17 SEPTEMBER 2026

Welcome!

Unlock your personalized experience.
Sign Up

From Smoke to Space: ଧୂଆଁରୁ ମହାକାଶ ଯାଏଁ: ସୁଭଦ୍ରା ସହ ଆଗେଇ ଚାଲିଛି ଓଡ଼ିଶାର ନାରୀଶକ୍ତି

Sep 17, 2026 - 09:03
From Smoke to Space: ଧୂଆଁରୁ ମହାକାଶ ଯାଏଁ: ସୁଭଦ୍ରା ସହ ଆଗେଇ ଚାଲିଛି ଓଡ଼ିଶାର ନାରୀଶକ୍ତି

ଦିନ ଥିଲା ଯେଉଁ ହାତ ରୋଷେଇ ଘରର ଚୁଲି ଧୂଆଁ ମଧ୍ୟରେ ନିଜ ସ୍ୱପ୍ନକୁ ଲୁଚାଇ ରଖୁଥିଲା, ଆଜି ସେହି ହାତ ନୂଆ ଭାରତର ଭାଗ୍ୟ ଲେଖୁଛି। ଚୁଲିର ଧୂଆଁରୁ ମହାକାଶର ଯାତ୍ରା  ପର୍ଯ୍ୟନ୍ତ, ଭାରତୀୟ ନାରୀଙ୍କ ଏହି ରୂପାନ୍ତର କେବଳ ଏକ ସାମାଜିକ ପରିବର୍ତ୍ତନ ନୁହେଁ, ବରଂ ବଦଳୁଥିବା ଭାରତର ପରିଚୟ। ଆଜି ନାରୀ କେବଳ ବିକାଶର ଲାଭାର୍ଥୀ ହୋଇ ରହିନାହିଁ, ସେ ନିଜେ ବିକାଶର ପ୍ରମୁଖ ସହଭାଗୀ ଓ ନେତୃତ୍ୱଦାତ୍ରୀ ସାଜିଛି। ଜାତୀୟ ସ୍ତରରେ ଉଜ୍ଜ୍ୱଳା, ଜନଧନ ଓ ‘ଲକ୍ଷପତି ଦିଦି’ ଭଳି କ୍ରାନ୍ତିକାରୀ ପଦକ୍ଷେପ ମହିଳାଙ୍କୁ ଆର୍ଥିକ ସ୍ୱାଧୀନତାର ସ୍ୱାଦ ଚଖାଇଥିବା ବେଳେ, ଓଡ଼ିଶା ମାଟିରେ ଏହି ବୈପ୍ଳବିକ ଯାତ୍ରାର ସବୁଠୁ ଶକ୍ତିଶାଳୀ ଓ ଉଜ୍ଜ୍ୱଳ ଆଲେଖ୍ୟ ପାଲଟିଛି ‘ସୁଭଦ୍ରା’ ଯୋଜନା।

