Chhattisgarh CM Signals Amicable Resolution: ଖୁବଶୀଘ୍ର ତୁଟିବ ମହାନଦୀ କଳି, ସମାଧାନର ସଙ୍କେତ ଦେଲେ ଛତିଶଗଡ଼ ସିଏମ୍

Sep 20, 2026 - 20:11
Chhattisgarh CM Signals Amicable Resolution: ଖୁବଶୀଘ୍ର ତୁଟିବ ମହାନଦୀ କଳି, ସମାଧାନର ସଙ୍କେତ ଦେଲେ ଛତିଶଗଡ଼ ସିଏମ୍

ଫିଟିବ ମହାନଦୀ ଜଳ ବିବାଦର ରାସ୍ତା। ସଙ୍କେତ ଦେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ। କହିଲେ ଏହା ଆଉ ବିବାଦ ହୋଇ ନାହିଁ। ଓଡ଼ିିଶା ଗସ୍ତରେ ଥିବା ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ, ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଏନେଇ ୱାନ୍ ଟୁ ୱାନ୍ ଆଲୋଚନା କରିଛନ୍ତି। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଏହା କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ। ଯାହାକୁ ନେଇ ବଢିଛି ଚର୍ଚ୍ଚା। ଖାଲି ସେତିକି ନୂହେଁ ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ରରେ ବିଜେପି ସରକାର ରହିଛି। ଦିଲ୍ଲୀରେ ଏହି ପ୍ରସଙ୍ଗରେ ପୂର୍ବରୁ ଆଲୋଚନା ହୋଇ ସାରିଛି। ଉଭୟ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟି ଦେଇ CWC ଯେଉଁ ନିଷ୍ପତ୍ତି ନେବ, ତାହାକୁ ଗ୍ରହଣ କରାଯିବ। ଯେଉଁ ସବୁ ରାଜ୍ୟରେ ବିଜେପି ସରକାରକୁ ଆସିଛି ସେଠାରେ ସବୁ ବିବାଦର ସମାଧାନ ହୋଇଛି। ମହାନଦୀ ଜଳ ବିବାଦର ବି ସମାଧାନ ଖୁବ୍ ଶୀଘ୍ର ହେବ।

ଓଡ଼ିଶାର ଲାଇଫଲାଇନ୍ ହେଉଛି ମହାନଦୀ। ଆଉ ଏହି ଜୀବନରେଖାକୁ ନେଇ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ଦୀର୍ଘ ବର୍ଷର ଟଣାଓଟରା। କିନ୍ତୁ ଏବେ ଚିତ୍ର ବଦଳୁଛି। ବିବାଦର ମଞ୍ଚରୁ ଆଲୋଚନାର ଟେବୁଲକୁ ଆସିଛନ୍ତି ଦୁଇ ରାଜ୍ୟ। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଷ୍ଣୁ ଦେଓ ସାଏ ଭେଟିବା ପରେ ଆଶା ବଢିଛି। କାରଣ ଏହି ବିବାଦ ଆଜିର ନୁହେଁ। ୨୦୧୬ରେ ଛତିଶଗଡ଼ର ଉପରମୁଣ୍ଡ ପ୍ରକଳ୍ପଗୁଡ଼ିକୁ ନେଇ ଆପତ୍ତି ଉଠାଇଥିଲା ଓଡ଼ିଶା। ତେବେ ଆଲୋଚନାରେ ସମାଧାନ ନହେବା ପରେ ଆଇନଗତ ପ୍ରକ୍ରିୟା ଆଗକୁ ବଢ଼ିଲା। ୨୦୧୮ରେ ଗଠନ ହେଲା ମହାନଦୀ ୱାଟର୍ ଡିସପ୍ୟୁଟ୍ସ ଟ୍ରିବ୍ୟୁନାଲ। ସେବେଠାରୁ ଆଇନର ଲଢ଼େଇ ଚାଲିଛି। ଟ୍ରିବ୍ୟୁନାଲରେ ମାମଲା ଚାଲିଥିବା ବେଳେ ସମାନ୍ତରାଳ ଭାବେ ବୈଷୟିକ ଆଲୋଚନାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଆସନ୍ତାକାଲି CWC ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଉଭୟ ରାଜ୍ୟର ବୈଷୟିକ ଟିମ୍ ଆଲୋଚନା କରିବେ। ସେପ୍ଟେମ୍ବର ୨୮ରେ ମହାନଦୀ ଜଳ ବିବାଦ ମାମଲାର ପରବର୍ତ୍ତୀ ଟ୍ରିବ୍ୟୁନାଲ ଶୁଣାଣି। ଅନ୍ୟପଟେ ଦୁଇ ରାଜ୍ୟ ର ମୁଖିଆଙ୍କ ଆଲୋଚନାକୁ ନେଇ ରାଜ୍ୟ ରାଜନୀତି ବି ଜୋର୍ ଧରିଛି। 

ଗତ ଜୁଲାଇ ୩୦ରେ କେନ୍ଦ୍ରୀୟ ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୈଠକ ହୋଇଥିଲା। କେନ୍ଦ୍ରର ସୂଚନା ଅନୁସାରେ ଉଭୟ ରାଜ୍ୟ ଆଲୋଚନା, ବୈଷୟିକ ସହଯୋଗ ଓ ସମନ୍ୱୟ ମାଧ୍ୟମରେ ସମାଧାନ ଦିଗରେ ଆଗକୁ ବଢ଼ିବା ନେଇ ଇଚ୍ଛା ପ୍ରକାଶ କରିଥିଲେ। ଏହାରି ଭିତରେ ପୁଣି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ। ମହାନଦୀ ଜଳ ବିବାଦରେ ଏଥର ସମାଧାନର ସୂତ୍ର କେତେ ଶୀଘ୍ର ବାହାରୁଛି ତାକୁ ଅପେକ୍ଷା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।