Flood in Odisha: ବୈତରଣୀ ନଦୀରେ ବନ୍ୟା; ଘାଇରେ ଘାଇଲା ୧୫ ପଞ୍ଚାୟତ
"ଦଶରଥପୁର (ଚନ୍ଦ୍ର ଶେଖର ସାହୁ): ବୈତରଣୀ ନଦୀରେ ପୁଣି ଥରେ ବନ୍ୟା ଆସିଛି।
ଫଳରେ ଶାଖା ନଦୀ କାଣୀରେ ପୁଣି ଘାଇ ସୃଷ୍ଟି ହୋଇଛି।
ଗତ ଜୁଲାଇ ୨୮ ତାରିଖରେ ସୃଷ୍ଟି ହୋଇଥିବା ଘାଇ ମରାମତି ହୋଇଥିଲା।
ଏହା ଆଜି ସକାଳୁ ଭାଙ୍ଗିଯାଇଛି।
ଫଳରେ ଦଶରଥପୁର ବ୍ଲକର ତରପଦା, କସପା, ମାଲିକପୁର, ଛଚିଣା, ଶୁଶୁଆ, ମଙ୍ଗଳପୁର, ଦୁଦୁରାଅଣ୍ଟା, ନିଜାମପୁର, କଟିକଟା, ଜୟନ୍ତରା, କୟାଁ,କମାରଢିଅ ଆଦି ପଞ୍ଚାୟତ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯିବା ସହ ଅହିୟାସ ବଜାରରେ ପୁଣି ପଶିଛି ବନ୍ୟା ଜଳ।
ଫଳରେ କାଟିଆ- ବୈଶାପନ ମୁଖ୍ୟ ରାସ୍ତା ଅହିୟାସ ଠାରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।
Advertisment ଅନ୍ୟପକ୍ଷରେ ଜୟନ୍ତରା ଘେରି ବନ୍ଧ ଏବଂ କଣ୍ଟପଡ଼ା ଠାରେ ପୂର୍ବ ବନ୍ୟାରେ ହୋଇଥିବା ଘାଇ ମୁକୁଳା ରହିଛି।
ଏଣୁ ବନ୍ୟାଜଳ ମୁକୁଳା ଘାଇ ଦେଇ ପ୍ରବାହିତ ହେଉଛି।
ଏହାରି ଭିତରେ ଲଘୁଚାପ ବର୍ଷା ଗତ ୪ ଦିନ ହେବ ହେଉଥିବା ବେଳେ ଆଜି ମଧ୍ୟ ଜାରି ରହିଛି।
ଏଣୁ ଲୋକେ ନହିନଥିବା କଲବଲ ହେଉଛନ୍ତି।
ଜଳସମ୍ପଦ ବିଭାଗ ଏହି ଘାଇକୁ ସେପ୍ଟେମ୍ବର ୭ ତାରିଖରେ ବନ୍ଦ କରିବାରେ ସଫଳ ହୋଇଥିଲା।
କିନ୍ତୁ ବନ୍ୟାରେ ଏହି ଘାଇ ପୁଣି ଭାଙ୍ଗିଦେଇଛି।
ଘାଇଟି ବର୍ତମାନ ପ୍ରାୟ ୧୫୦ ଫୁଟରୁ ଅଧିକ ଲମ୍ବରେ ଭାଙ୍ଗିଯାଇଛି।
ନିମ୍ନମାନର କାର୍ଯ୍ୟ ପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।
ଘାଇ ହେବା ପରେ ଗାଁରେ ପ୍ରବେଶ କଲଣି ବନ୍ୟା ଜଳ।
ଏଣୁ ତଳିଆ ଅଂଚଳର ଲୋକେ ପୁଣି ନଦୀ ବନ୍ଧ ଉପରକୁ ଆସି ପାଲ ବାନ୍ଧିବା ଆରମ୍ଭ କଲେଣି।
ଅନ୍ୟପକ୍ଷରେ ଲଗାଣ ବର୍ଷା ଏବଂ ପବନ ଲାଗି ରହିଥିବାରୁ ଲୋକେ ନହିନଥିବା ଦହଗଞ୍ଜ ହେଉଛନ୍ତି।
Flood: ସୁବର୍ଣ୍ଣରେଖାରେ ଚତୁର୍ଥ ବନ୍ୟା, ଉତ୍ତର ବାଲେଶ୍ୱରର ୪ ବ୍ଲକର ୧୫୪ ଗାଁ ଜଳମଗ୍ନ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।