Gold Missing From Bank Locker:୨୩ ବର୍ଷ ପରେ ଲକର ଖୋଲିଲେ, ଭିତରେ କିଛି ନଥିଲା!

Aug 13, 2026 - 13:16
Gold Missing From Bank Locker:୨୩ ବର୍ଷ ପରେ ଲକର ଖୋଲିଲେ, ଭିତରେ କିଛି ନଥିଲା!

ବ୍ୟାଙ୍କ ଲକରରୁ ୫୦ ଲକ୍ଷ ଟଙ୍କାର ସୁନା ଗାଏବ । ୨୩ ବର୍ଷ ପରେ ଲକର ଖୋଲିବାରୁ ସବୁ ଖାଲି । ମହିଳାଙ୍କ ଅଭିଯାଗ ପରେ ମ୍ୟାନେଜରଙ୍କ ନାଁରେ ମାମଲା ।  କାନପୁରରେ ବ୍ୟାଙ୍କ ଲକରରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଗାଏବ ହୋଇଥିବା ଅଭିଯୋଗ ହୋଇଛି । ଜଣେ ମହିଳା ୨୩ ବର୍ଷ ପରେ ନିଜ ବ୍ୟାଙ୍କ ଲକର ଖୋଲିବାକୁ ଯାଇଥିବା ବେଳେ ଭିତରେ କିଛି ନଥିବା ସେ ଅଭିଯୋଗ କରିଛନ୍ତି । ଏହାପରେ ସେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ।

ମହିଳାଙ୍କ ଅଭିଯୋଗ ଅନୁସାରେ, ୨୦୦୩ ମସିହାରେ କାନପୁରର ସ୍ୱରୂପ ନଗରସ୍ଥିତ ତତ୍କାଳୀନ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଟ୍ରାଭାଙ୍କୋର ଶାଖାରେ ସେ ଗହଣା ରଖିଥିଲେ । ଲକରରେ ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ସହ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ରଖିଥିଲେ ।  ପରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଟ୍ରାଭାଙ୍କୋର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ମିଶ୍ରଣ ହୋଇଥିଲା । ସ୍ବାମୀଙ୍କ ମୃତ୍ୟୁ ପରେ ମହିଳା ଜଣକ ଲକ୍ଷ୍ନୌକୁ ଚାଲିଯାଇଥିଲେ । ଫଳରେ ସେ ନିୟମିତ ଭାବେ ବ୍ୟାଙ୍କ ଶାଖାକୁ ଯାଇପାରୁନଥିଲେ ।

ତେବେ ତାଙ୍କ ଆକାଉଣ୍ଟରୁ ଲକର ଚାର୍ଜ କଟୁଥିବାରୁ ଲକର ସକ୍ରିୟ ଥିବା ନେଇ ସେ ନିଶ୍ଚିତ ଥିଲେ । ଲକର ଖୋଲିବା ପାଇଁ ବ୍ୟାଙ୍କ ସହ ଯୋଗାଯୋଗ କରିବା ପରେ ରେକର୍ଡ ଯାଞ୍ଚ କରାଯାଇଥିଲା । ଶେଷରେ ଲକର ଖୋଲିବାକୁ ଅନୁମତି ମିଳିଥିଲା । 

ଲକର ଖୋଲାଯିବା ପରେ ସେ ଯାହା ଦେଖିଲେ ତାଙ୍କ ମୁଣ୍ଡ ଘୂରେଇ ଦେଇଥିଲା । ଲକର ଭିତରେ ତାଙ୍କ ଅଳଙ୍କାର କିମ୍ବା ଅନ୍ୟ କୌଣସି ସାମଗ୍ରୀ ନଥିଲା ।  ଘଟଣାକୁ ନେଇ ସ୍ବରୂପ ନଗର ଥାନାରେ ଶାଖା ପରିଚାଳକ ଏବଂ ଅନ୍ୟ ବ୍ୟାଙ୍କ କର୍ମଚାରୀଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ଏବେ ଲକର ଆକ୍ସେସ୍ ରେଜିଷ୍ଟର, ସିସିଟିଭି ଫୁଟେଜ୍ ଏବଂ ବ୍ୟାଙ୍କର ଅନ୍ୟାନ୍ୟ ରେକର୍ଡ ଯାଞ୍ଚ କରାଯାଉଛି । ଲକର କେବେ ଖୋଲାଯାଇଥିଲା ଏବଂ ଅଳଙ୍କାର କିପରି ଗାଏବ ହେଲା, ତାହା ଜାଣିବାକୁ ପୋଲିସ ତଦନ୍ତ ଜାରି ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।