Guna Residents Stop Scindia's Convoy: ସିନ୍ଧିଆଙ୍କୁ ଅଟକାଇ ରାସ୍ତା ଦାବି, ଭାଇରାଲ୍ ହେଲା ମନ୍ତ୍ରୀଙ୍କ ଜବାବ
ମଧ୍ୟପ୍ରଦେଶର ଗୁନାରେ ରାସ୍ତା ନିର୍ମାଣକୁ ନେଇ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ବାକ୍ବିତଣ୍ଡା ଏବେ ଚର୍ଚ୍ଚାରେ। ରାସ୍ତା ନିର୍ମାଣ ଦାବିରେ କିଛି ଲୋକ ସିନ୍ଧିଆଙ୍କ କାରକେଡ୍ ଅଟକାଇ ‘ରାସ୍ତା ନାହିଁ ତ ଭୋଟ୍ ନାହିଁ’ ବୋଲି ସ୍ଲୋଗାନ୍ ଦେଇଥିଲେ।
ଏହି ସମୟରେ ଜଣେ ବ୍ୟକ୍ତି ରାସ୍ତା ନିର୍ମାଣ ନହେଲେ ନିର୍ବାଚନ ସମୟରେ ଭୋଟ୍ ଦେବେନି ବୋଲି କହିଥିଲେ। ଏହା ଶୁଣି ସିନ୍ଧିଆ ତାଙ୍କ ଭାଷାକୁ ନେଇ ଆପତ୍ତି ଜଣାଇଥିଲେ ଏବଂ ଦାବିକୁ ଅନୁରୋଧ ଆକାରରେ ରଖିବାକୁ କହିଥିଲେ। ରାସ୍ତା ନିର୍ମାଣ କରାଇବା ତାଙ୍କ ଦାୟିତ୍ୱ ବୋଲି ସେ କହିଥିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ତେବେ ଏହି ଘଟଣା ପରେ ରାସ୍ତାକୁ ନେଇ ବଡ଼ ଘୋଷଣା କରିଛନ୍ତି ସିନ୍ଧିଆ। ଗୁନାରେ ରାସ୍ତା ନିର୍ମାଣ ପାଇଁ ୩ କୋଟି ଟଙ୍କା ମଞ୍ଜୁର ହେବ ବୋଲି ସେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ କହିଛନ୍ତି। ଗୁନା ବିଧାୟକ ପନ୍ନାଲାଲ ଶାକ୍ୟଙ୍କ ବିଧାୟକ ପାଣ୍ଠିରୁ ଏହି ଅର୍ଥ ଦିଆଯିବ ଏବଂ ବର୍ଷା ଋତୁ ପରେ କାମ ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ରାସ୍ତାର ଦୁରବସ୍ଥାକୁ ନେଇ ଦୀର୍ଘଦିନ ଧରି ସ୍ଥାନୀୟ ଲୋକଙ୍କ ଅଭିଯୋଗ ରହିଥିବା ବେଳେ, ଏବେ ଭାଇରାଲ୍ ଭିଡିଓ ସହ ରାସ୍ତା ନିର୍ମାଣ ପାଇଁ ୩ କୋଟି ଟଙ୍କା ଘୋଷଣା ଘଟଣାକୁ ଆହୁରି ଚର୍ଚ୍ଚାରେ ଆଣିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।