Floodwater Takes Away Jobs: ବଢିପାଣିରେ ବୁଡ଼ିଛି ବେଉସା; ବିପନ୍ନଙ୍କୁ ଘାରିଛି ତେଲ ଲୁଣ ଚିନ୍ତା, ୧୫ ଦିନ ହେଲା ରୋଜଗାର ନାହିଁ

Aug 11, 2026 - 19:51
Floodwater Takes Away Jobs: ବଢିପାଣିରେ ବୁଡ଼ିଛି ବେଉସା; ବିପନ୍ନଙ୍କୁ ଘାରିଛି ତେଲ ଲୁଣ ଚିନ୍ତା, ୧୫ ଦିନ ହେଲା ରୋଜଗାର ନାହିଁ

ବନ୍ୟା ଛାଡୁନି କି ଦୁର୍ଦ୍ଦଶା କମୁନି। ବଢିପାଣି କେବଳ ଚାଷ ବାସ ନଷ୍ଟ କରିନି ଲୋକଙ୍କ ବେଉସା ବି ଛଡ଼ାଇ ନେଉଛି। ଦେଇଯାଇଛି ଦାରୁଣ ଦୁଃଖ। ୧୫ ଦିନ ହେଲା ପାଣିକୁ ଚାହିଁ ଘରେ ବସିରହିଥିବା ବିପନ୍ନଙ୍କୁ ଏବେ ଘାରିଛି ଘର ଚଳାଇବା ଚିନ୍ତା। ରୋଜଗାର ନାହିଁ, ଟଙ୍କା ଆସିବ କେଉଁଠୁ। ସେ ବ୍ୟବସାୟୀ ହୁଅନ୍ତୁ କି ଦିନମଜୁରିଆ ଅବା ମତ୍ସ୍ୟଜୀବୀ ସମସ୍ତଙ୍କ ମୁଣ୍ଡରେ ପଡିଛି ଚଡ଼କ। 

ବେଉସା ଛଡାଇ ନେଇଛି ବନ୍ୟା। ବଢି ପାଣିରେ ବୁଡିଯାଇଛି ବ୍ୟବସାୟ। ଗାଁ ମୁଣ୍ଡରେ ଥିବା ତେଜରାତୀ ଦୋକାନରୁ ଚଳୁଥିଲା ପରିବାର। ତିନି ପୁଅ ପ୍ରାଣୀ କୁଟୁମ୍ବ ସମସ୍ତେ ତା ଉପରେ ନିର୍ଭରଶୀଳ। ହେଲେ କାଣୀ ନଦୀର ପାଟଣା ଘାଇ ବୁଡାଇ ଦେଇଛି ବୃତ୍ତି। ଇଏ ଯାଜପୁର ଜିଲ୍ଲା ଦଶରଥପୁର ଡୋରାବିଲ ଗାଁର ପିତାମ୍ବର କର। ବୟସ ୭୦ ଡେଇଁଲାଣି। 

ହେଲେ ଏବେବି ଦୋକାନର ସବୁ କଥା ବୁଝୁଥିଲେ। ଗତ ମେ ମାସରେ ଲୋନରେ ପିକଅପ ଗାଡିଟିଏ ବି ଆଣିଥିଲେ। ଦୁଇ ମାସ ଯାଇନି ବନ୍ୟା ଏଭଳି କ୍ଷତ ଦେଇଛି ଯେ, ତାହା ସହଜରେ ଭରିବନି। ପାଣି ସୁଅରେ ଦୋକାନ ବୁଡିଲା, ଭାସିଗଲା ଜିନିଷପତ୍ର। ଘର ଏବେବି ପାଣି ଘେରରେ, ତେଣୁ ନଦୀ ବନ୍ଧରେ ପାଲ ଢାଙ୍କି ମୁଣ୍ଡ ଗୁଞ୍ଜିଛନ୍ତି ପରିବାର। 

ଯାଜପୁରରେ ପିଲା ଖାଇବାକୁ ମାଗୁଛନ୍ତି, ବାପା କହୁଛନ୍ତି ରୋଜଗାର ନାହିଁ। ୧୫ ଦିନ ହେଲା କାମଧନ୍ଦା ବନ୍ଦ। ବନ୍ୟା ପାଣି ଛାଡିଲେ ଯାଇ କାମ ମିଳିବ। ପାଣି କମିବା ଆଶାରେ ସେମିତି ଅପେକ୍ଷା କରିଛନ୍ତି ଦଶରଥପୁରର ଲକ୍ଷ୍ମୀ ଜେନା। କାଣୀ ନଦୀ ଘାଇ ଯୋଗୁଁ ଦୁଇ ସପ୍ତାହ ହେଲା ନଦୀ ବନ୍ଧରେ ପାଲ ଟାଣି ରହୁଛନ୍ତି ପରିବାର। ସ୍ୱାମୀ ଦିନ ମଜୁରିଆ, ଦିନକୁ ୪ଶହ ଟଙ୍କା ରୋଜଗାର କରୁଥିଲେ। ହେଲେ ବନ୍ୟା ପରେ ଟଙ୍କା ଟିଏ ଆୟ ନାହିଁ। 

