Gangrape Survivor Recounts Horror: ପୋଲିସ ପରିଚୟ ଦେଇ ଗଣଦୁଷ୍କର୍ମ, ନାବାଳିକାଙ୍କ ମୁହଁରେ ଛାତିଥରା ବୟାନ
ଦିଲ୍ଲୀର କାଲକାଜି ଅଞ୍ଚଳର ଏକ ପାର୍କରେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ଜଣେ ନାବାଳିକା। ପୋଲିସକୁ ନାବାଳିକା ଦେଇଥିବା ବୟାନ ଅନୁଯାୟୀ, ତିନି ଜଣ ବ୍ୟକ୍ତି ନିଜକୁ ପୋଲିସ ବୋଲି ପରିଚୟ ଦେଇ ତାଙ୍କୁ ଓ ତାଙ୍କ ବନ୍ଧୁଙ୍କୁ ଧମକ ଦେଇଥିଲେ। ଅଭିଯୋଗ ଅନୁସାରେ, ପରେ ନାବାଳିକାଙ୍କୁ ପାର୍କର ଏକ ନିର୍ଜନ ସ୍ଥାନକୁ ନେଇ ଜଘନ୍ୟ କାଣ୍ଡ ଭିଆଇଥିଲେ ଅଭିଯୁକ୍ତ।
ପୋଲିସକୁ ଦିଆଯାଇଥିବା ବୟାନ ଅନୁସାରେ, ସେପ୍ଟେମ୍ବର ୨୧ ତାରିଖରେ ପୀଡ଼ିତାଙ୍କ ଜନ୍ମଦିନ ଥିଲା। ସେ ତାଙ୍କ ଜଣେ ବନ୍ଧୁଙ୍କ ସହ କାଲକାଜି ମନ୍ଦିର ଯାଇଥିଲେ। ପରେ ଇସ୍କନ ମନ୍ଦିର ଯିବାର ଯୋଜନା ଥିଲା। ସନ୍ଧ୍ୟା ପ୍ରାୟ ୫ଟାରେ ସେ ଘରୁ ବାହାରିଥିବା ବେଳେ ପ୍ରାୟ ୫ଟା ୪୫ରେ ବନ୍ଧୁଙ୍କ ସହ ମନ୍ଦିରରେ ପହଞ୍ଚିଥିଲେ।
ମନ୍ଦିରରେ ପ୍ରାର୍ଥନା କରିବା ପରେ ଦୁହେଁ କାଲକାଜି ମେଟ୍ରୋ ଷ୍ଟେସନ ନିକଟରୁ ଚିପ୍ସ ଓ ପାଣି କିଣିଥିଲେ। ଏହାପରେ ଗେଟ୍ ନମ୍ବର ୭ ଦେଇ ଆସ୍ଥା କୁଞ୍ଜ ପାର୍କରେ ପ୍ରବେଶ କରିଥିଲେ। କିଛି ସମୟ ପାର୍କରେ ବସିବା ପରେ ଇସ୍କନ ମନ୍ଦିର ଯିବେ ବୋଲି ସେମାନେ ଯୋଜନା କରିଥିବା ପୀଡ଼ିତା ତାଙ୍କ ବୟାନରେ କହିଛନ୍ତି।
ପୀଡ଼ିତାଙ୍କ କହିବା ଅନୁସାରେ, ଝୁଲା ନିକଟରେ ଥିବା ଏକ ବେଞ୍ଚରେ ଦୁହେଁ ବସି ଚିପ୍ସ ଖାଉଥିବା ସମୟରେ ତିନି ଜଣ ବ୍ୟକ୍ତି ସେମାନଙ୍କ ନିକଟକୁ ଆସିଥିଲେ। ସେମାନଙ୍କ ବୟସ ପ୍ରାୟ ୩୦ରୁ ୩୫ ବର୍ଷ ମଧ୍ୟରେ ହେବ ବୋଲି ପୀଡ଼ିତା ଅନୁମାନ କରିଛନ୍ତି। ଅଭିଯୋଗ ଅନୁସାରେ, ସେମାନେ ପ୍ରଥମେ ପୀଡ଼ିତାଙ୍କ ବନ୍ଧୁଙ୍କୁ ଧରି ମାଡ଼ ମାରିଥିଲେ।
ଏହାପରେ ସେମାନେ ନିଜକୁ ପୋଲିସ ବୋଲି ପରିଚୟ ଦେଇ ପାର୍କରେ ସେହି ସମୟରେ କାହିଁକି ଆସିଛନ୍ତି ବୋଲି ପଚାରିଥିଲେ। ଏହି ସମୟରେ ଅଭିଯୁକ୍ତମାନେ ଉଭୟଙ୍କ ମୋବାଇଲ୍ ଫୋନ୍ ନେଇ ଯାଇଥିଲେ ଓ ପରେ ଦୁହିଁଙ୍କୁ ଅଲଗା କରିଦେଇଥିଲେ। ସେ ଭୟଭୀତ ହୋଇ ନିଜ ପରିବାର ସଦସ୍ୟଙ୍କ ସହ କଥା ହେବାକୁ ଅଭିଯୁକ୍ତମାନଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଅଭିଯୁକ୍ତମାନେ ଅସ୍ତ୍ର ଦେଖାଇ ତାଙ୍କୁ ଧମକ ଦେଇଥିଲେ।
