରକେଟ୍ ଶିଳ୍ପକୁ ନୂଆ ଗତି ଦେବା ସହ ଇସ୍ରୋକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମହାକାଶ ମିଶନ୍‌ରେ ଧ୍ୟାନ ଦେବାର ସୁଯୋଗ ଦେଇପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।