Hema Malini’s Graceful Radha Avatar: ଜନ୍ମାଷ୍ଟମୀ ଅବସରରେ ହେମା ମାଳିନୀଙ୍କ ରାଧା ଅବତାର ଓ ଶାସ୍ତ୍ରୀୟ ନୃତ୍ୟ ମୋହିଲା ପ୍ରଶଂସକଙ୍କୁ

Sep 04, 2026 - 16:50
Hema Malini’s Graceful Radha Avatar: ଜନ୍ମାଷ୍ଟମୀ ଅବସରରେ ହେମା ମାଳିନୀଙ୍କ ରାଧା ଅବତାର ଓ ଶାସ୍ତ୍ରୀୟ ନୃତ୍ୟ ମୋହିଲା ପ୍ରଶଂସକଙ୍କୁ

ଜନ୍ମାଷ୍ଟମୀର ପବିତ୍ର ଅବସରରେ ବଲିଉଡ୍ର ବରିଷ୍ଠ ଅଭିନେତ୍ରୀ ତଥା ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ହେମା ମାଳିନୀ ନିଜ ପ୍ରଶଂସକମାନଙ୍କୁ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ ତାଙ୍କର ଚର୍ଚ୍ଚିତ ଡାନ୍ସ ‘ରାଧା ରାସ ବିହାରୀ’ର ଏକ ସୁନ୍ଦର ଝଲକ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ଭିଡିଓରେ ହେମା ମାଳିନୀଙ୍କୁ ରାଧା ରାଣୀଙ୍କ ରୂପରେ ଦେଖିବାକୁ ମିଳୁଛି।

ପାରମ୍ପରିକ ପୋଷାକ, ଆକର୍ଷଣୀୟ ଗହଣା ଏବଂ ଶାସ୍ତ୍ରୀୟ ନୃତ୍ୟର ବିଭିନ୍ନ ମୁଦ୍ରାରେ ହେମା ମାଳିନୀଙ୍କ ଷ୍ଟାଇଲ୍ ଦର୍ଶକଙ୍କ ମନ ଜିଣିଛି। ତାଙ୍କ ସହ ନୃତ୍ୟ ମଣ୍ଡଳୀର ଅନ୍ୟ କଳାକାରମାନେ ମଧ୍ୟ ମଞ୍ଚରେ ନଜର ଆସୁଛନ୍ତି। ଏଥିରେ ଜଣେ କଳାକାର ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରୁଛନ୍ତି।

ଜନ୍ମାଷ୍ଟମୀରେ ଦେଲେ ଶୁଭେଚ୍ଛା

ଭିଡିଓ ସେୟାର କରି ହେମା ମାଳିନୀ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇବା ସହ ‘ରାଧା ରାସ ବିହାରୀ’ର ଏକ ଝଲକ ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ଏହି ନୃତ୍ୟ ପ୍ରଦର୍ଶନୀରେ ରାଧା ଓ କୃଷ୍ଣଙ୍କ ପ୍ରେମ, ଭକ୍ତି ଓ ସମ୍ପର୍କକୁ ଶାସ୍ତ୍ରୀୟ ନୃତ୍ୟ ମାଧ୍ୟମରେ ମଞ୍ଚରେ ଉପସ୍ଥାପନ କରାଯାଇଛି। ଭିଡିଓ ଦେଖିବା ପରେ ପ୍ରଶଂସକମାନେ ହେମା ମାଳିନୀଙ୍କ ଉପରେ ଭଲପାଇବା ଅଜାଡ଼ି ଦେଇଛନ୍ତି ଏବଂ ତାଙ୍କୁ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି।

