07 NOVEMBER 2026

Welcome!

Unlock your personalized experience.
Sign Up

Good news: ଆମ ବସ୍‌ରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ୨୫ଟି ବସ୍‌ରେ ଲାଗିଲା ହାଇଡ୍ରୋଲିକ୍ ରାମ୍ପ

Nov 06, 2026 - 23:07
Good news: ଆମ ବସ୍‌ରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ୨୫ଟି ବସ୍‌ରେ ଲାଗିଲା ହାଇଡ୍ରୋଲିକ୍ ରାମ୍ପ

କଟକ: ଦିବ୍ୟାଙ୍ଗଙ୍କ ଗମନାଗମନକୁ ସହଜ, ସୁରକ୍ଷିତ ଓ ସମ୍ମାନଜନକ କରିବା ଦିଗରେ କ୍ରୁଟ୍ ସଂସ୍ଥା ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଟୁଇନ୍ ସିଟି କଟକ ଓ ଭୁବନେଶ୍ୱରରେ ଚଳାଚଳ କରୁଥିବା ୨୫ଟି ଆମ ବସ୍‌ରେ ଦିବ୍ୟାଙ୍ଗଙ୍କ ପାଇଁ ସୁଗମତା ବ୍ୟବସ୍ଥା କରାଯାଇଛି। ବସ୍‌ଗୁଡ଼ିକରେ ହୁଇଲଚେୟାର ପ୍ରବେଶ ପାଇଁ ହାଇଡ୍ରୋଲିକ୍ ରାମ୍ପ ଓ ହୁଇଲଚେୟାର ବ୍ୟବହାରକାରୀ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନର ବ୍ୟବସ୍ଥା କରାଯାଇଛି। ଏହାକୁ ନେଇ ଦିବ୍ୟାଙ୍ଗ ମହଲରେ ଖୁସି ପ୍ରକାଶ ପାଇଛି। 

ସୁଗମ ଓଡ଼ିଶା ଅଭିଯାନର ରାଜ୍ୟ ମୁଖ୍ୟ ତଥା ଦିବ୍ୟାଙ୍ଗ ଅଧିକାର କର୍ମୀ ମଣ୍ଟୁ ଦାସ ଏହି ସମସ୍ୟାକୁ ନେଇ ଗତବର୍ଷ ରାଜ୍ୟ ଭିନ୍ନକ୍ଷମ ଆୟୋଗ ଓ ଚଳିତ ବର୍ଷ ଓଡ଼ିଶା ମାନବାଧିକାର ଆୟୋଗଙ୍କ ନିକଟରେ ପୃଥକ ଅଭିଯୋଗ ଦାଖଲ କରିଥିଲେ। ଏହି ମାମଲାଗୁଡ଼ିକରେ କ୍ରୁଟ୍ ପକ୍ଷରୁ ଯଥାଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏହାପରେ ଚଳିତ ମାସରେ ୨୫ଟି ଆମ ବସ୍‌ରେ ଦିବ୍ୟାଙ୍ଗଙ୍କ ପାଇଁ ସୁଗମତା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି।

ସୂଚନାଯୋଗ୍ୟ, ଶ୍ରୀ ଦାସ କଟକ ଓ ଭୁବନେଶ୍ୱରରେ ଚଳାଚଳ କରୁଥିବା ସରକାରୀ ଆମ ବସ୍‌ରେ ଦିବ୍ୟାଙ୍ଗଙ୍କ ଅଧିକାର କ୍ଷୁଣ୍ଣ ହେଉଥିବା ନେଇ ଅଭିଯୋଗ କରିଥିଲେ। ବସ୍‌ଗୁଡ଼ିକରେ ହୁଇଲଚେୟାର ପ୍ରବେଶ ପାଇଁ ରାମ୍ପ ନଥିବାରୁ ହୁଇଲଚେୟାର ବ୍ୟବହାରକାରୀମାନେ ବସ୍‌ରେ ଯାତାୟାତ କରିବାରେ ଅନେକ ଅସୁବିଧା ଭୋଗୁଛନ୍ତି। ଏପରିକି ହୁଇଲଚେୟାରକୁ ଫୋଲ୍ଡ କରି ଅନ୍ୟମାନଙ୍କ ସହାୟତାରେ ବସ୍‌ରେ ଚଢ଼ିବାକୁ ପଡ଼ୁଥିଲା। ଏହା ଦିବ୍ୟାଙ୍ଗଙ୍କ ସ୍ୱାଧୀନ ଓ ସମ୍ମାନଜନକ ଯାତାୟାତର ଅଧିକାର ପ୍ରତି ଏକ ବଡ଼ ପ୍ରତିବନ୍ଧକ ଥିଲା ବୋଲି ଅଭିଯୋଗ ହୋଇଥିଲା। ଦିବ୍ୟାଙ୍ଗ ଜନ ଅଧିକାର ଆଇନ, ୨୦୧୬ ଅନୁଯାୟୀ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଅନ୍ୟମାନଙ୍କ ଭଳି ସମାନ ସୁଯୋଗ, ସୁବିଧା, ସମ୍ମାନ ଓ ମର୍ଯ୍ୟାଦା ସହିତ ଯାତାୟାତ କରିବାର ଅଧିକାର ରହିଛି। ତେଣୁ ସାଧାରଣ ପରିବହନ ବ୍ୟବସ୍ଥାକୁ ସମସ୍ତଙ୍କ ପାଇଁ ସୁଗମ ଓ ସମାବେଶୀ କରିବା ସରକାରୀ ସଂସ୍ଥାଗୁଡ଼ିକର ଦାୟିତ୍ୱ ବୋଲି ଦର୍ଶାଯାଇଥିଲା।

Travel Free on Ama Bus ରକ୍ଷାବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ‘ଆମ ବସ୍‌’ରେ ମହିଳାମାନଙ୍କୁ ମାଗଣାଯାତ୍ରା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।