Abhimata: ଅଙ୍ଗାର ବେପାରର ଏପାଖ ସେପାଖ

ସେପ୍ଟେମ୍ବର ୧୭ କେବଳ ଏକ ତାରିଖ ହୋଇ ରହିନାହିଁ; ଏହା ଓଡ଼ିଶାର ନାରୀଶକ୍ତି ପାଇଁ ଆଶା ଓ ଆତ୍ମନିର୍ଭରତାର ଏକ ମହୋତ୍ସବରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଏବଂ ସେବା ସଂକଳ୍ପ ସହ ଯୋଡ଼ିହୋଇ ‘ସୁଭଦ୍ରା’ ଯୋଜନା ନିଜର ଦ୍ୱିତୀୟ ସଫଳ ବାର୍ଷିକୋତ୍ସବ ପାଳନ କରୁଛି। ରାଜ୍ୟର ପ୍ରାୟ ୧ କୋଟି ୩ ଲକ୍ଷ ମହିଳାଙ୍କ ପାଇଁ ଏହି ଦିନଟି ଏକ ନୂତନ ସମ୍ଭାବନାର ଦ୍ୱାର ଖୋଲିଦେଇଛି। ୫ ବର୍ଷିଆ ଏହି ବିଶାଳ ଯୋଜନାରେ ମୋଟ ୨୫,୦୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ସିଧାସଳଖ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଉଛି, ଯାହା କେବଳ କାଗଜପତ୍ରର ତଥ୍ୟ ନୁହେଁ, ବରଂ ଲକ୍ଷ ଲକ୍ଷ ପରିବାରର ସାମାଜିକ ଓ ଆର୍ଥିକ ଭିତ୍ତିଭୂମିକୁ ସୁଦୃଢ଼ କରିବାର ମାଧ୍ୟମ ସାଜିଛି। ତେବେ ଏହି ଆର୍ଥିକ ଅନୁଦାନ ପ୍ରକୃତରେ ସାମାଜିକ ସ୍ତରରେ କେତେ ପ୍ରଭାବ ପକାଇପାରିଛି, ତାହାର ସତ୍ୟାସତ୍ୟ ପରଖିବା ପାଇଁ ଆରମ୍ଭ ହୋଇଥିବା “ସୁଭଦ୍ରା ସମୀକ୍ଷା” ଏକ ଗୁରୁତ୍ୱପୂର୍ଣ୍ଣ ଆଭିମୁଖ୍ୟ। ରାଜ୍ୟର ୨୨,୦୦୦ରୁ ଅଧିକ ହିତାଧିକାରୀଙ୍କ ସହ ସିଧାସଳଖ କଥାବାର୍ତ୍ତା ଏବଂ ପ୍ରଭାବ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ମହିଳାମାନେ ସୁଭଦ୍ରାର ଟଙ୍କାକୁ କେବଳ ଦୈନନ୍ଦିନ ଖର୍ଚ୍ଚରେ ସୀମିତ ନରଖି ଆତ୍ମବିକାଶରେ ବିନିଯୋଗ କରୁଛନ୍ତି। ଯୋଜନାର ପ୍ରାରମ୍ଭିକ ପର୍ଯ୍ୟାୟରେ ମାତ୍ର ୧୨% ମହିଳା ଦକ୍ଷତା ବିକାଶ ପାଇଁ ଆଗ୍ରହୀ ଥିବା ବେଳେ, ପରବର୍ତ୍ତୀ କିସ୍ତି ଅନୁଧ୍ୟାନ ସୁଦ୍ଧା ଏହି ସଂଖ୍ୟା ଅଭୂତପୂର୍ବ ଭାବେ ୬୪%କୁ ବୃଦ୍ଧି ପାଇଛି। ଏହି ପରିବର୍ତ୍ତନ ସ୍ପଷ୍ଟ କରେ ଯେ ଆଜିର ଓଡ଼ିଶା ମହିଳାଏ କେବଳ ଭତ୍ତା ଗ୍ରହଣକାରୀ ନୁହନ୍ତି, ବରଂ ନିଜ ଦକ୍ଷତା ବୃଦ୍ଧି କରି ସ୍ୱାବଲମ୍ବୀ ହେବାକୁ ଗଭୀର ଆକାଂକ୍ଷା ରଖୁଛନ୍ତି।

Editorial: ଆତ୍ମ-ବିନାଶ!

ସରକାରୀ ସମୀକ୍ଷାର ଏହି ଆକଳନକୁ ପ୍ରମାଣିତ କରୁଛି IIM ସମ୍ବଲପୁର ଏବଂ SBI Researchର ସ୍ୱାଧୀନ ଅଧ୍ୟୟନ ରିପୋର୍ଟ। IIM ସମ୍ବଲପୁରର ତଥ୍ୟ ଅନୁଯାୟୀ, ପ୍ରାୟ ୮୦% ମହିଳା ‘ସୁଭଦ୍ରା’ ଅର୍ଥକୁ ଦୀର୍ଘମିଆଦୀ ଆର୍ଥିକ ସୁରକ୍ଷା ପାଇଁ ବିନିଯୋଗ କରୁଛନ୍ତି, ଯେଉଁଥିରେ ୨୫.୫୨% (ଏବଂ ଅନୁସୂଚିତ ଜାତିର ୩୦.୨୫%) ମହିଳା ନିଜସ୍ୱ କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରିଛନ୍ତି। ସେହିପରି ୬୩.୯% ମହିଳା ନିଜେ ଆର୍ଥିକ ନିଷ୍ପତ୍ତି ନେବା ସହ ୯୮% ନିଜକୁ ସଶକ୍ତ ମନେକରୁଛନ୍ତି। ଅନ୍ୟପଟେ, SBI ରିପୋର୍ଟ ଦର୍ଶାଉଛି ଯେ ହିତାଧିକାରୀଙ୍କ ମାସିକ ଆକାଉଣ୍ଟ ବାଲାନ୍ସରେ ୪୫% ଏବଂ କ୍ରୟ କ୍ଷମତାରେ ୨୮% ବୃଦ୍ଧି ଘଟିଛି। ଏହି ସମସ୍ତ ଗବେଷଣାତ୍ମକ ତଥ୍ୟ ଗୋଟିଏ କଥା ପ୍ରମାଣିତ କରୁଛି ଯେ ‘ସୁଭଦ୍ରା’ କେବଳ ଏକ ସରକାରୀ ଯୋଜନା ହୋଇ ରହିନାହିଁ, ଏହା ମହିଳାଙ୍କ ମଧ୍ୟରେ ବ୍ୟବସାୟିକ ମନୋଭାବ ଓ ସଞ୍ଚୟର ନୂଆ ଆଶା ଜାଗ୍ରତ କରିଛି।

