France Erupts In Violent Protests Over Rising Prices: ଫ୍ରାନ୍ସରେ ହିଂସାର ତାଣ୍ଡବ, ଦରବୃଦ୍ଧି ବିରୋଧୀ ଆନ୍ଦୋଳନ ନେଲା ଉଗ୍ରରୂପ
ରାସ୍ତାରେ ଜଳୁଛି ନିଆଁ, ଛିନ୍ ଛତ୍ର ଦୋକାନ ବଜାର ଓ ଚାରିଆଡ଼େ ଅଳିଆ ଆବର୍ଜନା। ଏ ଦୃଶ୍ୟ ଫ୍ରାନ୍ସର ବିଭିନ୍ନ ସହରର। ଦରବୃଦ୍ଧି, ସ୍କୁଲର ଦୁରବସ୍ଥା ଓ ସରକାରୀ ବ୍ୟବସ୍ଥାକୁ ନେଇ ହୋଇଥିବା ପ୍ରତିବାଦ ଏବେ ହିଂସାର ରୂପ ନେଇଛି। ମାର୍ସେଇ, ପ୍ୟାରିସ୍, ଲିଓନ୍, ଲିଲ୍ ଓ ବୋର୍ଡୋ ସମେତ ଅନେକ ସହରରେ ଉତ୍ତେଜନାମୂଳକ ସ୍ଥିତି। ବିକ୍ଷୋଭକାରୀ ଟାର୍ଗେଟରେ ଥିଲା ଦାମୀ ବ୍ରାଣ୍ଡେଡ୍ ଷ୍ଟୋର। ମାର୍ସେଇରେ ରୋଲେକ୍ସ ଓ ଲୁଇ ଭିଟନ୍ ଷ୍ଟୋରରେ ଲୁଟ୍ ହୋଇଛି। ହର୍ମେସ୍ ସମେତ ଅନ୍ୟ ଫ୍ୟାଶନ୍, ଗହଣା ଓ ପୋଷାକ ଦୋକାନକୁ ଟାର୍ଗେଟ୍ କରାଯାଇଛି। ଲିଲରେ ଆପଲ୍ ଷ୍ଟୋରରେ ଲୁଟ୍ ହୋଇଥିବା ବେଳେ ନିସରେ କ୍ରୀଡ଼ା ପୋଷାକ ଦୋକାନ ଓ ଏକ ମୋଟରସାଇକେଲ୍ ସୋ ରୁମକୁ ଛାଡ଼ିନାହାନ୍ତି ଆନ୍ଦୋଳନକାରୀ।
ବିକ୍ଷୋଭ ଆଳରେ ଲୁଟ୍, ଭଙ୍ଗାରୁଜା ଓ ଅଗ୍ନିକାଣ୍ଡ ଘଟାଇଛନ୍ତି। କେଉଁଠି ଦୋକାନର କାଚ ଭାଙ୍ଗି ଲୁଟ୍, ତ ଆଉ କେଉଁଠି ରାସ୍ତାରେ ନିଆଁ। ପ୍ୟାରିସର ଶାତେଲେ ଅଞ୍ଚଳରେ ପ୍ରତିବାଦ ପରେ ରାସ୍ତାରେ ବିଛାଡ଼ି ହୋଇପଡିଛି ଅଳିଆ ଆବର୍ଜନା। ଲିମୋଜ ସହରର ଟାଉନ୍ ହଲରେ ଲାଗିଥିବା ନିଆଁ ଯୋଗୁଁ କୋଠାର ଛାତର ଏକ ଅଂଶ ଭୁଶୁଡ଼ି ପଡ଼ିଥିବା ରିପୋର୍ଟ ଆସିଛି। ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ପୋଲିସକୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଛି। ଏଥିରେ ୧୫୦ରୁ ଅଧିକ ପୋଲିସ କର୍ମୀ ଆହତ ନେଇ ହୋଇଥିବା ସୂଚନା ମିଳିଛି। ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ବ ଆନ୍ଦୋଳନକାରୀ ପ୍ୟାରିସ ରାସ୍ତାକୁ ଚାଲିଆସିଥିବା କୁହାଯାଉଛି। ହିଂସାରେ ସାମିଲ ଥିବା ୧୨ ଶହ ଆନ୍ଦୋଳକାରୀଙ୍କୁ ଗିରଫ କରାଯାଇଛି।
ତେବେ ପ୍ରଶ୍ନ ଉଠୁଛି, କାହିଁକି ଲୋକଙ୍କ ମଧ୍ୟରେ ଏତେ ଅସନ୍ତୋଷ ? କାହିଁକି ରାସ୍ତାରେ ହଜାର ହଜାର ଲୋକ ? କୁହାଯାଉଛି, ବିଭିନ୍ନ ସହରରେ ସ୍କୁଲରେ କର୍ମଚାରୀଙ୍କ ଅଭାବ, ଦୁର୍ବଳ ଭିତ୍ତିଭୂମି ଓ ଦିନକୁ ଦିନ ବଢ଼ୁଥିବା ଦରବୃଦ୍ଧିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଥିଲା। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ପ୍ରତିବାଦରେ ପରେ ବିଭିନ୍ନ ଶ୍ରମିକ ସଂଗଠନ ପ୍ରତିବାଦରେ ସାମିଲ ହୋଇଥିଲେ। ୨୦୧୮ରେ ଦରବୃଦ୍ଧି ବିରୋଧରେ ଆନ୍ଦୋଳନ କରିଥିବା ‘ୟେଲୋ ଭେଷ୍ଟ’ ଆନ୍ଦୋଳନର କିଛି ସଦସ୍ୟ ଆନ୍ଦୋଳରେ ଯୋଗ ଦେଇଥିବା ଖବର ଆସିଛି।... ତେବେ ସବୁ ବିକ୍ଷୋଭକାରୀ ହିଂସାରେ ସାମିଲ ନଥିବା ବିବିସି ରିପୋର୍ଟରେ ଉଲ୍ଲେଖ କରିଛି। କିନ୍ତୁ କିଛି ମୁଖାପିନ୍ଧା ବ୍ୟକ୍ତି ହିଂସା, ଲୁଟ୍ ଓ ଭଙ୍ଗାରୁଜା ଘଟାଇଥିବା ଫ୍ରାନ୍ସର ଗୃହ ମନ୍ତ୍ରଣାଳୟ କହିଛି।
ପ୍ରତିବାଦର ନିଆଁ ଏବେ ଫ୍ରାନ୍ସ ସରକାର ଓ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଗୋଟିଏ ପରେ ଜନତାଙ୍କ ଅସନ୍ତୋଷ, ରାସ୍ତାରେ ହିଂସା ଓ ସମ୍ପତ୍ତି ନଷ୍ଟ। ଅନ୍ୟପଟେ ଲୋକଙ୍କ ଦାବି ଓ ଆଇନଶୃଙ୍ଖଳା ପରିସ୍ଥିତି ଚିନ୍ତା ବଢାଇଛି। ଏସବୁ ଭିତରେ ଆନ୍ଦୋଳନ ଆଗକୁ କେଉଁ ରୂପ ନେଉଛି, ତାହା ଉପରେ ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।