Gandahati Waterfall Closed: ଦିନେ ଭିଡ଼... ଆଜି ଖାଁ ଖାଁ: ବାତ୍ୟା ପରେ ନିରବୀ ଯାଇଛି ଗଣ୍ଡାହାତୀ; ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ
ଖାଁ ଖାଁ ପଡ଼ିଛି ଓଡ଼ିଶାର ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ।
ଯେଉଁଠି କିଛି ଦିନ ପୂର୍ବରୁ ପର୍ଯ୍ୟଟକଙ୍କ ଭିଡ଼, ପିଲାଙ୍କ ହସ ଓ ଜଳର କୁଳୁକୁଳୁ ଶବ୍ଦରେ ପୂରା ପରିବେଶ ମୁଖର ରହୁଥିଲା, ଆଜି ସେଠାରେ ଛାଇଛି ନିରବତା।
ଗଜପତି ଜିଲ୍ଲାର ପ୍ରସିଦ୍ଧ ଗଣ୍ଡାହାତୀ ଜଳପ୍ରପାତରେ ଏବେ ପର୍ଯ୍ୟଟକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି।
Advertisment ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ପରେ ଗଣ୍ଡାହାତୀ ଜଳପ୍ରପାତରେ ଜଳର ପରିମାଣ ହଠାତ୍ ବଢ଼ିଯାଇଥିଲା।
ପାହାଡ଼ ଉପରୁ ପ୍ରଚଣ୍ଡ ବେଗରେ ଜଳ ତଳକୁ ଖସୁଥିବାରୁ ଜଳପ୍ରପାତ ଏବେ ଭୟଙ୍କର ରୂପ ନେଇଛି।
ଯଦିଓ ବର୍ତ୍ତମାନ ଜଳପ୍ରବାହର ମାତ୍ରା କିଛି ହ୍ରାସ ପାଇଛି, ତଥାପି ଏହାର ଗର୍ଜନ କମିନାହିଁ।
ପ୍ରଚଣ୍ଡ ଶବ୍ଦ ସହ ଅତ୍ୟଧିକ ବେଗରେ ଖସୁଥିବା ଜଳରାଶି ଦେଖିବାକୁ ଯେତେ ଆକର୍ଷଣୀୟ, ସେତେଇ ବିପଜ୍ଜନକ ମଧ୍ୟ।
ଅସାବଧାନତାରୁ କୌଣସି ବଡ଼ ଅଘଟଣ ଘଟିପାରେ ବୋଲି ଆଶଙ୍କା ରହିଥିବାରୁ ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।
Advertisment ବାତ୍ୟାର ପ୍ରଭାବ କେବଳ ଜଳପ୍ରବାହ ଉପରେ ନୁହେଁ, ଜଳପ୍ରପାତ ପରିସରରେ ମଧ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।
ପ୍ରବଳ ପବନ ଓ ବର୍ଷାରେ ଅନେକ ଗଛ ଭାଙ୍ଗି ପଡ଼ିଛି।
ପର୍ଯ୍ୟଟକଙ୍କ ପାଇଁ ଥିବା କିଛି ସୁବିଧା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ବିଶେଷ କରି ପିଲାମାନଙ୍କ ଖେଳିବା ପାଇଁ ରଖାଯାଇଥିବା ସାମଗ୍ରୀ ନଷ୍ଟ ହୋଇଥିବା ବେଳେ, ସୁରକ୍ଷା ପାଇଁ ଥିବା ବ୍ୟାରିକେଡ୍ ଓ ରେଲିଂର କିଛି ଅଂଶ ମଧ୍ୟ ଭାଙ୍ଗିଯାଇଛି।
ଏଭଳି ପରିସ୍ଥିତିରେ ଜଳପ୍ରପାତକୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ରଖିବା ବିପଦଜନକ ହୋଇପାରେ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
ଜଳପ୍ରବାହ ସ୍ୱାଭାବିକ ହେବା ସହ ଭାଙ୍ଗିଯାଇଥିବା ସୁରକ୍ଷା ବ୍ୟବସ୍ଥା ମରାମତି ନହେବା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଗଣ୍ଡାହାତୀ ନଆସିବାକୁ ବାରଣ କରାଯାଇଛି।
ବନ ବିଭାଗ କର୍ମଚାରୀଙ୍କ କହିବା ଅନୁସାରେ, ପ୍ରଥମେ ଅଞ୍ଚଳର ସୁରକ୍ଷା ସ୍ଥିତି ଯାଞ୍ଚ କରାଯିବ।
ଭାଙ୍ଗିଥିବା ରେଲିଂ, ବ୍ୟାରିକେଡ୍ ଓ ଅନ୍ୟାନ୍ୟ ସୁବିଧାକୁ ପୁଣି ସୁସ୍ଥ କରାଯିବା ପରେ ହିଁ ପର୍ଯ୍ୟଟକଙ୍କ ପାଇଁ ଦ୍ୱାର ଖୋଲାଯିବ।
ଯେଉଁ ଗଣ୍ଡାହାତୀ ଦିନେ ପର୍ଯ୍ୟଟକଙ୍କ ମନ ମୋହୁଥିଲା, ଆଜି ସେହି ସ୍ଥାନ ନେଇଛି ଭିନ୍ନ ରୂପ।
ମନମୋହକ ଜଳପ୍ରପାତ ଏବେ ପ୍ରକୃତିର ପ୍ରଚଣ୍ଡ ଶକ୍ତିର ଚିତ୍ର ଦେଖାଉଛି।
ସ୍ଥିତି ସ୍ୱାଭାବିକ ହେଲେ ପୁଣି ପର୍ଯ୍ୟଟକଙ୍କ କୋଳାହଳରେ ଗଣ୍ଡାହାତୀ ମୁଖର ହେବ ବୋଲି ଆଶା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।