From Spiritual Avatar To Retro Glam: ସନ୍ନ୍ୟାସ ପରେ ପୁଣି ଗ୍ଲାମରସ୍ ଅବତାର; ପୁରୁଣା ଗୀତରେ ନାଚି ଧୂଆଁ କରିଦେଲେ, ଭାଇରାଲ ହେଲା ଭିଡିଓ

Sep 27, 2026 - 17:59
From Spiritual Avatar To Retro Glam: ସନ୍ନ୍ୟାସ ପରେ ପୁଣି ଗ୍ଲାମରସ୍ ଅବତାର; ପୁରୁଣା ଗୀତରେ ନାଚି ଧୂଆଁ କରିଦେଲେ, ଭାଇରାଲ ହେଲା ଭିଡିଓ

୯୦ ଦଶକର ବଲିଉଡ୍‌କୁ ମନେ ପକାଇଦେଲେ ମମତା କୁଲକର୍ଣ୍ଣୀ। ଏକଦା ବଡ଼ ପରଦାରେ ନିଜ ଗ୍ଲାମର, ଅଭିନୟ ଓ ଡ୍ୟାନ୍ସ ପାଇଁ ଚର୍ଚ୍ଚାରେ ରହୁଥିବା ମମତା ଦୀର୍ଘ ବର୍ଷ ପରେ ପୁଣି ଥରେ ନିଜ ପୁରୁଣା ଅନ୍ଦାଜରେ ନଜର ଆସିଛନ୍ତି। ତାଙ୍କର ଏକ ଡ୍ୟାନ୍ସ ଭିଡିଓ ସୋସିଆଲ୍ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେବା ପରେ ପ୍ରଶଂସକମାନେ ପୁଣିଥରେ ୯୦ ଦଶକର ସ୍ମୃତିରେ ହଜିଯାଇଛନ୍ତି।

ନିକଟରେ ଜୟପୁରରେ ଆୟୋଜିତ ୧୪ତମ ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲରେ ମମତା କୁଲକର୍ଣ୍ଣୀ ଯୋଗ ଦେଇଥିଲେ। ଏହି ଅବସରରେ ତାଙ୍କୁ ଲାଇଫ୍‌ଟାଇମ୍ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଥିଲା। ସମ୍ମାନ ସମାରୋହରେ ମମତାଙ୍କ ୯୦ ଦଶକର ଚଳଚ୍ଚିତ୍ରର କେତେକ ଲୋକପ୍ରିୟ ଗୀତ ବଜାଯାଇଥିଲା। ଏହି ଗୀତରେ ଷ୍ଟେଜ୍‌ରେ ଛାତ୍ରଛାତ୍ରୀମାନେ ଡ୍ୟାନ୍ସ କରୁଥିବା ବେଳେ ଶେଷରେ ମମତା ମଧ୍ୟ ନିଜକୁ ରୋକି ପାରିନଥିଲେ।

ନିଜ ପୁରୁଣା ଗୀତରେ ଝୁମିଲେ ମମତା

ଭାଇରାଲ ଭିଡିଓରେ ମମତାଙ୍କୁ ନିଜର ବହୁ ପୁରୁଣା ହିଟ୍ ଗୀତରେ ଝୁମୁଥିବା ଦେଖିବାକୁ ମିଳୁଛି। ‘ଘାତକ’ ଫିଲ୍ମର ‘କୋଇ ଯାଏ ତୋ ଲେ ଆଏ’, ‘କରଣ ଅର୍ଜୁନ’ର ‘ଏକ ମୁଣ୍ଡା ମେରି ଉମର୍ ଦା’ ଏବଂ ‘ସବସେ ବଡ଼ା ଖିଲାଡ଼ି’ର ‘ଲମ୍ବା ଲମ୍ବା ଘୁଂଘଟ’ ଭଳି ଗୀତ ବଜିବା ସହ ପୂରା ମାହୋଲ୍ ୯୦ ଦଶକର ସିନେମା ସ୍ମୃତିକୁ ତାଜା କରିଦେଇଥିଲା।

