Behera Family Shattered as Seven Members Die: ଅବେଳରେ ଛାରଖାର ବେହେରା ସଂସାର, ଚାଲିଗଲେ ପରିବାରର ସାତଜଣ

Sep 20, 2026 - 20:11
Behera Family Shattered as Seven Members Die: ଅବେଳରେ ଛାରଖାର ବେହେରା ସଂସାର, ଚାଲିଗଲେ ପରିବାରର ସାତଜଣ

ଅବେଳରେ ଛାରଖାର ହୋଇଗଲା ସଂସାର। ମଧ୍ୟପ୍ରଦେଶରୁ ୭ ଓଡ଼ିଆଙ୍କ ମହାଯାତ୍ରା ପରେ ମୃତଦେହକୁ ଅପେକ୍ଷା କରିଛନ୍ତି ପରିବାର । ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଆସୁଥିବା ମରଶରୀର ରାତିରେ ପହଞ୍ଚିବା ପରେ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ପାଇଁ ପ୍ରସ୍ତୁତି କରାଯାଇଛି। ଏପଟେ ପୁଅଝିଅ ନାତିନାତୁଣୀଙ୍କୁ ହରାଇ ନିର୍ବାକ ପାଲଟିଯାଇଛି ପୂରା ପରିବାର । ଆଖି ହଳକରେ ଆଉ ଲୁହ ନାହିଁ। ଛାତି ଭିତରେ କୋହର ହିସାବ ନାହିଁ। ବାପା ସେମିତି ବସିଛନ୍ତି। କଥା ନାହିଁ, କାନ୍ଦ ନାହିଁ । ପରିବାରରୁ ଏକାବେଳେ ଚାଲିଗଲେ ୭ ଜଣ। ପୁଅ ଗଲା, ଦୁଇ ଝିଅ ଗଲେ, ଜ୍ୱାଇଁ ଗଲେ, ନାତିନାତୁଣୀ ବି ଚାଲିଗଲେ। ସମ୍ପର୍କ ଏମିତି ଛିଡ଼ିଗଲା ଯେ, କାହାକୁ ଡାକିବେ, କାହାକୁ ଖୋଜିବେ, ସେ କଥା ଭାବିପାରୁନାହାନ୍ତି। ବେହେରା ହୋଟେଲ୍, ଯେଉଁଠି ସାନଝିଅ ରାଧାରାଣୀଙ୍କୁ ସାହସ କରି ଢାବା ଚଳାଉଥିଲେ ବାପା ବନମାଳି। ସିନ୍ଦୂର ପିନ୍ଧିବା ଆଗରୁ ରାଧା ଚାଲିଯିବା ପରେ ସେଇ ଜାଗାରେ ବସି ଗେହ୍ଲି ଝିଅକୁ ଝୁରିହେଉଛନ୍ତି ବାପା। ସେଇ ଢାବା ଅଛି, ସେଇ କର୍ମଚାରୀ ଅଛନ୍ତି, ହେଲେ ନାହାନ୍ତି ଢାବାର ମାଲିକାଣୀ ତାଙ୍କ ଝିଅ। ସାହିପଡ଼ିଶାଠୁ ଢାବା କର୍ମଚାରୀ, ସମସ୍ତେ ବନମାଳିଙ୍କୁ କୋଳେଇ ଧରୁଛନ୍ତି। ସାନ୍ତ୍ୱନା ଦେଉଛନ୍ତି। ହେଲେ ବନମାଳିଙ୍କ ମନ କୋଉ ବୁଝୁଛି ?

