27 SEPTEMBER 2026

Welcome!

Unlock your personalized experience.
Sign Up

Gyanesh kumar: ଜ୍ଞାନେଶଙ୍କୁ ହଟାଇବା ମୁଖ୍ୟ ଏଜେଣ୍ଡା: ୩୦ରେ ଇଣ୍ଡି ମେଣ୍ଟ ବୈଠକ, ୯ରେ କଂଗ୍ରେସ କାର୍ଯ୍ୟକାରିଣୀ

Sep 27, 2026 - 03:41
Gyanesh kumar: ଜ୍ଞାନେଶଙ୍କୁ ହଟାଇବା ମୁଖ୍ୟ ଏଜେଣ୍ଡା: ୩୦ରେ ଇଣ୍ଡି ମେଣ୍ଟ ବୈଠକ, ୯ରେ କଂଗ୍ରେସ କାର୍ଯ୍ୟକାରିଣୀ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ବହିଷ୍କାର ପ୍ରସ୍ତାବ ଉପରେ ରଣନୀତି ଚୂଡ଼ାନ୍ତ ପାଇଁ ବିରୋଧୀ ଇଣ୍ଡି ମେଣ୍ଟ ନେତାମାନେ ସେପ୍ଟେମ୍ବର ୩୦ ତାରିଖରେ ନୂଆଦିଲ୍ଲୀର କନ୍‌ଷ୍ଟିଚ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆରେ ବୈଠକ ଡାକିଛନ୍ତି। ସୂତ୍ର ଅନୁସାରେ, ବିରୋଧୀ ଦଳଗୁଡ଼ିକ ନିର୍ବାଚନ ଆୟୋଗରେ ଲାଗିରହିଥିବା ମତଭେଦ ଉପରେ ମିଳିତ ଭାବେ କଡ଼ା ଜବାବ ଦେବା ସଂପର୍କରେ ଆଲୋଚନା କରିବେ। ସିପିଆଇଏମ୍‌, ସିପିଆଇ ଓ ସିପିଆଇଏମ୍‌ଏଲ୍‌ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବହିଷ୍କାର ଓ ତୁରନ୍ତ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ରଦ୍ଦ କରିବାକୁ ଦାବି କରିଛନ୍ତି। ସେପଟେ କଂଗ୍ରେସ ଏହି ପ୍ରସଙ୍ଗରେ ନିଜ ରଣନୀତି ସ୍ଥିର ପାଇଁ ସେପ୍ଟେମ୍ବର ୨୯ ତାରିଖରେ କାର୍ଯ୍ୟକାରିଣୀ ବୈଠକ କରିବ।

Narendra Moid: ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’କୁ ନେଇ କଂଗ୍ରେସ ନେତାଙ୍କ କଟାକ୍ଷ

ସିପିଆଇଏମ୍‌ର ସାଧାରଣ ସମ୍ପାଦକ ଏମ୍‌ଏ ବେବି ଇଣ୍ଡି ମେଣ୍ଟ ଓ ଅନ୍ୟାନ୍ୟ ବିରୋଧୀ ଦଳ ନେତାଙ୍କୁ ସିଇସି ବିବାଦ ସମ୍ପର୍କରେ ଆଲୋଚନା କରିବାକୁ ବୈଠକ ପାଇଁ ଚିଠି ଲେଖିଛନ୍ତି। ସେ ମମତାଙ୍କ ସହିତ କଥା ହୋଇଛନ୍ତି। ପରିସ୍ଥିତି ପାଇଁ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ମମତା ସହମତ ହୋଇଥିବା ସୂତ୍ରରୁ ଜଣାପଡ଼ିଛି। ବିରୋଧୀ ଦଳଗୁଡ଼ିକ ସଂସଦର ଉଭୟ ସଦନରେ ପୁଣି ଥରେ ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ ଆଣିବାକୁ ଚିନ୍ତା କରୁଛନ୍ତି। ମମତା ଏହି ପ୍ରସଙ୍ଗରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହିତ କଥା ହୋଇଛନ୍ତି। ପୂର୍ବରୁ ୨୩ଟି ରାଜନୈତିକ ଦଳ ଓ ଜଣେ ସ୍ୱାଧୀନ ସାଂସଦ ଏସ୍ଆଇଆର୍‌ ଓ ନିର୍ବାଚନ-ସମ୍ବନ୍ଧୀୟ ପ୍ରସଙ୍ଗରେ ପ୍ରଧାନ ବିଚାରପତିଙ୍କ ନିକଟରେ ଆବେଦନ କରିଥିଲେ।

