Former Railway Clerk To Serve Jail For 1995 Bribery Case: ୧୯୯୫ରେ ନେଇଥିଲେ ୧୦୦ ଟଙ୍କା, ଏବେ କାଟିବେ ଏକ ବର୍ଷ ଜେଲ୍
ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟ ରେଳ ବିଭାଗର ପୂର୍ବତନ ପାର୍ସଲ କ୍ଲର୍କ କାଳୀ ଶଙ୍କର ଧୋବୀଙ୍କ ଦୋଷୀ ସାବ୍ୟସ୍ତକୁ କାଏମ୍ ରଖିଛି। ଏହି ମାମଲା ୧୯୯୫ ମସିହାରେ ରାଞ୍ଚିର ହାଟିଆ ରେଳ ଷ୍ଟେସନରେ ୧୦୦ ଟଙ୍କା ଲାଞ୍ଚ ନେବା ସହ ଜଡ଼ିତ। ସେତେବେଳେ କାଳୀ ଶଙ୍କର ଧୋବୀ ରାଞ୍ଚିର ହାଟିଆ ରେଳ ଷ୍ଟେସନରେ ପାର୍ସଲ କ୍ଲର୍କ ଭାବେ କାର୍ଯ୍ୟରତ ଥିଲେ। ଅଭିଯୋଗକାରୀ ନିର୍ମଳ କୁମାର ବେଗାନୀ ନିଜ ମୋଟର ସାଇକେଲକୁ ହାଟିଆ ରେଳ ଷ୍ଟେସନରୁ ବିହାରର ସମସ୍ତିପୁରକୁ ପଠାଇବାକୁ ଚାହୁଁଥିଲେ।
ଅଭିଯୋଗ ଥିଲା ଯେ, ପାର୍ସଲ କ୍ଲର୍କ ମୋଟର ସାଇକେଲ ବୁକିଙ୍ଗ ପାଇଁ ୧୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ତା’ପରେ ଅଭିଯୋଗକାରୀ ସିବିଆଇକୁ ସୂଚନା ଦେଇଥିଲେ। ଅଭିଯୋଗ ଯାଞ୍ଚ କରିବା ପରେ ସିବିଆଇ ଟ୍ରାପ କରିବାକୁ ଚେଷ୍ଟା କରିଥିଲା। ୨୭ ଏପ୍ରିଲ ୧୯୯୫ରେ ଏକ ସିବିଆଇ ଦଳ ସେତେବେଳର ପାର୍ସଲ କ୍ଲର୍କ କାଳୀ ଶଙ୍କର ଧୋବୀଙ୍କୁ ୧୦୦ ଟଙ୍କା ଲାଞ୍ଚ ନେବା ସମୟରେ ଧରିଥିଲା। ତା’ପରେ ତାଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ଦାୟର କରାଯାଇଥିଲା। ସିବିଆଇର କାର୍ଯ୍ୟାନୁଷ୍ଠାନ ପରେ ମାମଲା ଏକ ସ୍ୱତନ୍ତ୍ର ନ୍ୟାୟାଳୟକୁ ଗଲା।
ପ୍ରାୟ ୯ ବର୍ଷ ବିଚାର ପରେ ୨୦୦୪ରେ ସ୍ୱତନ୍ତ୍ର ନ୍ୟାୟାଳୟ କାଳୀ ଶଙ୍କର ଧୋବୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ସ୍ୱତନ୍ତ୍ର ନ୍ୟାୟାଳୟ ଦୁର୍ନୀତି ନିବାରଣ ଆଇନର ଧାରା ୭ ଅନୁଯାୟୀ ତାଙ୍କୁ ଏକ ବର୍ଷ କାରାଦଣ୍ଡ ଓ ୪,୦୦୦ ଟଙ୍କା ଜରିମାନା ଦେଇଥିଲା। ଏହା ସହିତ ଧାରା ୧୩(୨) ଅନୁଯାୟୀ ତାଙ୍କୁ ଦେଢ଼ ବର୍ଷ କାରାଦଣ୍ଡ ଓ ୬,୦୦୦ ଟଙ୍କା ଜରିମାନା