୪ ଦିନ ତଳେ ଯେଉଁମାନେ ସଶରୀରେ ଘରେ ଥିଲେ, ଆଜି କେବଳ ସେମାନଙ୍କ ଫଟୋ ଅଛି। ଯେଉଁ ଘରେ ଭବିଷ୍ୟତର ସ୍ୱପ୍ନ ବୁଣା ହେଉଥିଲା, ଆଜି ସେଇ ଘରେ ଅତୀତର ସ୍ମୃତି ଖୋଜା ଚାଲିଛି। ଯେଉଁମାନେ ଘରର ଦୁଆର ମୁହଁରେ ଡାକ ଛାଡ଼ୁଥିଲେ ଆଜି ସେଇ ଦୁଆର ଶେଷ ବିଦାୟ ପାଇଁ ଅପେକ୍ଷା କରିଛି। ସବୁ ଭିଜା ଆଖି ଚାହିଁ ଚାହିଁ ରହିଛି ମୃତଦେହ ଫେରିବା ବାଟକୁ। ପ୍ରତ୍ୟେକ ଅବୁଝା ମନ ଅନାଇ ବସିଛି ଟିକେ ଶେଷ ଦର୍ଶନ କରିବାକୁ। ଗତକାଲି ସନ୍ଧ୍ୟାରେ ମଧ୍ୟପ୍ରଦେଶ ନାଲଖେଣ୍ଡାରେ ପୋଷ୍ଟମର୍ଟମ ସରିବା ପରେ ବିଳମ୍ବିତ ରାତିରେ ଓଡ଼ିଶା ଅଭିମୁଖେ ବାହାରିଥିଲା ୭ ମୃତଦେହ। ଏଠାରେ ପହଞ୍ଚିବାକୁ ପ୍ରାୟ ୨୬ ଘଣ୍ଟା ସମୟ ଲାଗିବ। ଆଜି ରାତିରେ ମୃତଦେହ ପହଞ୍ଚିବା ପରେ ସ୍ବର୍ଗଦ୍ବାରରେ ଶେଷକୃତ୍ୟ କରାଯିବା ନେଇ ସୂଚନା ମିଳିଛି। 

ଗଲା ବୁଧବାର ବନମାଳିଙ୍କ ପୁଅ ଶିବପ୍ରସାଦ, ମଝିଆ ଝିଅ ଜ୍ବାଇଁ, ସାନ ଝିଅ ରାଧାରାଣୀ  ଓ ତିନି ନାତିନାତୁଣୀ ମଧ୍ୟପ୍ରଦେଶ ଅଭିମୁଖେ ଯାଇଥିଲେ। କୁହାଯାଉଛି ରାଜ୍ୟ ବାହାରକୁ ଯିବା କଥା ବାପାଙ୍କୁ ସମସ୍ତେ ଲୁଚାଇଥିଲେ। ଅନ୍ୟପଟେ ପରିବାରର ଅନ୍ୟ କିଛି ସଦସ୍ୟ ଯିବାକୁ ନିଷ୍ପତ୍ତି ହୋଇଥିଲେ ବି ଶେଷ ମୁହୂର୍ତ୍ତରେ କୌଣସି କାରଣରୁ ଯାଇପାରିନଥିଲେ। ଏଇ ଗୋଟିଏ ଦୁର୍ଘଟଣା କେବଳ ୭ଟି ଜୀବନ ନେଇନି। ଗୋଟିଏ ଘରର ସାତ ସାତଟି ସ୍ୱପ୍ନ ଭସାଇନେଇଛି। ଜଣେ ବାପାଠାରୁ ପୁଅଝିଅ ନାତିନାତୁଣୀଙ୍କୁ ଛଡ଼ାଇ ନେଇଛି। ଆଉ ଛାଡ଼ିଯାଇଛି ଏମିତି ଏକ ଶୂନ୍ୟତା, ଯାହାକୁ ଶବ୍ଦରେ କହିବା ଅସମ୍ଭବ। ଜୀବନ ଏମିତି ଏକ ଅଧାଲେଖା କାହାଣୀ। କେଉଁଠି ହସ ଅଧାରେ ରହିଯାଏ, କେଉଁଠି ସ୍ୱପ୍ନ ଅଧାରେ ଭାଙ୍ଗିଯାଏ, ଆଉ କେଉଁଠି ଗୋଟିଏ ପରିବାରର ପୂରା ଜୀବନ ଗୋଟିଏ ମୁହୂର୍ତ୍ତରେ ଅତୀତ ହୋଇଯାଏ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।