ନିର୍ବାଚନ କମିସନଙ୍କ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିସନ (ଇସିଆଇ)ର ଦୁଇ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ କ୍ୟାବିନେଟ ସଚିବ ଟି.ଭି.ସୋମନାଥନ୍‌ଙ୍କୁ ଲେଖିଥିବା ଚିଠି କୌଣସି ନୀତିଗତ ବିଷୟ କିମ୍ବା ଆଇଟି ବିଭାଗ ସମ୍ପର୍କିତ ନଥିଲା ବୋଲି ସ୍ପଷ୍ଟ କରାଯାଇଛି। ଶନିବାର କମିସନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବା ପରେ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି। ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଏବଂ ଅନ୍ୟ ଦୁଇ କମିସନରଙ୍କ ମଧ୍ୟରେ କାର୍ଯ୍ୟ ଆବଣ୍ଟନ ଓ ମତଭେଦକୁ ନେଇ ତମ୍ବିତୋଫାନ ସୃଷ୍ଟି ହୋଇଥିବା ବେଳେ ଏହି ଚିଠି କେବଳ ଡେପୁଟେସନ୍‌ରେ ଆସିଥିବା ଜଣେ ଅଧିକାରୀଙ୍କ କାର୍ଯ୍ୟଶୈଳୀ ସମ୍ପର୍କିତ ଥିଲା ବୋଲି କୁହାଯାଇଛି। 
ସମ୍ପୃକ୍ତ ଅଧିକାରୀଙ୍କ ଦ୍ୱାରା ଜାରି କାର୍ଯ୍ୟ ପୁନଃବଣ୍ଟନ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଇ ନାହିଁ। ଇଣ୍ଡିଆନ୍ ଏକ୍ସପ୍ରେସ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଦୁଇ ନିର୍ବାଚନ କମିସନର କାର୍ଯ୍ୟ ଆବଣ୍ଟନରେ ପରିବର୍ତ୍ତନକୁ ନେଇ କ୍ୟାବିନେଟ ସଚିବଙ୍କୁ ପୃଥକ୍ ଭାବେ ଚିଠି ଲେଖିଥିଲେ। ଭୋଟର ତାଲିକା ପରିଚାଳନା କରୁଥିବା ଆଇଟି ବ୍ୟବସ୍ଥା ଉପରେ ସେମାନଙ୍କ ତଦାରଖ କ୍ଷମତା ହ୍ରାସ କରାଯାଉଥିବା ନେଇ ସେମାନେ ଆପତ୍ତି ଜଣାଇଥିଲେ। ଚଳିତ ବର୍ଷ ଜାନୁଆରି ୨୨ରେ ଇସିଆଇ ଦ୍ୱାରା ‘ଇସିଆଇନେଟ୍’  ନାମକ ଏକ ଆଇଟି ପ୍ଲାଟଫର୍ମ ଆରମ୍ଭ କରାଯାଇଥିଲା, ଯାହା ମାଧ୍ୟମରେ ୪୦ରୁ ଅଧିକ ଆପ୍ଲିକେସନ୍ ଓ ପୋର୍ଟାଲକୁ ଗୋଟିଏ ନେଟ୍‌ୱର୍କ ଅଧୀନକୁ ଅଣାଯାଇଛି। ଏହି ପ୍ଲାଟଫର୍ମ ଜନସାଧାରଣଙ୍କ ବିଶ୍ୱାସ ବୃଦ୍ଧି କରିବ ବୋଲି କୁହାଯାଇଥିଲା।

