Forest Officials Attacked During: ଗଛ ଲଗାଇବାକୁ ଯାଇ ମାଡ଼ ଖାଇଲେ, ବନ କର୍ମଚାରୀଙ୍କୁ ଆକ୍ରମଣ; ଭାଇରାଲ ହେଉଛି ଭିଡ଼ିଓ
ଗଛ ଲଗାଇବାକୁ ଯାଇଥିଲେ। ଲୋକଙ୍କ ଆକ୍ରୋଶର ଶିକାର ହୋଇ ମାଡ଼ ଖାଇଲେ ବନ କର୍ମଚାରୀ। ବୃକ୍ଷରୋପଣ ବେଳେ ବନ କର୍ମଚାରୀଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କଲେ ଲୋକ। ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଯୁବାମାଲ ଗାଁରୁ ସାମ୍ନାକୁ ଆସିଛି ଏହି ଘଟଣା। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ଭିଡିଓରେ କିଛି ଲୋକ ବନ କର୍ମଚାରୀଙ୍କୁ ଗୋଡ଼େଇ ଗୋଡ଼େଇ ମାଡ଼ ମାରୁଥିବା ଦେଖାଯାଉଛି। ଅଭିଯୋଗ ହୋଇଛି, ଯୁବାମାଲ ଗାଁର ମୁଣ୍ଡାପଡାରେ ଲୋକେ ଜଙ୍ଗଲ ଜମିକୁ ଦଖଲ କରିଥିବା ବେଳେ ସେହି ସ୍ଥାନରେ ବୃକ୍ଷରୋପଣ ପାଇଁ ବନ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଉଥିଲା। ଏହାର ତଦାରଖ ପାଇଁ ଘଟଣାସ୍ଥଳକୁ ଯାଇଥିଲେ ବନ କର୍ମଚାରୀ।
ଏତିକିବେଳେ ସେଠାରେ ଫରେଷ୍ଟରଙ୍କୁ ଠେଙ୍ଗାରେ ଗ୍ରାମବାସୀ ଅତର୍କିତ ଆକ୍ରମଣ କରିଥିଲେ। ପରେ ଫରେଷ୍ଟର ଅନ୍ୟ ସାଥି ଗାର୍ଡମାନଙ୍କୁ ଡକାଇଥିଲେ। ସେମାନେ ପହଞ୍ଚିବା ପରେ ଫରେଷ୍ଟରଙ୍କ ସମେତ ୩ ଜଣ ଫରେଷ୍ଟ ଗାର୍ଡ ଓ ୨ ଜଣ ପାରା ସ୍କ୍ୱାଡ୍ ସଦସ୍ୟଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ତୁରେକେଲା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତମାନେ ଫେରାର ଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ ପୋଲିସ କିମ୍ବା ବନ ବିଭାଗର ପ୍ରତିକ୍ରିୟା ମିଳିନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।