Four Killed in Devastating House Fire: ଦୀପାବଳି ପୂର୍ବରୁ ଜଳିଗଲା ସଂସାର; ହୁତୁହୁତୁ ହୋଇ ଜଳିଲା ଘର, ଚାଲିଗଲା ୪ ଜୀବନ

Nov 08, 2026 - 20:08
Four Killed in Devastating House Fire: ଦୀପାବଳି ପୂର୍ବରୁ ଜଳିଗଲା ସଂସାର; ହୁତୁହୁତୁ ହୋଇ ଜଳିଲା ଘର, ଚାଲିଗଲା ୪ ଜୀବନ

ଦୀପାବଳି ପୂର୍ବରୁ ଜଳିଗଲା ସଂସାର, ଅଗ୍ନିକାଣ୍ଡରେ ଚାଲିଗଲା ୪-୪ଟି ନିରୀହ ଜୀବନ।

ରୋଷେଇ ଚାଲିଥିବା ବେଳେ ହଠାତ୍ ଘରେ ଲାଗିଗଲା ନିଆଁ।

ଚାହୁଁ ଚାହୁଁ ଜଳିପୋଡ଼ି ପାଉଁଶ ହୋଇଗଲା ପୂରା ଘର।

ଏହି ଭୟାବହ ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଗଲେ ଦୁଇ ମହିଳା ଓ ଦୁଇ ଶିଶୁ।

ଜଣେ ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

ଯାଜପୁର ବାଲିଚନ୍ଦ୍ରପୁର ଅଂଚଳର ଏହି ଛାତିଥରା ଘଟଣା ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।...

Advertisment ଯେଉଁ ଘରେ କିଛି ସମୟ ପୂର୍ବରୁ ରୋଷେଇର ବାସ୍ନା ଓ ହସଖୁସିର ମାହୋଲ ଥିଲା, ସେଠି ଶୁଭୁଛି ଆତ୍ମୀୟସ୍ୱଜନଙ୍କ ବୁକୁଫଟା କାନ୍ଦ।

ଯାଜପୁର ବାଲିଚନ୍ଦ୍ରପୁର ଥାନା ଶେଖ୍ ମହଲାରେ ଘଟିଛି ଏଭଳି ହୃଦୟବିଦାରକ ଘଟଣା।

ଶନିବାର ରାତି ପ୍ରାୟ ୮ଟା।

ସେକ୍ ନିଜାମୁଦ୍ଦିନଙ୍କ ଘରେ ଚାଲିଥିଲା ରୋଷେଇ।

କେହି କିଛି ବୁଝିବା ଆଗରୁ ହଠାତ୍ ଚାରିଆଡ଼େ ମାଡ଼ିଗଲା ନିଆଁ।

ଆଜବେଷ୍ଟସ୍ ଓ ଚାଳ ଛପର ଘରେ ନିଆଁ ଦ୍ରୁତଗତିରେ ବ୍ୟାପିଗଲା।

ଆଖି ପିଛୁଳାକେ ପାଉଁଶ ହୋଇଗଲା ଚାରି ବଖରା ଘର।

ସ୍ଥାନୀୟ ଲୋକେ ନିଆଁ ଲିଭାଇବା ସହ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ।

ହେଲେ ନିଆଁର ଭୟାବହତା ଆଗରେ ସବୁ ପ୍ରୟାସ ଫେଲ୍ ମାରିଥିଲା।

ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ସବୁକିଛି ସରିଯାଇଥିଲା।

ନିଆଁର ଆଁରେ ଚାଲିଗଲା ଦୁଇ ମହିଳା ଓ ଦୁଇ ଶିଶୁଙ୍କ ଜୀବନ।

Advertisment ମୃତକଙ୍କ ମଧ୍ୟରେ ଅଛନ୍ତି ଘର ମାଲିକ ସେକ୍ ନିଜାମୁଦ୍ଦିନଙ୍କ ବଡ଼ ବୋହୂ, ବିବାହିତା ଝିଅ, ତାଙ୍କ ୧୧ ବର୍ଷର ଝିଅ ଏବଂ ୮ ମାସର ଶିଶୁପୁତ୍ର।

ଅନ୍ୟଜଣେ ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ତେବେ ଏତେ ବଡ଼ ଅଗ୍ନିକାଣ୍ଡ କେମିତି ଘଟିଲା?

ରୋଷେଇ ସମୟରେ ନିଆଁ ଲାଗିଥିବା କୁହାଯାଉଥିଲେ ମଧ୍ୟ ଏହାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।

ଅଗ୍ନିଶମ ବାହିନୀର ପ୍ରାଥମିକ ତଦନ୍ତ ଅନୁଯାୟୀ, ସର୍ଟ ସର୍କିଟ୍ ଯୋଗୁଁ ଘରେ ନିଆଁ ଲାଗିଥିବା କୁହାଯାଉଛି।

ବାଲିଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ସେପଟେ ବ୍ୟବଚ୍ଛେଦ ପରେ ମୃତକଙ୍କ ଶବ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ଦୀପାବଳିର ଆଲୋକରେ ସାରା ଦୁନିଆ ଝଲସୁଥିବା ବେଳେ ସେଖ ମହଲାର ଏହି ପରିବାରରେ ଛାଇଯାଇଛି ଚିର ଅନ୍ଧାର।

ଗୋଟିଏ ରାତିର ଅଗ୍ନିକାଣ୍ଡ ଛଡ଼ାଇ ନେଇଛି ଚାରି ଚାରିଟି ଅମୂଲ୍ୟ ଜୀବନ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।