ବିଶେଷ କରି ପ୍ରାୟ ୩୧ ବର୍ଷ ପୁରୁଣା ଗୀତରେ ମମତାଙ୍କୁ ପୁଣି ଥରେ ନାଚୁଥିବା ଦେଖି ପ୍ରଶଂସକମାନେ ବେଶ୍ ଉତ୍ସାହିତ ହୋଇଛନ୍ତି। ସୋସିଆଲ୍ ମିଡିଆରେ ଭିଡିଓକୁ ଶେୟାର କରି ଅନେକ ୟୁଜର୍ ମମତାଙ୍କ ପୁରୁଣା ଫିଲ୍ମ ଓ ଗୀତକୁ ମନେ ପକାଇଛନ୍ତି।

ଗେରୁଆ ବଦଳରେ ପର୍ପଲ୍ ଆଉଟଫିଟ୍

ଗତ କିଛି ସମୟ ଧରି ମମତା କୁଲକର୍ଣ୍ଣୀଙ୍କୁ ମୁଖ୍ୟତଃ ଭଗବା ବା ଗେରୁଆ ରଙ୍ଗର ପୋଷାକରେ ଦେଖିବାକୁ ମିଳୁଥିଲା। ଆଧ୍ୟାତ୍ମିକ ଜୀବନ ସହ ଜଡ଼ିତ ହେବା ପରେ ତାଙ୍କର ଏହି ରୂପ ହିଁ ଅଧିକ ଚର୍ଚ୍ଚିତ ଥିଲା।

କିନ୍ତୁ ଜୟପୁରର ଏହି କାର୍ଯ୍ୟକ୍ରମରେ ତାଙ୍କର ଅନ୍ଦାଜ ପୂରା ବଦଳିଯାଇଥିଲା। ମମତା ପର୍ପଲ୍ ରଙ୍ଗର ଷ୍ଟାଇଲିସ୍ ପୋଷାକ ପିନ୍ଧି ଇଭେଣ୍ଟରେ ପହଞ୍ଚିଥିଲେ। ତାଙ୍କର ଏହି ମଡର୍ଣ୍ଣ ଲୁକ୍ ଓ ଷ୍ଟେଜ୍‌ରେ ଡ୍ୟାନ୍ସ ଫ୍ୟାନ୍‌ମାନଙ୍କ ନଜର ଆକର୍ଷଣ କରିଥିଲା।

ଏକଦା ବଲିଉଡ୍‌ର ଗ୍ଲାମରସ୍ ଅଭିନେତ୍ରୀ ଭାବେ ପରିଚିତ ମମତାଙ୍କୁ ଏହି ରୂପରେ ଦେଖି ଅନେକ ପ୍ରଶଂସକ ‘ପୁରୁଣା ମମତା ପୁଣି ଫେରିଆସିଛନ୍ତି’ ବୋଲି ପ୍ରତିକ୍ରିୟା ଦେଉଛନ୍ତି।

୨୦୨୫ରେ ନେଇଥିଲେ ସନ୍ନ୍ୟାସ

ମମତା କୁଲକର୍ଣ୍ଣୀ ୨୦୨୫ ଜାନୁଆରୀରେ ପ୍ରୟାଗରାଜ ମହାକୁମ୍ଭ ସମୟରେ ଆଧ୍ୟାତ୍ମିକ ଜୀବନ ଆପଣାଇଥିବା ଖବରକୁ ନେଇ ଚର୍ଚ୍ଚାରେ ଆସିଥିଲେ। ସେ ସଙ୍ଗମରେ ଧାର୍ମିକ ରୀତିନୀତି ପାଳନ କରିବା ସହ ପିଣ୍ଡଦାନ କରିଥିଲେ।

