From Vegetable Stall to Fake Notes: ଇନଷ୍ଟାଗ୍ରାମ ରିଲ୍ ଦେଖି ଶିଖିଲେ ନକଲି ନୋଟ୍ ଛାପିବା, ପରିବା ବ୍ୟବସାୟୀ ଗିରଫ
ଇନଷ୍ଟାଗ୍ରାମ ରିଲ୍ ଦେଖି ନକଲି ନୋଟ୍ ଛାପିବା ଶିଖିଲେ। ପରେ ଟେଲିଗ୍ରାମରେ ନେଲେ ଟ୍ରେନିଂ। ଶେଷରେ ନକଲି ନୋଟ୍ କାରବାରରେ ଗିରଫ ହେଲେ ଜଣେ ପରିବା ବ୍ୟବସାୟୀ। ଗୁଜରାଟର ରାଜକୋଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।
ଗିରଫ ଅଭିଯୁକ୍ତ ହେଉଛି କିଶନ ସୋଲାଙ୍କି। ରାଜକୋଟ ସହରର ମାଣ୍ଡାଡୁଙ୍ଗର ଅଞ୍ଚଳରେ ଥିବା ତା ଘରେ ଚଢ଼ାଉ କରି କ୍ରାଇମ୍ ବ୍ରାଞ୍ଚ ଓ ସ୍ପେଶାଲ ଅପରେସନ୍ସ ଗ୍ରୁପ୍ (SOG) ତାକୁ ଗିରଫ କରିଛି। ଚଢ଼ାଉ ବେଳେ ୨୧୬ଟି ୧୦୦ ଟଙ୍କିଆ ଓ ୩ଟି ୫୦୦ ଟଙ୍କିଆ ନକଲି ନୋଟ୍ ଜବତ ହୋଇଛି।
ଏହାସହ ଦୁଇଟି ପ୍ରିଣ୍ଟର, CPU, ମନିଟର, ଲାମିନେଟର ମେସିନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ। ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୬୫ ହଜାର ୫୦୦ ଟଙ୍କା ହେବ ବୋଲି କୁହାଯାଇଛି।
ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, କମ୍ ରୋଜଗାର ଯୋଗୁଁ ଋଣଗ୍ରସ୍ତ ହୋଇପଡ଼ିଥିଲା କିଶନ। ଏହି ସମୟରେ ଇନଷ୍ଟାଗ୍ରାମରେ ନକଲି ନୋଟ୍ ତିଆରି ସମ୍ପର୍କିତ ରିଲ୍ ଦେଖିବା ପରେ ସେ ସମ୍ପୃକ୍ତ ବ୍ୟକ୍ତି ସହ ଯୋଗାଯୋଗ କରିଥିଲା। ପରେ ଟେଲିଗ୍ରାମ ମାଧ୍ୟମରେ ସେ ନକଲି ନୋଟ୍ ଛାପିବା ପ୍ରକ୍ରିୟା ଶିଖିଥିବା ପୋଲିସ କହିଛି।
ଅଭିଯୁକ୍ତ ନିଜେ ଛୋଟ ଛୋଟ ଜିନିଷ କିଣାକିଣି କରି ନକଲି ନୋଟ୍ ବଜାରରେ ଚଳାଉଥିଲା। ଗତ ୪ରୁ ୫ ମାସ ମଧ୍ୟରେ ପ୍ରାୟ ୪୦ଟି ୧୦୦ ଟଙ୍କିଆ ନକଲି ନୋଟ୍ ଚଳାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଜନ୍ମାଷ୍ଟମୀ ମେଳାରେ ମଧ୍ୟ ସେ ନକଲି ନୋଟ୍ ଚଳାଇଥିବା ସନ୍ଦେହ କରୁଛି ପୋଲିସ।
ଅନ୍ୟପଟେ, ଟେଲିଗ୍ରାମରେ ଟ୍ରେନିଂ ଦେଇଥିବା ବ୍ୟକ୍ତିକୁ ଖୋଜୁଛି ପୋଲିସ। ଏହି ନେଟୱର୍କରେ ଆଉ କେହି ସାମିଲ ଅଛନ୍ତି କି ନାହିଁ, ତାହାର ମଧ୍ୟ ତଦନ୍ତ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।