ପୀଡ଼ିତା ଜଣେ ଅଭିଯୁକ୍ତଙ୍କ ନାମ ଆସିଫ୍ ବୋଲି ପୋଲିସକୁ କହିଛନ୍ତି। ତାଙ୍କ ବୟାନ ଅନୁସାରେ, ଆସିଫ୍ ଏକ ବନ୍ଧୁକ ବାହାର କରିଥିଲେ ଏବଂ ଅନ୍ୟମାନେ ଛୁରୀ ଦେଖାଇଥିଲେ। ପରେ ଅଭିଯୁକ୍ତମାନେ ତାଙ୍କୁ ପାର୍କର ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ଧମକ ଦେଇ ଗଣଦୁଷ୍କର୍ମ କରାଯାଇଥିଲା।
ଘଟଣା ପରେ ଅଭିଯୁକ୍ତମାନେ ଉଭୟଙ୍କ ମୋବାଇଲ୍ ଫୋନ୍ ଫେରାଇ ଦେଇଥିଲେ ଓ ଘଟଣା ସମ୍ପର୍କରେ କାହାକୁ ନ କହିବାକୁ ଧମକ ଦେଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଏହାପରେ ସେ ଓ ତାଙ୍କ ବନ୍ଧୁ ପାର୍କରୁ ବାହାରି ଆସିଥିଲେ। ବାହାରକୁ ଆସିବା ପରେ ପୀଡ଼ିତା ତାଙ୍କ ବନ୍ଧୁଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରେ ତାଙ୍କ ବନ୍ଧୁ ପୋଲିସକୁ ଫୋନ୍ କରିଥିଲେ।
ଏହି ମାମଲାରେ ମଙ୍ଗଳବାର ତିନି ଜଣ ଅଭିଯୁକ୍ତ—ଆସିଫ୍, ହେମନ୍ତ ଏବଂ ହେମନ୍ତଙ୍କ ସାନଭାଇ ମୁକେଶଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ହେମନ୍ତ ପେସାରେ ଓକିଲ ହୋଇଥିବା ବେଳେ ମୁକେଶ ବି.ଏସ୍ସି. ଗଣିତର ଶେଷ ବର୍ଷର ଛାତ୍ର ବୋଲି ସୂଚନା ମିଳିଛି।
ପୋଲିସ ସୂଚନା ଅନୁସାରେ, ହେମନ୍ତ ଓ ମୁକେଶଙ୍କୁ ସେମାନଙ୍କ ଘରୁ ଧରାଯାଇଥିଲା। ଅନ୍ୟପକ୍ଷରେ ଆସିଫ୍ଙ୍କୁ ଲେଡି ଶ୍ରୀରାମ ମହିଳା କଲେଜର ପଛ ଗେଟ୍ ନିକଟରୁ ଧରାଯାଇଥିଲା। ପୋଲିସ ସହ ଗୁଳି ବିନିମୟ ସମୟରେ ଆସିଫ୍ର ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି।
ପୋଲିସର ପ୍ରାଥମିକ ସୂଚନା ଅନୁସାରେ, ତିନି ଅଭିଯୁକ୍ତ ପରସ୍ପରକୁ ଜାଣିଥିଲେ ଏବଂ ସେହି ପାର୍କ ନିକଟରେ ନିୟମିତ ଭାବେ ଭେଟୁଥିଲେ। ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।