ଏହାପରେ ତାଙ୍କୁ ଆଧ୍ୟାତ୍ମିକ ନାମ ‘ଶ୍ରୀ ଯମାଇ ମମତା ନନ୍ଦ ଗିରି’ ଦିଆଯାଇଥିଲା। ଏହା ସହିତ କିନ୍ନର ଆଖଡ଼ାରେ ତାଙ୍କୁ ମହାମଣ୍ଡଳେଶ୍ୱର ପଦ ଦିଆଯିବାକୁ ନେଇ ମଧ୍ୟ ବେଶ୍ ଆଲୋଚନା ହୋଇଥିଲା। ପରବର୍ତ୍ତୀ ସମୟରେ ସେ ଏହି ପଦରୁ ଅଲଗା ହୋଇଥିବା ଖବର ସାମ୍ନାକୁ ଆସିଥିଲା।

୨୪ ବର୍ଷ ପରେ ମୁମ୍ବାଇ ଫେରିଥିଲେ

ମମତା କୁଲକର୍ଣ୍ଣୀ ଦୀର୍ଘ ସମୟ ଧରି ଭାରତ ଏବଂ ବିଶେଷ କରି ମୁମ୍ବାଇର ଲାଇମ୍‌ଲାଇଟ୍‌ରୁ ଦୂରେଇ ରହିଥିଲେ। ପ୍ରାୟ ୨୪ ବର୍ଷ ପରେ ୨୦୨୪ ଡିସେମ୍ବରରେ ସେ ମୁମ୍ବାଇ ଫେରିଥିଲେ। ତାଙ୍କ ଫେରିବା ପରଠାରୁ ମମତା ପୁଣିଥରେ ଖବରର ଶିରୋନାମାକୁ ଆସିଥିଲେ।

୯୦ ଦଶକରେ ମମତା ବଲିଉଡ୍‌ର ଜଣେ ଚର୍ଚ୍ଚିତ ନାୟିକା ଥିଲେ। ସେ ସଲମାନ ଖାନ, ଶାହରୁଖ ଖାନ, ଅକ୍ଷୟ କୁମାର, ସୈଫ୍ ଅଲ୍ଲୀ ଖାନଙ୍କ ଭଳି ଅନେକ ବଡ଼ ଷ୍ଟାରଙ୍କ ସହ ପରଦା ସେୟାର କରିଥିଲେ। ‘କରଣ ଅର୍ଜୁନ’, ‘ସବସେ ବଡ଼ା ଖିଲାଡ଼ି’, ‘କ୍ରାନ୍ତିବୀର’ ଓ ‘ବାଜି’ ଭଳି ଫିଲ୍ମ ତାଙ୍କୁ ଦର୍ଶକଙ୍କ ମଧ୍ୟରେ ପରିଚିତ କରାଇଥିଲା।

ଭାଇରାଲ ଡ୍ୟାନ୍ସରେ ପୁଣି ଚର୍ଚ୍ଚାରେ ମମତା

ସିନେମା ଜଗତରୁ ଦୀର୍ଘ ବର୍ଷ ଦୂରେଇ ରହିବା, ପରେ ଆଧ୍ୟାତ୍ମିକ ଜୀବନକୁ ନେଇ ଚର୍ଚ୍ଚା ଏବଂ ଏବେ ପୁଣି ପୁରୁଣା ବଲିଉଡ୍ ଗୀତରେ ଡ୍ୟାନ୍ସ—ମମତା କୁଲକର୍ଣ୍ଣୀଙ୍କ ଜୀବନର ଏହି ନୂଆ ଅଧ୍ୟାୟ ପ୍ରଶଂସକଙ୍କ ଆଗ୍ରହ ବଢ଼ାଇଛି।

ଜୟପୁରର ମଞ୍ଚରେ ତାଙ୍କର ଏହି ଡ୍ୟାନ୍ସ କେବଳ ଏକ ପରଫର୍ମାନ୍ସ ହୋଇ ରହିନାହିଁ; ବରଂ ୯୦ ଦଶକର ବଲିଉଡ୍‌କୁ ଭଲପାଉଥିବା ଦର୍ଶକଙ୍କ ପାଇଁ ଏହା ପୁରୁଣା ସ୍ମୃତିକୁ ପୁଣିଥରେ ତାଜା କରିଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।