ତେବେ ରାଜ୍ୟସ୍ତରୀୟ ନିର୍ବାଚନ ଅଧିକାରୀଙ୍କ ଭୋଟର ତାଲିକା ସଂଶୋଧନ ଓ ଅପଡେଟ୍ କରିବା କ୍ଷମତାକୁ ନେଇ ପରବର୍ତ୍ତୀ ସମୟରେ ଆପତ୍ତି ଉଠିଥିଲା। କମିସନର ଯୋଶୀ ଓ ସାନ୍ଧୁ ଭୋଟର ତାଲିକା ଡାଟାବେସ୍‌ର କେନ୍ଦ୍ରୀକରଣ ନେଇ ପ୍ରଶ୍ନ ଉଠାଇଥିଲେ। ନିର୍ବାଚନ ଆଇନ ଅନୁଯାୟୀ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଅଧିକାରକୁ ଏହା ସଙ୍କୁଚିତ କରୁଛି କି ନାହିଁ, ସେ ନେଇ ଉଭୟ ଆଶଙ୍କା ପ୍ରକାଶ କରିଥିଲେ। ଏହି ବିଷୟରେ ଦୁଇ କମିସନର ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ଚିଠି ମଧ୍ୟ ଲେଖିଥିଲେ। କେବଳ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ପାଖରେ ଡାଟାବେସ୍ ପରିବର୍ତ୍ତନର ଅଧିକାର ରହିଛି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ଆଇଆଇଟି ବିଶେଷଜ୍ଞଙ୍କ ଦ୍ୱାରା ଅଡିଟ୍ କରିବାକୁ ଯୋଶୀ ପ୍ରସ୍ତାବ ଦେଇଥିଲେ।

କ୍ୟାବିନେଟ ସଚିବଙ୍କୁ ଚିଠି ନୀତିଗତ ବିଷୟ ପାଇଁ ନଥିଲା
ତ୍ରୁଟି ଅନୁଧ୍ୟାନ ପାଇଁ ଆଇଆଇଟି ବିଶେଷଜ୍ଞଙ୍କୁ ନେଇ ଉଚ୍ଚସ୍ତରୀୟ କମିଟି ଗଠନ

ଏହି ବିବାଦ ସମ୍ପର୍କରେ ଶନିବାର ସ୍ପଷ୍ଟୀକରଣ ଦେଇ ନିର୍ବାଚନ ଆୟୋଗ କହିଛନ୍ତି ଯେ କ୍ଷେତ୍ରୀୟ ଅଧିକାରୀମାନଙ୍କୁ ସେମାନଙ୍କ ଆଇନଗତ କ୍ଷମତା ଅନୁସାରେ ଇସିଆଇନେଟ୍ ବ୍ୟବହାର କରିବାର ଅଧିକାର ଦିଆଯାଇଛି। ବରିଷ୍ଠ ଉପନିର୍ବାଚନ କମିସନର (ଡିଇସି)ଙ୍କ ଅଧ୍ୟକ୍ଷତାରେ ଜଣେ ସ୍ୱାଧୀନ ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏହି କମିଟି ଇସିଆଇନେଟ୍‌ର ସମୀକ୍ଷା କରି ଏହା ସମସ୍ତ ନିୟମ ଓ ଆଇନ ଅନୁଯାୟୀ କାର୍ଯ୍ୟ କରୁଛି କି ନାହିଁ ତାହାର ରିପୋର୍ଟ ଆୟୋଗଙ୍କ ନିକଟରେ ଦାଖଲ କରିବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପରାମର୍ଶକ୍ରମେ ପୋର୍ଟାଲରେ କେତେକ ପରିବର୍ତ୍ତନ ଅଣାଯାଇଛି ଏବଂ ଆଗାମୀ ଦିନରେ ଆଇଟି ସମ୍ପର୍କିତ ସମସ୍ତ ନୂତନ ନିଷ୍ପତ୍ତି ଅଧିକାରୀ କମିଟିର ଅନୁମୋଦନ ପରେ ଗ୍ରହଣ କରାଯିବ।

SIR: ‘ବିହାର, ପଶ୍ଚିମବଙ୍ଗର ଏସଆଇଆର ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଥିଲା’

ଇସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଇସିଆଇନେଟ୍‌ ଏକ ବିକେନ୍ଦ୍ରୀକୃତ ପ୍ଲାଟଫର୍ମ ଏବଂ କ୍ଷେତ୍ରୀୟ ଅଧିକାରୀଙ୍କ ଆଇନଗତ କ୍ଷମତା ଅକ୍ଷୁଣ୍ଣ ରହିଛି। ବୁଥସ୍ତରୀୟ ଅଧିକାରୀ (ବିଏଲ୍‌ଓ), ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଏଇଆର୍‌ଓ), ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆର୍‌ଓ), ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ) ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନିଜର ନିର୍ଦ୍ଦିଷ୍ଟ ଆଇଡି ଓ ପାସ୍‌ୱାର୍ଡ ମାଧ୍ୟମରେ ନିଜ ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଇସିଆଇର ଅନ୍ୟ କୌଣସି ଅଧିକାରୀ ଏହି ବ୍ୟବସ୍ଥାରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।