Guinea Landslide 30 Dead: ମୃତ୍ୟୁର ତାଣ୍ଡବ: ଧସିଲା ଆବର୍ଜନା ପାହାଡ଼, ଚାଲିଗଲା ୩୦ ଜୀବନ

Aug 24, 2026 - 10:26
Guinea Landslide 30 Dead: ମୃତ୍ୟୁର ତାଣ୍ଡବ: ଧସିଲା ଆବର୍ଜନା ପାହାଡ଼, ଚାଲିଗଲା ୩୦ ଜୀବନ

ପ୍ରବଳ ବର୍ଷା ପରେ ଗିନିର ରାଜଧାନୀ କୋନାକ୍ରିରେ ଘଟିଛି ଭୟାବହ ଦୁର୍ଘଟଣା। ଏକ ବିଶାଳ ଆବର୍ଜନା ଫିଙ୍ଗାଯାଉଥିବା ସ୍ଥାନରେ ଭୂସ୍ଖଳନ ହେବାରୁ ଆବର୍ଜନାର ପାହାଡ଼ ଧସି ପଡ଼ିଛି। ଏହା ତଳେ ନିକଟସ୍ଥ ଟେଣ୍ଟ ଓ ଅସ୍ଥାୟୀ ଘର ପୋତି ହୋଇଯିବାରୁ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ଗିନି ସରକାର ଏହି ମୃତ୍ୟୁସଂଖ୍ୟା ନିଶ୍ଚିତ କରିଛନ୍ତି।

ରାତି ୨ଟାରେ ଘଟିଲା ଅଘଟଣ

ସରକାରୀ ସୂଚନା ଅନୁସାରେ, କୋନାକ୍ରିର ଗ୍ବେସିଆ କମ୍ୟୁନ୍‌ରେ ରାତି ପ୍ରାୟ ୨ଟା ସମୟରେ ଏହି ଭୂସ୍ଖଳନ ଘଟିଥିଲା। ରାତିସାରା ହୋଇଥିବା ପ୍ରବଳ ବର୍ଷା ପରେ ଆବର୍ଜନାର ବିଶାଳ ପାହାଡ ହଠାତ୍ ଧସି ପଡ଼ିଥିଲା। ଫଳରେ ଏହା ନିକଟରେ ରହୁଥିବା ଲୋକଙ୍କ ମୃତ୍ୟୁ ହୋଇଥିଲା ।

ଏହି ଘଟଣାରେ ୩୦ ଜଣଙ୍କ ମୃତ୍ୟୁ ସହ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆଉ ୧୬ ଜଣ ସାମାନ୍ୟ ଆହତ ହୋଇଥିବା ସରକାର କହିଛି।

ଆବର୍ଜନା ତଳେ ପୋତି ହୋଇଗଲା ଘର

ଭୂସ୍ଖଳନର ପରିମାଣ ଏତେ ବଡ଼ ଥିଲା ଯେ ଏହା ତଳେ ଏକ ଆପାର୍ଟମେଣ୍ଟ କୋଠା ସମେତ ଅନେକ ଅସ୍ଥାୟୀ ଘର ପୋତି ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଘଟଣା ପରେ ଉଦ୍ଧାରକାରୀ ଦଳ ଏକ୍ସକାଭେଟର ଓ ଅନ୍ୟାନ୍ୟ ଯନ୍ତ୍ରପାତି ସହାୟତାରେ ଆବର୍ଜନା ହଟାଇ ଲୋକଙ୍କୁ ଖୋଜିବା ଆରମ୍ଭ କରିଛନ୍ତି।

୫ ସନ୍ତାନଙ୍କୁ ହରାଇଲେ ମା’

ଏହି ଦୁର୍ଘଟଣା କେତେ ଭୟଙ୍କର ଥିଲା, ତାହା ଘଟଣାସ୍ଥଳର ଦୃଶ୍ୟରୁ ଅନୁମାନ କରାଯାଇପାରେ। ଜଣେ ମହିଳା ସିରେ ଡିଆଲୋ ତାଙ୍କର ୫ ଜଣ ସନ୍ତାନଙ୍କୁ ଏହି ଦୁର୍ଘଟଣାରେ ହରାଇଛନ୍ତି। ଲୁହଭରା ଆଖିରେ ସେ କହିଛନ୍ତି, “ମୁଁ ମୋର ସମସ୍ତ ଶିଶୁଙ୍କୁ ହରାଇଛି। ଏବେ ମୁଁ କେବଳ ଭଗବାନଙ୍କ ଉପରେ ଭରସା କରିପାରିବି।”
ଦୁର୍ଘଟଣା ପୂର୍ବରୁ ସରକାର ଦେଇଥିଲା ଚେତାବନୀ

ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଏହି ଦୁର୍ଘଟଣାର ମାତ୍ର କିଛି ଦିନ ପୂର୍ବରୁ ଗିନି ସରକାର ଏହି ଲ୍ୟାଣ୍ଡଫିଲ୍‌କୁ ବନ୍ଦ କରିବା ନେଇ ଘୋଷଣା କରିଥିଲା। ଗତ ଗୁରୁବାର ଆଞ୍ଚଳିକ ପ୍ରଶାସନ ମନ୍ତ୍ରୀ ଡିଜେନାବୁ ଟୁରେ କାମାରା ଏହି ସ୍ଥାନକୁ ଅସୁରକ୍ଷିତ ଦର୍ଶାଇଥିଲେ। ଆବର୍ଜନାକୁ କୋନାକ୍ରି ସହର ବାହାରକୁ ସ୍ଥାନାନ୍ତର କରିବା ନେଇ ମଧ୍ୟ ସରକାର ଯୋଜନା କରିଥିଲେ।

ବିଶେଷକରି ବର୍ଷା ଋତୁରେ ଏହି ଅଞ୍ଚଳରେ ଭୂସ୍ଖଳନ ଓ ହଠାତ୍ ବନ୍ୟାର ବିପଦ ରହୁଥିବାରୁ ଏହି ସ୍ଥାନକୁ ନେଇ ଚିନ୍ତା ବଢ଼ିଥିଲା। ତେବେ ସରକାରଙ୍କ ବନ୍ଦ ଘୋଷଣାର କିଛି ଦିନ ମଧ୍ୟରେ ଏଭଳି ବଡ଼ ଦୁର୍ଘଟଣା ଘଟିବା ଘଟଣାର ଗୁରୁତ୍ୱକୁ ଆହୁରି ବଢ଼ାଇ ଦେଇଛନ୍ତି।

ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଦୁର୍ଘଟଣା ପରେ ଗିନିର ପ୍ରଧାନମନ୍ତ୍ରୀ ଆମାଦୁ ଓରି ବାହ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତିର ସମୀକ୍ଷା କରିବା ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ତଦାରଖ କରିଛନ୍ତି। ସରକାର ଲୋକଙ୍କୁ ଶାନ୍ତ ରହିବା, ପରସ୍ପରକୁ ସହଯୋଗ କରିବା ଏବଂ ଉଦ୍ଧାରକାରୀ ଦଳ ଓ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।