09 OCTOBER 2026

Welcome!

Unlock your personalized experience.
Sign Up

Gopabandhu Das: ଆଜି ଜନ୍ମଦିନ: ଗୋପବନ୍ଧୁ ଦାସ

Oct 09, 2026 - 06:50
Gopabandhu Das: ଆଜି ଜନ୍ମଦିନ: ଗୋପବନ୍ଧୁ ଦାସ

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ୧୮୭୭ ମସିହା ଆଜିର ଦିନରେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ନିଜ ଗାଁ ପାଖ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ସାରି ପୁରୀ ଜିଲ୍ଲା ସ୍କୁଲ୍‌ରୁ ମାଟ୍ରିକ୍‌ ଉତ୍ତୀର୍ଣ୍ଣ ହୋଇଥିଲେ। ମାତ୍ର ୧୨ ବର୍ଷ ବୟସର ହୋଇଥିବାବେଳେ ସେ ବାଲ୍ୟବିବାହ କରିଥିଲେ ହେଁ ନିଜ ପାଠପଢ଼ା ଜାରି ରଖିଥିଲେ। ଏହାପରେ ସେ ରେଭେନ୍‍ସା କଲେଜରେ ଭର୍ତ୍ତି ହୋଇଥିଲେ। ସେତିକିବେଳେ ସେ ‘ଇନ୍ଦ୍ରଧନୁ’ ଓ ‘ବିଜୁଳି’ ପତ୍ରିକାକୁ ନିୟମିତ ଲେଖା ଦେବା ସହ ‘କର୍ତ୍ତବ୍ୟ ବୋଧିନୀ ସମିତି’ ନାମରେ ଏକ ଆଲୋଚନାଚକ୍ର ଆରମ୍ଭ କରିଥିଲେ। ଏଥିରେ ସେ ଓ ତାଙ୍କ ବନ୍ଧୁମାନେ ବିଭିନ୍ନ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ପ୍ରସଙ୍ଗର ତର୍ଜମା କରୁଥିଲେ। ଗୋପବନ୍ଧୁ ଏକାଧାରରେ ଜଣେ ସାମାଜିକ ସଂଗଠକ, ଶିକ୍ଷାବିତ୍, ରାଜନେତା, ସାମ୍ବାଦିକ, କବି ଓ ପ୍ରାବନ୍ଧିକ ଥିଲେ। ଲୋକଙ୍କ ସେବା ପ୍ରତି ତାଙ୍କର ପ୍ରାଣ କେତେ ଉତ୍ସର୍ଗୀକୃତ ଥିଲା ତାହା ଗୋଟିଏ ଉଦାହରଣରୁ ଜଣାପଡ଼େ। ଏକଦା ତାଙ୍କର ନବଜାତ ଅସୁସ୍ଥ ପୁଅର ଦେଖାଶୁଣା କରିବା ଛାଡ଼ି ସେ ବନ୍ୟାବିପନ୍ନଙ୍କ ସହାୟତା ପାଇଁ ଚାଲିଯାଇଥିଲେ। ତାଙ୍କର ଯୁକ୍ତି ଥିଲା- ‘ପୁଅର ଦେଖାଶୁଣା ପାଇଁ ଅନେକ ଲୋକ ଅଛନ୍ତି। ମୁଁ ଆଉ ଅଧିକ କ’ଣ କରିପାରିବି? କିନ୍ତୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଅନେକ ଲୋକ ସାହାଯ୍ୟ ଅପେକ୍ଷାରେ ଅଛନ୍ତି। ତେଣୁ ସେଠାକୁ ଯିବା ମୋ କର୍ତ୍ତବ୍ୟ। ମୋ ପୁଅର ଧ୍ୟାନ ନେବା ପାଇଁ ପ୍ରଭୁ ଜଗନ୍ନାଥ ଅଛନ୍ତି।’ ପରେ ପୁଅର ମୃତ୍ୟୁ ଘଟିଥିଲା।

Literary Climate: ସାହିତ୍ୟିକ ପାଣିପାଗ; ଆମ ସାହିତ୍ୟ: ଆଉ ବାଜୁନି ଶିଙ୍ଗା

ପୁରୀରେ ଓକିଲ ଥିଲାବେଳେ ସେ ୧୯ ଛାତ୍ରଙ୍କୁ ନେଇ ସାକ୍ଷୀଗୋପାଳର ବକୁଳ ବନରେ ସତ୍ୟବାଦୀ ବିଦ୍ୟାଳୟ ଆରମ୍ଭ କରିଥିଲେ। ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ଏହି ବିଦ୍ୟାଳୟରେ ଯୋଗ ଦେଇ ଅନେକ ଆଦର୍ଶବାଦୀ, ଦେଶପ୍ରେମୀ ଓ ଜାତୀୟତାବାଦୀ ଛାତ୍ର ସୃଷ୍ଟି କରିଥିଲେ। ଓଡ଼ିଆଙ୍କ ମନରେ ଜାତୀୟତା ଭାବନା ଉଦ୍ରେକ କରିବାରେ ସତ୍ୟବାଦୀ ବନ ବିଦ୍ୟାଳୟର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା। ସାମ୍ବାଦିକତା କ୍ଷେତ୍ରକୁ ଗୋପବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ। ଓଡ଼ିଆଙ୍କ ସମସ୍ୟା ଉତ୍‍ଥାପନ ତଥା ସ୍ୱାଧୀନତା ଆନ୍ଦୋଳନକୁ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ସେ ୧୯୧୯ରେ ଏକ ସାପ୍ତାହିକ ସମ୍ବାଦପତ୍ର ରୂପେ ‘ସମାଜ’ର ପ୍ରକାଶନ ଆରମ୍ଭ କରିଥିଲେ। ‘ଅବକାଶ ଚିନ୍ତା’, ‘ଧର୍ମପଦ’, ‘କାରା କବିତା’ ଓ ‘ବନ୍ଦୀର ଆତ୍ମକଥା’ ପ୍ରମୁଖ ତାଙ୍କର ସ୍ମରଣୀୟ କାବ୍ୟକୃତି। ୧୯୨୮ ଜୁନ୍ ୧୭ରେ ପଣ୍ଡିତ ଗୋପବନ୍ଧୁ ଶେଷନିଃଶ୍ବାସ ତ୍ୟାଗ କରିଥିଲେ।

Horoscope 2026 October 09: ଜାଣନ୍ତୁ ଆଜିର ରାଶିଫଳ...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।