From Dacoit Legacy To Civil Services: ଡକାୟତ ପରିବାରରୁ ସିଭିଲ ସର୍ଭିସ୍, ସଂଘର୍ଷ ପରେ ସଫଳ ହେଲେ ଦେବ

Sep 30, 2026 - 15:38
From Dacoit Legacy To Civil Services: ଡକାୟତ ପରିବାରରୁ ସିଭିଲ ସର୍ଭିସ୍, ସଂଘର୍ଷ ପରେ ସଫଳ ହେଲେ ଦେବ

ଚମ୍ବଲ ଅଞ୍ଚଳର ନାଁ ଶୁଣିଲେ ଦିନେ ଡକାୟତ, ବନ୍ଧୁକ ଓ ଜଙ୍ଗଲ କଥା ମନକୁ ଆସୁଥିଲା। କିନ୍ତୁ ମଧ୍ୟପ୍ରଦେଶର ମୋରେନା ଜିଲ୍ଲାର ଏକ ଗାଁରୁ ଆସିଥିବା ଦେବ ପ୍ରଭାକର ସିଂହ ତୋମର ନିଜ ପରିବାରର ସେହି ଅତୀତକୁ ପଛରେ ପକାଇ ସଫଳତାର ନୂଆ ଅଧ୍ୟାୟ ଲେଖିଛନ୍ତି। IIT ରୋପରରୁ ପାଠପଢ଼ା ଶେଷ କରିବା ପରେ ନେଦରଲ୍ୟାଣ୍ଡସ୍‌ରେ Philips କଂପାନୀରେ ଚାକିରି କରିଥିଲେ। ହେଲେ ତାଙ୍କ ଲକ୍ଷ୍ୟ ଥିଲା ଆଉ କିଛି ବଡ଼।

ତୋମରଙ୍କ ପରିବାରର ଅତୀତ ଡକାୟତି ଓ ହିଂସା ସହ ଜଡ଼ିତ ଥିଲା। ତାଙ୍କ କହିବା ଅନୁସାରେ, ପ୍ରାୟ ୭୫ ବର୍ଷ ପୂର୍ବେ ପାରିବାରିକ ବିବାଦ ଓ ସେତେବେଳର ପ୍ରଶାସନ ସହ ସମସ୍ୟା ପରେ ତାଙ୍କ ଜେଜେବାପା ଡକାୟତ ହୋଇଯାଇଥିଲେ। ପରେ ତାଙ୍କ ଦାଦା ମଧ୍ୟ ସେହି ପଥରେ ଯାଇଥିଲେ। ଏହାର ପ୍ରଭାବ ପରିବାର ଉପରେ ପଡ଼ିଥିଲା ଏବଂ ଅନେକ ସମୟରେ ଖାଇବା ପାଇଁ ମଧ୍ୟ ସଂଘର୍ଷ କରିବାକୁ ପଡ଼ିଥିଲା।
କିନ୍ତୁ ତୋମରଙ୍କ ବାପା ଶିକ୍ଷାକୁ ବାଛିଥିଲେ। ଗାଁ ଛାଡ଼ି ଗ୍ୱାଲିଅର ଯାଇ ପାଠପଢ଼ିବା ସହ ପରେ ଶିକ୍ଷକ ହୋଇଥିଲେ।

ସେହି ପରିବାରରୁ ଆସିଥିବା ତୋମର ପ୍ରଥମେ ମଧ୍ୟପ୍ରଦେଶ ବୋର୍ଡରେ ପଢ଼ିଥିଲେ। ଷଷ୍ଠ ଶ୍ରେଣୀରେ CBSE ସ୍କୁଲକୁ ଯିବା ପରେ ନୂଆ ଭାଷା ଓ ପରିବେଶ ସହ ଖାପ ଖୁଆଇବା ତାଙ୍କ ପାଇଁ ସହଜ ନଥିଲା। ଏକାଦଶ ଶ୍ରେଣୀରେ IIT ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ପରିବାରର ଆର୍ଥିକ ସ୍ଥିତି ଯୋଗୁଁ ବାହାରକୁ ଯାଇ କୋଚିଂ ନେଇପାରିନଥିଲେ। ଘରେ ନିଜେ ପଢ଼ି IIT ରୋପରରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପଢ଼ିଥିଲେ।

ପରେ ନେଦରଲ୍ୟାଣ୍ଡସ୍‌ରେ ଚାକିରି କରିଥିଲେ। କିନ୍ତୁ ସିଭିଲ ସର୍ଭିସ୍ ପ୍ରତି ଆଗ୍ରହ ବଢ଼ିବାରୁ ଚାକିରି ଛାଡ଼ି UPSC ପାଇଁ ଭାରତ ଫେରିଥିଲେ। ପ୍ରଥମ ପ୍ରୟାସରେ ପ୍ରିଲିମ୍ସରେ ୧୨.୫ ମାର୍କ ପାଇଁ ଏବଂ ଦ୍ୱିତୀୟ ପ୍ରୟାସରେ ୨.୫ ମାର୍କ ପାଇଁ ବିଫଳ ହୋଇଥିଲେ।

ହାର୍ ନମାନି ପ୍ରସ୍ତୁତି ରଣନୀତି ବଦଳାଇଥିଲେ। ପରେ ପ୍ରିଲିମ୍ସ, ମେନ୍ସ ଓ ଇଣ୍ଟରଭ୍ୟୁ ପାସ୍ କରି UPSC Civil Services Examination 2025ରେ ଅଲ୍ ଇଣ୍ଡିଆ ରାଙ୍କ ୬୨୯ ହାସଲ କରିଥିଲେ। ତାଙ୍କୁ Indian Railway Traffic Service (IRTS) ମିଳିଛି ଏବଂ ବର୍ତ୍ତମାନ ସେ ରେଳ ମନ୍ତ୍ରଣାଳୟରେ କାର୍ଯ୍ୟରତ।

ଜେଜେବାପା ବାଛିଥିଲେ ଡକାୟତର ପଥ, ବାପା ବାଛିଥିଲେ ଶିକ୍ଷା ଏବଂ ନାତି ଚୟନ କଲେ ସିଭିଲ ସର୍ଭିସ୍‌। ତିନି ପିଢ଼ିର ଏହି ପରିବର୍ତ୍ତନ ତୋମରଙ୍କ ଜୀବନଯାତ୍ରାକୁ ଏକ ଭିନ୍ନ ପରିଚୟ ଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।