ଦିଆଯାଇଥିଲା। ଉଭୟ ଧାରାର ଦଣ୍ଡ ଏକାସାଙ୍ଗରେ ଚାଲିବାକୁ ଥିଲା। କାଳୀ ଶଙ୍କର ନ୍ୟାୟାଳୟର ରାୟ ବିରୁଦ୍ଧରେ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟରେ ଅପିଲ କରିଥିଲେ। ଉଚ୍ଚ ନ୍ୟାୟାଳୟରେ ମଧ୍ୟ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମାମଲା ଚାଲିଲା।
୧୯୯୫ରେ ଆରମ୍ଭ ହୋଇଥିବା ଏହି ମାମଲା ପ୍ରାୟ ୩୧ ବର୍ଷ ଧରି ଆଇନଗତ ପ୍ରକ୍ରିୟାରେ ଅଟକି ରହିଥିଲା। ମାମଲାଟି ଜଷ୍ଟିସ ପ୍ରଦୀପ କୁମାର ଶ୍ରୀବାସ୍ତବଙ୍କ ଇଜଲାସରେ ଶୁଣାଣି ହୋଇଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଉଚ୍ଚ ନ୍ୟାୟାଳୟ ଦୋଷୀ ସାବ୍ୟସ୍ତକୁ କାଏମ୍ ରଖିଛନ୍ତି ।
ଉଚ୍ଚ ନ୍ୟାୟାଳୟ କାଳୀ ଶଙ୍କର ଧୋବୀଙ୍କ ଦଣ୍ଡ କମାଇ ଦେଇଛନ୍ତି । ଉଚ୍ଚ ନ୍ୟାୟାଳୟ ମାମଲାର ଦୀର୍ଘ ସମୟ, ତାଙ୍କ ବୟସ ଓ ଅସୁସ୍ଥତାକୁ ଧ୍ୟାନରେ ରଖିଛନ୍ତି। ଦୁର୍ନୀତି ନିବାରଣ ଆଇନର ଧାରା ୭ ଅନୁଯାୟୀ ଏକ ବର୍ଷର ଦଣ୍ଡକୁ ଛଅ ମାସକୁ କମାଇ ଦିଆଯାଇଛି। ଧାରା ୧୩(୨) ଅନୁଯାୟୀ ଦେଢ଼ ବର୍ଷର ଦଣ୍ଡକୁ ଏକ ବର୍ଷକୁ କମାଇ ଦିଆଯାଇଛି। ଉଭୟ ଦଣ୍ଡ ଏକାସାଙ୍ଗରେ ଚାଲିବ, ଯାହାର ଅର୍ଥ କାଳୀ ଶଙ୍କର ଧୋବୀଙ୍କୁ ସର୍ବାଧିକ ଏକ ବର୍ଷ ଜେଲ କାଟିବାକୁ ହେବ। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ପରେ କାଳୀ ଶଙ୍କର ଧୋବୀ ପୂର୍ବରୁ ନିଜ ରେଳ ଚାକିରି ହରାଇ ସାରିଥିଲେ।
ଉଚ୍ଚ ନ୍ୟାୟାଳୟରେ ଏହା ମଧ୍ୟ ଦାଖଲ କରାଯାଇଥିଲା ଯେ, ତାଙ୍କର ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନଥିଲା ଏବଂ ଏହା ତାଙ୍କର ପ୍ରଥମ ଅପରାଧ। ତଥାପି ହାଇକୋର୍ଟ ତଳ କୋର୍ଟର ରାୟକୁ କାଏମ୍ ରଖିଥିଲେ । ଦୁଇ ମାସ ମଧ୍ୟରେ ଆତ୍ମସମର୍ପଣ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ୭୫ ବର୍ଷ ବୟସରେ ତାଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।