ଭଦ୍ରକ ସହରରୁ ସିନା ବନ୍ୟା ପାଣି ଛାଡିଛି ହେଲେ ଗାଁ ଏବେବି ଜଳବନ୍ଦୀ। ତାରି ଭିତରେ ବିପନ୍ନଙ୍କୁ ଘାରିଛି ଜୀବନ ଜୀବିକା ଚିନ୍ତା। ଭଦ୍ରକ ବ୍ଲକ୍ ବିଷ୍ଣୁପୁରବିନ୍ଧା ପଂଚାୟତବାସୀଙ୍କ ଉପରେ ଏବେବି ଦାଉ ସାଧୁଛି ବନ୍ୟା ଜଳ। ସହରରେ ଛୋଟିଆ କପଡା ଦୋକାନଟିଏ କରିଥିବା ସେକ୍ ମୈକିଲଙ୍କ ୧୫ ଦିନ ହେବ ତାଲା ଝୁଲୁଛି। ଗାଁରୁ ପାଣି ଛାଡିଲେ ସିନା ଦୋକାନ ଯିବେ। 

ବେପାର ଠପ୍, ରୋଜଗାର ଶୂନ। ପଂଚାୟତର ଦିନ ମଜୁରିଆ ଅଖତରଙ୍କ ଅବସ୍ଥା ତ ସାଂଘାତିକ। ପରିବାର ଚଳାଇବାକୁ ପାଖରେ ଟଙ୍କାଟିଏ ନାହିଁ କହିଲେ ଚଳେ। ଗାଁରୁ ପାଣି ଛାଡୁନି କି କାମକୁ ଯାଇ ହେଉନି। ପ୍ରଥମେ ସାଳନ୍ଦୀ ପରେ ନାଳିଆ ନଦୀ ବନ୍ୟାରେ ଘର ବୁଡିଥିଲା, ଏବେ ରୋଜଗାର। 

ବାସୁଦେବପୁରରେ ଲଘୁଚାପ, ଲଗାଣ ବର୍ଷା ପରେ ବନ୍ୟା ହୋଇଛି। ଏବେ ମୁଣ୍ଡ ଉପରେ ପୁଣି ଲଘୁଚାପ ବର୍ଷା ଆଶଙ୍କା। ଦୁର୍ଦ୍ଦିନରେ ମତ୍ସ୍ୟଜୀବୀ ପରିବାର। ସମୁଦ୍ରକୁ ମାଛ ମାରିବାକୁ ଯାଇ ନପାରି ଭାଙ୍ଗିଯାଇଛି ଆର୍ଥିକ ମେରୁଦଣ୍ଡ। ଭଦ୍ରକ ବାସୁଦେବପୁରରେ ମାସେ ହେଲାଣି ସେମିତି କୂଳରେ ବନ୍ଧା ହୋଇଛି ମାଛ ଧରା ଡଙ୍ଗା। ଘରେ ଚୁଲି ଜଳାଇବା କଷ୍ଟକର ହୋଇପଡିଲାଣି। 

ନିଆଳି ଚାଷୀଙ୍କ ଅବସ୍ଥା ତ ନକହିଲେ ଭଲ। ଜମିରେ ଲହଡି ମାରୁଛି ଆଣ୍ଠୁଏ ପାଣି। ତା ଭିତରେ ବୁଡିଛି ସୁନାର ଫସଲ। ଯେଉଁଠି ପାଣି ଛାଡିଛି, ଉଜୁଡା ଫସଲକୁ ଦେଖିହେଉନି। ଚାଷୀ ମୁଣ୍ଡରେ ଚଡକ ପକାଇଛି ଏଥରର ବନ୍ୟା। ଧନୁଆ ନଦୀର ବନ୍ୟା ପାଣିରେ ବୁଡିଛି ନିମାପଡ଼ା ଓ କାକଟପୁରର ବ୍ୟାପକ ଧାନ ଫସଲ। ୩୪ଟି ପଞ୍ଚାୟତର ପ୍ରାୟ ୫ ହଜାର ହେକ୍ଟର ଚାଷ ଜମି ଜଳମଗ୍ନ। କ୍ଷୟକ୍ଷତିର ହିସାବ ନାହିଁ। ବନ୍ୟାପାଣି ଛାଡ଼ିବା ବେଳକୁ ବଙ୍ଗୋପସାଗରରେ ଆଉ ଏକ ସମ୍ଭାବ୍ୟ ଲଘୁଚାପ, ବିପନ୍ନଙ୍କ ନିଦ ହଜାଇ ଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।