୫ ବର୍ଷ ବୟସରୁ ନୃତ୍ୟ ଶିଖୁଥିଲେ ହେମା

ହେମା ମାଳିନୀଙ୍କ ନୃତ୍ୟ ଯାତ୍ରା ଖୁବ୍ କମ୍ ବୟସରୁ ଆରମ୍ଭ ହୋଇଥିଲା। ମାତ୍ର ୫ ବର୍ଷ ବୟସରେ ସେ ଭାରତନାଟ୍ୟମ୍ ଶିଖିବା ଆରମ୍ଭ କରିଥିଲେ। ତାଙ୍କ ମାଆ ଜୟା ଚକ୍ରବର୍ତ୍ତୀ ଝିଅର ନୃତ୍ୟ ପ୍ରତିଭାକୁ ଚିହ୍ନଟ କରିଥିଲେ ଏବଂ ତାଙ୍କ ନୃତ୍ୟ ଯାତ୍ରାରେ ପୂର୍ଣ୍ଣ ସମର୍ଥନ ଦେଇଥିଲେ। ପରେ ସେ କୁଚିପୁଡ଼ି ମଧ୍ୟ ଶିଖିଥିଲେ। ଚେନ୍ନାଇରେ ପ୍ରସିଦ୍ଧ ଗୁରୁ ବେମ୍ପତି ଚିନ୍ନା ସତ୍ୟମଙ୍କଠାରୁ ସେ କୁଚିପୁଡ଼ିର ତାଲିମ ନେଇଥିଲେ।

ରେଖାଙ୍କ ସହ ଜଡ଼ିତ ରହିଛି ରୋଚକ କାହାଣୀ

ହେମା ମାଳିନୀଙ୍କ ନୃତ୍ୟ ଯାତ୍ରା ସହ ବଲିଉଡ୍‌ର ଆଉ ଜଣେ ବରିଷ୍ଠ ଅଭିନେତ୍ରୀ ରେଖାଙ୍କ ଏକ ରୋଚକ କାହାଣୀ ମଧ୍ୟ ଜଡ଼ିତ। ‘ଇଣ୍ଡିଆନ୍ ଆଇଡଲ୍’ରେ ନିଜ ପୁରୁଣା ଦିନକୁ ମନେପକାଇ ହେମା କହିଥିଲେ ଯେ, ଚେନ୍ନାଇରେ ସେ ନୃତ୍ୟ ତାଲିମ ନେଉଥିବା ସମୟରେ ରେଖା ମଧ୍ୟ ସେହି ଡାନ୍ସ କ୍ଲାସ୍‌କୁ ଆସୁଥିଲେ। ଛୋଟବେଳେ ରେଖା ଖୁବ ଦୁଷ୍ଟ ଥିଲେ ଏବଂ ରିହର୍ସାଲ୍ ମଝିରୁ ଦୌଡ଼ି ପଳାଇ ଯାଉଥିଲେ ବୋଲି ହେମା ମଜାଦାର ଭାବେ କହିଥିଲେ।

ନୃତ୍ୟ ପ୍ରତି ନିଜର ଗଭୀର ଭଲପାଇବାକୁ ହେମା ମାଳିନୀ ସାରା ଜୀବନ ଧରି ଜାରି ରଖିଛନ୍ତି। ‘ଦୁର୍ଗା’, ‘ମୀରା’, ‘ରାମାୟଣ’, ‘ସାବିତ୍ରୀ’, ‘ରାଧା କୃଷ୍ଣ’ ଏବଂ ‘ରାଧା ରାସ ବିହାରୀ’ ଭଳି ନୃତ୍ୟ ପ୍ରଦର୍ଶନୀ ଜରିଆରେ ସେ ଭାରତୀୟ ପୁରାଣ, ସଂସ୍କୃତି ଓ ଆଧ୍ୟାତ୍ମିକତାକୁ ମଞ୍ଚରେ ଜୀବନ୍ତ କରିଛନ୍ତି। ଜନ୍ମାଷ୍ଟମୀରେ ତାଙ୍କର ରାଧା ରୂପର ଏହି ଝଲକ ଏବେ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚାରେ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।