ଏହି ସଫଳତାର ସୂତ୍ରକୁ ଆଧାର କରି ଆମର ପରବର୍ତ୍ତୀ ଲକ୍ଷ୍ୟ ହେବା ଉଚିତ- ଟଙ୍କା ସହିତ ଦକ୍ଷତା, ଦକ୍ଷତା ସହିତ ବଜାର ଏବଂ ବଜାର ସହିତ ନିରନ୍ତର ଆୟକୁ ଯୋଡ଼ିବା। ଯେଉଁ ମହିଳାମାନେ ବ୍ୟବସାୟ ଆରମ୍ଭ କିମ୍ବା ବିସ୍ତାର କରିବାକୁ ଚାହୁଛନ୍ତି, ସେମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ, ଡିଜିଟାଲ ବ୍ୟାଙ୍କିଂ ଏବଂ ଉପଯୁକ୍ତ ବଜାର ସହ ଯୋଡ଼ିବା ଆଜିର ସମୟର ଆବଶ୍ୟକତା। ଯେତେବେଳେ ଜଣେ ମହିଳା ନିଜ ପାଦରେ ଠିଆ ହୋଇ ଅନ୍ୟ ଦଶ ଜଣଙ୍କ ପାଇଁ ରୋଜଗାରର ବାଟ ଖୋଲିବେ, ସେତେବେଳେ ‘ସୁଭଦ୍ରା’ ଯୋଜନା ଏକ ସାମାଜିକ ଆନ୍ଦୋଳନର ରୂପ ନେବ। ତେଣୁ ସେପ୍ଟେମ୍ବର ୧୭ କେବଳ ଏକ ଉତ୍ସବର ଦିନ ନୁହେଁ; ଏହା ଏକ ନୂଆ ସଂକଳ୍ପର ଦିନ। ଆସନ୍ତୁ, ଏହି ଦିନ ମା’ ସୁଭଦ୍ରାଙ୍କ ଆଶୀର୍ବାଦରେ ‘ଆଶୀର୍ବାଦର ଦୀପ’ ଜଳାଇବା। ଏହି ଦୀପ ହେଉ ସେବାର ପ୍ରତୀକ, ଆତ୍ମନିର୍ଭରତାର ପ୍ରତୀକ ଏବଂ ‘ରାଷ୍ଟ୍ର ପ୍ରଥମ’ ଭାବନାର ପ୍ରତୀକ।
ଆସନ୍ତୁ, ଏହି ଦୀପର ଆଲୋକରେ ପ୍ରତ୍ୟେକ ମହିଳାଙ୍କ ସ୍ୱପ୍ନକୁ ଆହୁରି ଉଜ୍ଜ୍ୱଳ କରିବା। 
ଆସନ୍ତୁ, ଗଢ଼ିବା ଆତ୍ମନିର୍ଭର ନାରୀ, ଆତ୍ମନିର୍ଭର ଓଡ଼ିଶା।
ଆସନ୍ତୁ, ମିଶିକରି ସାକାର କରିବା ଆତ୍ମନିର୍ଭର ଭାରତର ସ୍ୱପ୍ନ।

ପ୍ରଭାତୀ ପରିଡ଼ା
ଉପମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।