Full-Body Scanners to Detect Hidden Objects: ଫୁଲ୍ ବଡି ସ୍କାନର୍ ଲାଗିବ ବିମାନବନ୍ଦରରେ, ଫ୍ଲାଇଦୁବାଇ ଘଟଣା ପରେ ସୁରକ୍ଷା କଡ଼ାକଡ଼ି
ଫ୍ଲାଇଦୁବାଇ ବିମାନରେ ସହ-ପାଇଲଟ୍ଙ୍କ ଆକ୍ରମଣ ଘଟଣା ପରେ ଦେଶର ବିମାନବନ୍ଦରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ଭାରତର ଅଧିକାଂଶ ବିମାନବନ୍ଦରରେ ଫୁଲ୍ ବଡି ସ୍କାନର୍ ଲଗାଯିବ। ପ୍ରଥମ ପର୍ଯ୍ୟାୟରେ ୮ଟି ବିମାନବନ୍ଦରରେ ଏହି ସ୍କାନର୍ ଲଗାଇବାକୁ ଯୋଜନା ହୋଇଛି।
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ସମୀର ସିହ୍ନାଙ୍କ କହିବା ଅନୁସାରେ, ୩ଟି ବିମାନବନ୍ଦରରେ ମେସିନ୍ ପହଞ୍ଚିସାରିଛି। ଅବଶିଷ୍ଟ ୫ଟି ବିମାନବନ୍ଦରରେ ଖୁବ୍ଶୀଘ୍ର ଏହା ଲଗାଯିବ। ଏହି ଡିଭାଇସ୍ରୁ ମିଳୁଥିବା ତଥ୍ୟକୁ ମଧ୍ୟ ସଂଗ୍ରହ ଓ ବିଶ୍ଳେଷଣ କରାଯାଉଛି।
ସୂଚନା ଅନୁସାରେ, ତେଲ୍ ଆଭିଭ୍ ଅଭିମୁଖେ ଯାଉଥିବା ଫ୍ଲାଇଦୁବାଇ ବିମାନ FZ 1073ରେ ସହ-ପାଇଲଟ୍ ଭାରତୀୟ କ୍ୟାପଟେନ୍ ସ୍ମିତ ମଚ୍ଛାରଙ୍କୁ ଛୁରି ଭଳି ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ହୋଇଥିଲେ ମଧ୍ୟ କ୍ୟାପଟେନ୍ ତାଙ୍କୁ ପ୍ରତିରୋଧ କରିଥିଲେ। ଏହି ଘଟଣାରେ ସହ-ପାଇଲଟ୍ ଗିରଫ ହୋଇଛନ୍ତି। ଆକ୍ରମଣରେ ଛୁରି ବ୍ୟବହାର ହୋଇଥିଲା ନା କକ୍ପିଟ୍ରେ ଥିବା ଫାୟାର୍ ଆକ୍ସ, ତାହା ସ୍ପଷ୍ଟ ହୋଇନାହିଁ।
ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି, ତଦନ୍ତ ରିପୋର୍ଟ ଆସିବା ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ।
କ’ଣ ଏହି ଫୁଲ୍ ବଡି ସ୍କାନର୍?
ସାଧାରଣ ମେଟାଲ୍ ଡିଟେକ୍ଟର୍ ଓ ମାନୁଆଲ୍ ଯାଞ୍ଚ ବଦଳରେ ଏହି ସ୍କାନର୍ ମିଲିମିଟର୍-ୱେଭ୍ ଟେକ୍ନୋଲୋଜି ବ୍ୟବହାର କରି ଶରୀରରେ ଲୁଚାଯାଇଥିବା ଧାତବ ଓ ଅଣଧାତବ ବସ୍ତୁ ଚିହ୍ନଟ କରିପାରିବ। ଏଥିପାଇଁ ଯାତ୍ରୀଙ୍କୁ ଶାରୀରିକ ସ୍ପର୍ଶ କିମ୍ବା ପୋଷାକ ଖୋଲିବାକୁ ପଡ଼ିବ ନାହିଁ।
ତେବେ ଗୋପନୀୟତାକୁ ନେଇ ଉଠୁଥିବା ଚିନ୍ତା ଦୂର କରିବାକୁ ଭାରତରେ ଲାଗିବାକୁ ଥିବା ସ୍କାନର୍ଗୁଡ଼ିକ ‘ପିକ୍ଚର୍ ଏଗ୍ନୋଷ୍ଟିକ୍’ ହେବ। ଅର୍ଥାତ୍ ଯାତ୍ରୀଙ୍କ ପ୍ରକୃତ ଶରୀରର ଚିତ୍ର ବଦଳରେ ଏକ ସାଧାରଣ ମଡେଲ୍ ଦେଖାଯିବ ଏବଂ ସନ୍ଦେହଜନକ ବସ୍ତୁ ଥିବା ସ୍ଥାନକୁ ଚିହ୍ନଟ କରାଯିବ।
ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ କୋଚି ବିମାନବନ୍ଦରରେ ଏହାର ପରୀକ୍ଷାମୂଳକ ବ୍ୟବହାର ଚାଲିଛି। ଫ୍ଲାଇଦୁବାଇ ଘଟଣା ପରେ ଏହାର ବ୍ୟାପକ ପ୍ରଚଳନ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସମ୍ଭାବନା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।