Gundicha Temple May Reopen In October: ଅକ୍ଟୋବରରୁ ଖୋଲିପାରେ ଗୁଣ୍ଡିଚା ମନ୍ଦିର, ଅପେକ୍ଷାରେ ଅଗଣିତ ଭକ୍ତ
ଶ୍ରୀମନ୍ଦିରଠାରୁ ପ୍ରାୟ ୩ କିଲୋମିଟର ଦୂରରେ ରହିଛି ଶ୍ରୀଗୁଣ୍ଡିଚା ମନ୍ଦିର। ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ଲୀଳାର ପ୍ରମୁଖ କେନ୍ଦ୍ର ପାଲଟୁଥିବା ଏହି ମନ୍ଦିରକୁ ଭକ୍ତଙ୍କ ଭାବନାରେ ରହିଛି ସ୍ୱତନ୍ତ୍ର ସ୍ଥାନ। କିନ୍ତୁ ଦୀର୍ଘଦିନ ଧରି ବନ୍ଦ ରହିଛି ଗୁଣ୍ଡିଚା ମନ୍ଦିର। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ଏଠାକୁ ଆସୁଛନ୍ତି ଭକ୍ତ। ହେଲେ ବନ୍ଦ ଦ୍ୱାର ଆଗରେ ହିଁ ଅଟକିଯାଉଛି ଭକ୍ତଙ୍କ ଅପେକ୍ଷା। ଜନ୍ମବେଦୀ ଦର୍ଶନରୁ ବଞ୍ଚିତ ହୋଇ ନିରାଶ ହୋଇ ଫେରୁଛନ୍ତି ଶ୍ରଦ୍ଧାଳୁ। ଆଉ ବିଳମ୍ବ ନୁହେଁ, ଶୀଘ୍ର ଗୁଣ୍ଡିଚା ମନ୍ଦିର ଖୋଲୁ ବୋଲି ଦାବି ଜୋର ଧରିଲାଣି।
ଏବେ ଭକ୍ତଙ୍କ ଅପେକ୍ଷାରେ ଯୋଡ଼ି ହୋଇଛି ନୂଆ ଆଶା। ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଗୁଣ୍ଡିଚା ମନ୍ଦିରର ଉନ୍ନୟନ କାର୍ଯ୍ୟ। ଗତକାଲି ମନ୍ଦିରର ସ୍ଥିତି ପରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପରିଚାଳନା କମିଟିର ସଦସ୍ୟ ଓ ପ୍ରଶାସନିକ ଅଧିକାରୀ। ଆସନ୍ତା ଅକ୍ଟୋବରରୁ ଭକ୍ତଙ୍କ ପାଇଁ ଖୋଲିପାରେ ଗୁଣ୍ଡିଚା ମନ୍ଦିର। ଅକ୍ଟୋବର ପ୍ରଥମ ସପ୍ତାହକୁ ନଜରରେ ରଖି ପ୍ରସ୍ତୁତି ଚାଲିଛି।
ଉନ୍ନୟନ କାମ ଶେଷ ହେବା ପରେ ଭକ୍ତଙ୍କ ପାଇଁ ଖୋଲାଯିବା ନେଇ ଆଶା ବଢ଼ିଛି। ଦୀର୍ଘଦିନ ଧରି ବନ୍ଦ ଥିବା ଜନ୍ମବେଦିର ଦ୍ୱାର ଖୋଲିଲେ, ମହାପ୍ରଭୁଙ୍କ ଲୀଳାଭୂମିକୁ ନିକଟରୁ ଦେଖିବାର ସୁଯୋଗ ପାଇବେ ଭକ୍ତ।
ଗୁଣ୍ଡିଚା ମନ୍ଦିର ଦର୍ଶନ ପାଇଁ ଭକ୍ତଙ୍କୁ ସୁବିଧା ଦେବା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି। ଦାନବାକ୍ସ ଗଣତି ପାଇଁ ଚାଲିଛି ସିସିଟିଭି ଲଗାଇବା କାମ। ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ କରାଯାଇଛି ରାଂପ ବ୍ୟବସ୍ଥା। ସାଧାରଣ ଭକ୍ତଙ୍କ ପ୍ରବେଶ ଶୁଳ୍କ ୧୦ ଟଙ୍କା ରହିବ। ତେବେ ବରିଷ୍ଠ ନାଗରିକ ଓ ଛୋଟ ଶିଶୁଙ୍କ ପାଇଁ ପ୍ରବେଶ ସମ୍ପୂର୍ଣ୍ଣ ନିଶୁଳ୍କ। ଗୁଣ୍ଡିଚା ମନ୍ଦିରର ପୌରାଣିକ ମାହାତ୍ମ୍ୟ ଓ ଐତିହ୍ୟ ବୁଝାଇବାକୁ ସାଇନବୋର୍ଡ ମଧ୍ୟ ଲଗାଯାଉଛି। ଏବେ ଅପେକ୍ଷା ଆସନ୍ତା ମାସକୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।