Ganjam Floods: ଗଞ୍ଜାମରେ ବନ୍ୟାର କରାଳ ରୂପ ! ଭାସିଗଲା ଗାଁ, ଭାଙ୍ଗିଲା ବ୍ରିଜ୍

Oct 31, 2026 - 08:33
Ganjam Floods: ଗଞ୍ଜାମରେ ବନ୍ୟାର କରାଳ ରୂପ ! ଭାସିଗଲା ଗାଁ, ଭାଙ୍ଗିଲା ବ୍ରିଜ୍

ଗଞ୍ଜାମରେ ନେପାଳ ଭଳି ଜଳପ୍ରଳୟ !

ଘରେ ଛାତିଏ ଉଚ୍ଚର ପାଣି ।

ରାସ୍ତା ନୁହେଁ, ଯେମିତି ନଈ ବହୁଛି।

ଋଷିକୂଲ୍ୟାର ଉଗ୍ରରୂପରେ ଛାରଖାର୍ ପୂରା ଗଞ୍ଜାମ ଜିଲ୍ଲା ।

ବିପଦରେ ହଜାର ହଜାର ଜୀବନ।

ଖାଇବାକୁ ଖାଦ୍ୟ ନାହିଁ, ପିଇବାକୁ ପାଣି ନାହିଁ ।

କେଉଁଠି ବ୍ରିଜ୍ ଭାଙ୍ଗିଛି, କେଉଁଠି ବୁଡିଯାଇଛି ସଂପୂର୍ଣ୍ଣ ଗାଁ, ତ ଆଉ କେଉଁଠି ଭାସିଯାଇଛି ଜୀବନ ।

ବ୍ରହ୍ମପୁରରୁ ସୋରଡ଼ା, ଭଞ୍ଜନଗରରୁ ଆସିକା, ସବୁଠି ବନ୍ୟା ବିଭୀଷିକା ।

ଏପଟେ ବନ୍ୟାରେ ଭଞ୍ଜନଗର ମଶାଣୀ ସାହିର ୧୨ଟି ଘର ଭାସି ଯାଇଥିବାରୁ ରାଜରାସ୍ତାରେ ବସିଛନ୍ତି ସାହିବାସିନ୍ଦା ।

Advertisment ଶେରଗଡ ବାଇପାସ୍ ରୋଡରେ ବନ୍ୟା ସୁଅର ଭାସି ଯାଉ ଯାଉ ଅଳ୍ପକେ ବର୍ତ୍ତିଯାଇଛନ୍ତି ଜଣେ ଯୁବକ ।

କିଛି ଲୋକେ ତାଙ୍କୁ ଟାଣି ଆଣିବାରୁ ତାଙ୍କର ଜୀବନ ବଞ୍ଚାଯାଇଛି ।

ସେହିପରି ଭଞ୍ଜନଗରରେ ଘର ବୁଡିଯିବାରୁ ଦୁଇ ଜଣ ବୃଦ୍ଧା ଗଛ ଡାଳରେ ଆଶ୍ରୟ ନେଇଥିବା ବେଳେ ତାଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।

ପୁରୁଷୋତ୍ତମପୁର ବ୍ଲକ ପ୍ରତାପୁର ନିକଟରେ କାଲିଠୁ ବନ୍ୟାପାଣିରେ ଫସି ରହିଛନ୍ତି ନୟାଗଡ଼ ଜିଲ୍ଲାର ୫ ଜଣ ଶ୍ରମିକ ।

ଜୀବନ ବଞ୍ଚାଇବା ପାଇଁ ପ୍ରତାପୁର ନିକଟସ୍ଥ ବାଇଧର ମନ୍ଦିରରେ ନେଇଛନ୍ତି ଆଶ୍ରୟ ।

ଭୋକ ଉପାସରେ ଦିନ କାଟୁଥିବା ବେଳେ ଏଯାଏଁ ସେମାନଙ୍କ ନିକଟରେ ପହଞ୍ଚି ପାରିନାହିଁ ଉଦ୍ଧାରକାରୀ ଦଳ ।

ଅନ୍ୟପଟେ ଆସିକାର ବି ସ୍ଥିତି ସଂଗୀନ ।

ଆସିକା ବସଷ୍ଟାଣ୍ଡରେ ୧୪ ଫୁଟ ପାଣି , ବିନୋବା ମାର୍ଗ , ଲକ୍ଷ୍ମୀ ବଜାରରେ ୧୦ ଫୁଟ ପାଣି ଜମିଥିଲା ତାହା ଧିରେ ଧିରେ ଖସୁଛି ।

ଆସିକା ଓ ଧରାକୋଟ ବ୍ଲକର ଅନେକ ଗ୍ରାମ ଏବେ ଜଳବନ୍ଦୀରେ ଥିବାବେଳେ ଏ ଯାଏଁ ରିଲିଫ୍ ପହଞ୍ଚିନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟା ବାସିନ୍ଦା ।

ସୋରଡ଼ା, ଆସିକା, ଭଞ୍ଜନଗର, ବ୍ରହ୍ମପୁର, ପୁରୁଷୋତ୍ତମପୁର ଚାରିଆଡୁ ବିଚ୍ଛିନ୍ନ ହୋଇଯାଇଛି ।

ଜଳବନ୍ଦୀ ଜୀବନ ବିତାଉଥିବା ବନ୍ୟା ବିପନ୍ନଙ୍କ ପାଇଁ ଏବେ ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ବିଶୁଦ୍ଧ ପାନୀୟ ଜଳ ।

ଗାଁ ଗାଁରେ ବନ୍ୟାଜଳ ଲହଡ଼ି ମାରୁଥିବା ବେଳେ ପ୍ରାୟ ସମସ୍ତ ଜଳଉତ୍ସ ଗୋଳିଆ ଓ ଦୂଷିତ ହୋଇପଡ଼ିଛି ।

ଭୋକଶୋଷରେ ପଡିଛନ୍ତି ହଜାର ହଜାର ଲୋକେ ।

ଉଜୁଡିଯାଇଛି ଚାଷବାସ, ଜୀବନଜୀବିକା ।

ବର୍ତ୍ତମାନ ଧୀରେ ଧୀରେ ବନ୍ୟା ପାଣି ଛାଡୁଥିବା ବେଳେ ଏବେ ଘରେ ଘରେ ଦେଖିବାକୁ ମିଳୁଛି ଆଣ୍ଠୁଏ ଉଚ୍ଚ କାଦୁଅ ।

କେବେ ଗଞ୍ଜାମରେ ପୁଣି ଜନଜୀବନ ସ୍ବାଭାବିକ ହେବ ତାକୁ ହିଁ ଅପେକ୍ଷା।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।