France in Flames: ଜଳୁଛି ଫ୍ରାନ୍ସ, ବିକ୍ଷୋଭରୁ ଭୟଙ୍କର ହିଂସାକାଣ୍ଡ; ୧୨୦୦ରୁ ଅଧିକ ଲୋକ ଗିରଫ
ଫ୍ରାନ୍ସରେ ଜୋରଦାର ଦେଖାଦେଇଛି ପ୍ରତିବାଦ। ତେଜୁଛି ସରକାରୀ ବିରୋଧୀ ଆନ୍ଦୋଳନ। ଫ୍ରାନ୍ସରେ ବୃଦ୍ଧି ପାଉଥିବା ଜୀବନଧାରଣ ଖର୍ଚ୍ଚ, ଦୁର୍ବଳ ସାଧାରଣ ସେବା ଏବଂ ବିଦ୍ୟାଳୟଗୁଡ଼ିକର ଶୋଚନୀୟ ଅବସ୍ଥାକୁ ନେଇ ଚାଲିଥିବା ପ୍ରତିବାଦ ଭୟଙ୍କର ହିଂସାର ରୂପ ନେଇଛି। ପ୍ୟାରିସ୍ ସମେତ ଦେଶର ବିଭିନ୍ନ ପ୍ରମୁଖ ସହରରେ ରାସ୍ତାରେ ଲୁହବୁହା ଗ୍ୟାସ୍ର ଧୂଆଁ, ଜଳୁଥିବା ଗାଡ଼ି ଓ ଭଙ୍ଗାଯାଇଥିବା ଦୋକାନ ବଜାରର ଦୃଶ୍ୟ ଦେଖିବାକୁ ମିଳିଛି।
ଦେଶର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଆକଳନ ଅନୁଯାୟୀ ସାରା ଦେଶରେ ପ୍ରାୟ ୫,୫୦,୦୦୦ ଲୋକ ରାସ୍ତାକୁ ଓହ୍ଲାଇଥିଲେ, ଯେଉଁଥିରେ କେବଳ ପ୍ୟାରିସରେ ୧,୧୦,୦୦୦ ପ୍ରତିବାଦକାରୀ ସାମିଲ ଥିଲେ। ହିଂସା କାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ୧,୨୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ଏଥିସହ ପ୍ରଧାନମନ୍ତ୍ରୀ ସେବାଷ୍ଟିଆନ୍ ଲେକୋର୍ନୁଙ୍କ ସୂଚନା ଅନୁଯାୟୀ, ସଂଘର୍ଷରେ ୧୫୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।
ବୋର୍ଡକ୍ସରେ ଲୁଇସ ଭୁଟନ ଏବଂ ଲିଲରେ ଆପଲ୍ ଷ୍ଟୋର୍ ସମେତ ବହୁ ବାଣିଜ୍ୟିକ ପ୍ରତିଷ୍ଠାନ ଓ ଦୋକାନରେ ବ୍ୟାପକ ଲୁଟ୍ପାଟ୍ କରାଯାଇଛି। ଏହି ଅଶାନ୍ତି କେବଳ ପ୍ୟାରିସରେ ସୀମିତ ନରହି ଅନ୍ୟ ସହରଗୁଡ଼ିକୁ ମଧ୍ୟ ବ୍ୟାପିଛି। ଲିୟନ୍ ସହରର ପର୍ଯ୍ୟଟନ କାର୍ଯ୍ୟାଳୟରେ ନିଆଁ ଲାଗିଯିବାରୁ ଏହା ସମ୍ପୂର୍ଣ୍ଣ ଜଳିଯାଇଛି। ମେୟର ଗ୍ରେଗୋରି ଡୌସେଟ୍ ଏହାକୁ ଏକ ବଡ଼ ଦୁର୍ଭାଗ୍ୟ ବୋଲି କହିଛନ୍ତି।
ଲିମୋଗେସ୍ ଟାଉନ୍ ହଲ୍ରେ ଏକ ବିରାଟ ଅଗ୍ନିକାଣ୍ଡ ଯୋଗୁଁ କୋଠାର ଛାତ ଭୁଶୁଡ଼ି ପଡ଼ିଛି। ଗ୍ରେନୋବ୍ଲେ, ଆଭିଗନନ୍, ମାର୍ସେଲ ଏବଂ ମଣ୍ଟପିଲିୟର ଭଳି ସହରଗୁଡ଼ିକରେ ମଧ୍ୟ ସରକାରୀ କୋଠା ଓ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି।
ଛାତ୍ର ଆନ୍ଦୋଳନରୁ ତେଜିଲା ବିଦ୍ରୋହ:
ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଶିକ୍ଷକ ଅଭାବ ଏବଂ ଭିତ୍ତିଭୂମି ସମସ୍ୟାକୁ ନେଇ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। କିନ୍ତୁ କିଛି ଦିନ ହେବ ଏହା ସହିତ ଶ୍ରମିକ ସଂଘ ଏବଂ ୨୦୧୮ ମସିହାର ଜନଜୀବନ ସମସ୍ୟାକୁ ନେଇ ଗଢ଼ିଉଠିଥିବା 'ହଳଦିଆ କୋଟ୍' ଆନ୍ଦୋଳନର ସଦସ୍ୟମାନେ ମଧ୍ୟ ଯୋଗଦେଇଛନ୍ତି।
ହିଂସା, ଅଗ୍ନିକାଣ୍ଡ ଓ ଲୁଟ୍ପାଟ୍କୁ କଡ଼ା ନିନ୍ଦା କରିବା ସହ ଅପରାଧୀମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରୋନ୍ ଚେତାବନୀ ଦେଇଛନ୍ତି।
ତେବେ ଆଗାମୀ ବର୍ଷ ଏପ୍ରିଲରେ ହେବାକୁଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ପରିସ୍ଥିତି ରାଜନୈତିକ ବାତାବରଣକୁ ସରଗରମ କରିଛି। ନ୍ୟାସନାଲ୍ ରାଲି ନେତା ମାରିନ୍ ଲେ ପେନ୍ ଏଥିପାଇଁ କଟ୍ଟର ବାମପନ୍ଥୀଙ୍କୁ ଦାୟୀ କରିଥିବାବେଳେ, ବାମପନ୍ଥୀନେତା ଜିନ୍-ଲୁକ୍ ମେଲେଞ୍ଚନ୍ ପୁଲିସର କାର୍ଯ୍ୟାନୁଷ୍ଠାନକୁ କଟାକ୍ଷ କରିଛନ୍ତି।
ପୋଲିସର କାର୍ଯ୍ୟକାଳ ଏବଂ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ପୋଲିସ କର୍ମଚାରୀଙ୍କ ସଂଘ ଚେତାବନୀ ଦେଇଛି ଯେ ପୋଲିସ କର୍ମଚାରୀମାନେ କ୍ରମାଗତ ଭାବେ ଆକ୍ରମଣର ଶିକାର ହେଉଛନ୍ତି ଏବଂ ପରିସ୍ଥିତି ସୀମା ବାହାରକୁ ଚାଲିଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।