Flydubai Hijacking Case Takes New Turn: ଫ୍ଲାଇଦୁବାଇ ହାଇଜାକ୍ ଉଦ୍ୟମ ମାମଲାରେ ନୂଆ ମୋଡ଼, ମାଲଦ୍ୱୀପର ଦୁଇ ପାଇଲଟ୍ ଗିରଫ

Oct 13, 2026 - 18:54
Flydubai Hijacking Case Takes New Turn: ଫ୍ଲାଇଦୁବାଇ ହାଇଜାକ୍ ଉଦ୍ୟମ ମାମଲାରେ ନୂଆ ମୋଡ଼, ମାଲଦ୍ୱୀପର ଦୁଇ ପାଇଲଟ୍ ଗିରଫ

ଫ୍ଲାଇଦୁବାଇ ବିମାନ ହାଇଜାକ୍ ଉଦ୍ୟମ ମାମଲାରେ ନୂଆ ମୋଡ଼ ଆସିଛି। ଏହି ଘଟଣାର ତଦନ୍ତ କରୁଥିବା ୟୁଏଇ ପୁଲିସ ଫ୍ଲାଇଦୁବାଇ ଏୟାରଲାଇନ୍ସରେ କାମ କରୁଥିବା ମାଲଦ୍ୱୀପର ଦୁଇ ଜଣ ପାଇଲଟ୍‌ଙ୍କୁ ଗିରଫ କରିଛି। ଉଭୟ ପାଇଲଟ୍‌ଙ୍କୁ ନିକଟରେ ଏୟାରଲାଇନ୍ସରେ ନିଯୁକ୍ତି ମିଳିଥିଲା। ତେବେ ଏହି ମାମଲାରେ ସେମାନଙ୍କର ପ୍ରକୃତ ଭୂମିକା କ’ଣ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।

ମିଡିଆ ରିପୋର୍ଟ ଅନୁସାରେ, ଅକ୍ଟୋବର ୩ ତାରିଖରେ ଉଭୟଙ୍କୁ ହେପାଜତକୁ ନିଆଯାଇଥିଲା। ୟୁଏଇରେ ଥିବା ମାଲଦ୍ୱୀପ ଦୂତାବାସ ପକ୍ଷରୁ ସେମାନଙ୍କ ପରିବାରକୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଅନ୍ୟପଟେ, ଏହି ଗିରଫଦାରୀକୁ ନେଇ ମାଲଦ୍ୱୀପର ଅଧିକାରୀମାନେ କୌଣସି ମନ୍ତବ୍ୟ ଦେବାକୁ ମନା କରିଛନ୍ତି।

କ’ଣ ଥିଲା ପୂରା ଘଟଣା?

ସେପ୍ଟେମ୍ବର ୩୦ ତାରିଖରେ ଫ୍ଲାଇଦୁବାଇର ଜଣେ ଓମାନୀ କୋ-ପାଇଲଟ୍ ହମ୍ମାମ ଅଲ-ହମ୍ମାମୀଙ୍କ ଉପରେ ବିମାନର ମୁଖ୍ୟ ପାଇଲଟ୍ ସ୍ମିତ ମଛାରଙ୍କୁ କୁରାଢ଼ିରେ ଆକ୍ରମଣ କରିବା ଏବଂ ବିମାନକୁ ହାଇଜାକ୍ କରି ଦୁର୍ଘଟଣାଗ୍ରସ୍ତ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ରହିଛି। ଏହି ବିମାନଟି ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା କୁହାଯାଇଛି।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗିରଫ ହୋଇଥିବା ଦୁଇ ମାଲଦ୍ୱୀପ ପାଇଲଟ୍ କାର୍ଯ୍ୟ ସମୟରେ ଅଭିଯୁକ୍ତ କୋ-ପାଇଲଟ୍‌ଙ୍କ ସମ୍ପର୍କରେ ଥିଲେ। ଏପରିକି ସେମାନେ ରହୁଥିବା ବିଲ୍ଡିଂରେ ଅଭିଯୁକ୍ତ ମଧ୍ୟ ରହୁଥିଲେ ବୋଲି ରିପୋର୍ଟରେ ଦାବି କରାଯାଇଛି। ତେବେ ଏହି ସମ୍ପର୍କ ଆଧାରରେ ସେମାନଙ୍କୁ କାହିଁକି ଗିରଫ କରାଗଲା ଏବଂ ସେମାନଙ୍କ ବିରୋଧରେ କ’ଣ ପ୍ରମାଣ ରହିଛି, ସେନେଇ ଅଧିକାରୀମାନେ ଏଯାଏ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି।

ତଦନ୍ତ ପରିସରକୁ ଆସିଲା ଆତଙ୍କବାଦୀ ଷଡ଼ଯନ୍ତ୍ର ଦିଗ

ୟୁଏଇ କର୍ତ୍ତୃପକ୍ଷ ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ଭାବେ ବର୍ଣ୍ଣନା କରିଛନ୍ତି। ଅଭିଯୁକ୍ତ କୋ-ପାଇଲଟ୍ ଚରମପନ୍ଥୀ ବିଚାରଧାରାକୁ ସମର୍ଥନ କରୁଥିବା ସନ୍ଦେହ ମଧ୍ୟ ପ୍ରକାଶ କରାଯାଇଛି। ତେବେ ଏହି ଅଭିଯୋଗ ଓ ସନ୍ଦେହର ତଦନ୍ତ ଜାରି ରହିଛି।

ଏହି ଘଟଣା ପଛରେ ଥିବା ସମ୍ଭାବ୍ୟ ବଡ଼ ଷଡ଼ଯନ୍ତ୍ରର ଖୋଳତାଡ଼ କରିବା ପାଇଁ ଭାରତର ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ମଧ୍ୟ ମାମଲା ରୁଜୁ କରିଥିବା ରିପୋର୍ଟରେ କୁହାଯାଇଛି। ଦୁଇ ପାଇଲଟ୍‌ଙ୍କ ଗିରଫଦାରୀ ପରେ ଏହି ମାମଲାରେ ଆଉ କେଉଁ ତଥ୍ୟ ସାମ୍ନାକୁ ଆସୁଛି, ତାହା ଉପରେ ନଜର ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।